ଓଡ଼ିଶାଲାଇଭ୍ ବ୍ୟୁରୋ

ଏହି ଫଟୋଗୁଡ଼ିକ ଦର୍ଶକଙ୍କୁ ଉପଯୁକ୍ତ ଲାଗୁନଥିଲେ ମଧ୍ୟ ଏହା ଦ୍ଵାରା ଆମେ ଏହି ଘଟଣାର ଗଭୀରତାକୁ ଦେଖାଇବାକୁ ଚାହୁଁଛୁ।
ଏହି ଫଟୋଗୁଡ଼ିକ ଦର୍ଶକଙ୍କୁ ଉପଯୁକ୍ତ ଲାଗୁନଥିଲେ ମଧ୍ୟ ଏହା ଦ୍ଵାରା ଆମେ ଏହି ଘଟଣାର ଗଭୀରତାକୁ ଦେଖାଇବାକୁ ଚାହୁଁଛୁ।

ଭୁବନେଶ୍ଵର-ପୁରୀ ରାଜପଥରେ ମାତିଛନ୍ତି ଲୁଟେରା। ଦିନ ଦ୍ଵି’ପ୍ରହରରେ ଲୋକଙ୍କୁ ମରଣମୁହଁକୁ ଠେଲି ଲୁଟି ନେଉଛନ୍ତି ସବୁକିଛି।

ଅସୁରକ୍ଷିତ ହୋଇପଡ଼ିଛି ଭୁବନେଶ୍ଵର-ପୁରୀ ରାଜପଥ। ସ୍ପଷ୍ଟ ଦିବାଲୋକରେ ଘଟୁଛି ରାହାଜାନୀ। ଏହି ରାଜପଥରେ ଯାଉଥିବା ଯାତ୍ରୀଙ୍କୁ ମରଣ ମୁହଁକୁ ଠେଲିଦେଇ ସେମାନଙ୍କଠାରୁ ସବୁକିଛି ଛଡ଼ାଇ ନେଉଛନ୍ତି ଲୁଟେରା ଗ୍ୟାଙ୍ଗ।

ଭୁବନେଶ୍ଵର-ପୁରୀ ରାଜପଥରେ ଯାଉଥିବା ଯାତ୍ରୀଙ୍କୁ ଲୁଟେରାମାନେ ବାଇକରେ ପିଛା କରୁଛନ୍ତି। ସୁବିଧା ଦେଖି ସେମାନଙ୍କଠାରୁ ମୋବାଇଲ, ଟଙ୍କା ଆଦି ଛଡ଼ାଇବାକୁ ଚେଷ୍ଟା କରନ୍ତି। ଲୁଟ ଉଦ୍ୟମ ବିଫଳ ହେଲେ ଯାତ୍ରୀଙ୍କ ଗାଡ଼ିକୁ ଗୋଇଠା ମାରି ତଳେ ପକାଉଛନ୍ତି ଏବଂ ତା’ ପରେ ଦରମରା ଅବସ୍ଥାରେ ତଳେପଡ଼ି ଛଟପଟ ହେଉଥିବା ଯାତ୍ରୀଙ୍କଠାରୁ ସବୁକିଛି ଲୁଟି ନେଇ ଫେରାର ହେଇଯାଉଛନ୍ତି। ଗତ ଦୁଇଦିନ ମଧ୍ୟରେ ଭୁବନେଶ୍ଵର-ପୁରୀ ରାଜପଥରେ ଘଟିଯାଇଛି ଦୁଇ ଦୁଇଟି ରାହାଜାନୀ ଘଟଣା।

କ’ଣ ଥିଲା ପୂରା ଘଟଣା?

ପ୍ରଥମ ଘଟଣାରେ ରାହାଜାନୀର ଶିକାର ହୋଇଛନ୍ତି ବିଜୟ କୁମାର ବାରିକ। ପୁରୀ ଜିଲ୍ଲା ବଳଙ୍ଗାର ବିଜୟ କୁମାର ବାରିକ ଏବଂ ତାଙ୍କ ପୂରା ପରିବାର ରାଜପଥ ଲୁଟେରାଙ୍କ ହାବୁଡ଼ରେ ପଡ଼ି ଲହୁଲୁହାଣ ହୋଇଛନ୍ତି। ପୁରୀ ଜିଲ୍ଲା ପୁରୁଷୋତ୍ତମପୁର ଗାଁର ବିଜୟ କୁମାର ବାରିକ ଏବଂ ତାଙ୍କ ପୂରା ପରିବାର ରାଜପଥ ଲୁଟେରାଙ୍କ ହାବୁଡ଼ରେ ପଡ଼ି ଲହୁଲୁହାଣ ହୋଇଛନ୍ତି। ରବିବାର ଦିନ ପ୍ରାୟ ସାଢ଼େ ୧୦ଟା ସମୟରେ ବିଜୟ ବାରିକ ଓ ତାଙ୍କ ସ୍ତ୍ରୀ ଦୁଇ ଛୁଆଙ୍କୁ ସାଙ୍ଗରେ ଧରି ପୁରୀରେ ଥିବା ମାମୁ ଘରକୁ ଯାଉଥିଲେ। ସତ୍ୟବାଦୀ ବ୍ଲକ ଛକ ନିକଟରୁ ଦୁଇ ଜଣ ଯୁବକ ଏକ କଳା ରଙ୍ଗର ପଲସରରେ ସେମାନଙ୍କ ପିଛା କରିଥିଲେ।

କିଛି ସମୟ ପରେ ବିଜୟଙ୍କ ସ୍ତ୍ରୀ ଧରିଥିବା ମୋବାଇଲଟିକୁ ଏହି ଯୁବକମାନେ ଛଡ଼େଇବାକୁ ଚେଷ୍ଟା କରିଥିଲେ। ପ୍ରଥମ ଚେଷ୍ଟା ବିଫଳ ହେବାରୁ ସେମାନେ ବିଜୟଙ୍କ ବାଇକର ଆଗ ଚକକୁ ଶକ୍ତ ଧକ୍କା ଦେଇଥିଲେ। ଫଳରେ ୫୦ରୁ ୬୦ ମିଟର ପର୍ଯ୍ୟନ୍ତ ଛିଟିକି ପଡ଼ିଥିଲେ ବିଜୟ, ତାଙ୍କ ସ୍ତ୍ରୀ ଏବଂ ଦୁଇ କୁନି ପୁଅ। ରାସ୍ତାରେ ପଡ଼ି ସମସ୍ତେ ଛଟପଟ ହେଉଥିଲା ବେଳେ ସେମାନଙ୍କଠାରୁ ମୋବାଇଲ ଏବଂ ଟଙ୍କା ଆଦି ଲୁଟି ସମ୍ପୃକ୍ତ ଅସାମାଜିକ ଯୁବକ ପୁରୀ ଆଡ଼େ ଦ୍ରୁତ ଗତିରେ ଫେରାର ହୋଇଯାଇଥିଲେ।

ସ୍ଥାନୀୟ ଲୋକେ ବିଜୟ ଏବଂ ତାଙ୍କ ପରିବାର ଲୋକଙ୍କୁ ଉଦ୍ଧାର କରି ସାକ୍ଷୀଗୋପାଳ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ବିଜୟ, ତାଙ୍କ ପତ୍ନୀ ଏବଂ ଦୁଇ ପୁଅ ଗୁରୁତର ଭାବେ ଆହତ ହୋଇଛନ୍ତି।

ରାହାଜାନୀର ଶିକାର ହେବା ପରେ ଏ ନେଇ ସତ୍ୟବାଦୀ ଥାନାରେ ଅଭିଯୋଗ କରିଛନ୍ତି ବିଜୟ କୁମାର ବାରିକ। ବିଜୟଙ୍କ ଅଭିଯୋଗ ଆଧାରରେ ପୋଲିସ ଆଇପିସି ଧାରା ୩୯୩ ଓ ୩୪ ଆଧାରରେ ମାମଲା ରୁଜୁ କରିଛି। ବିଜୟ ବାରିକ ହେଉଛନ୍ତି ‘ଓଡ଼ିଶାଲାଇଭ୍’ର ଜଣେ କର୍ମଚାରୀ।

ଏହି ଘଟଣାକୁ ୨୪ ଘଣ୍ଟା ନପୂରୁଣୁ ଭୁବନେଶ୍ଵର-ପୁରୀ ରାଜପଥର ଚନ୍ଦନପୁର ବାଇପାସ ନିକଟରେ ଏହାର ପୁନରାବୃତ୍ତି ହୋଇଛି। ଭୁବନେଶ୍ଵର ଶିଶୁପାଳଗଡ଼ର ମାମା ସୁନ୍ଦରାୟ ତାଙ୍କ ଭାଇ ସହ ବାଇକରେ ପୁରୀ ଅଭିମୁଖେ ଯାଉଥିଲେ। ଚନ୍ଦନପୁର ବାଇପାସ ନିକଟରେ ସମାନ ଢଙ୍ଗରେ ଦୁଇ ଜଣ ଯୁବକ ବାଇକରେ ଆସି ମାମା ଓ ତାଙ୍କ ଭାଇ ଯାଉଥିବା ବାଇକକୁ ଧକ୍କା ଦେଇଥିଲେ। ଫଳରେ ସେମାନେ କିଛି ଦୂର ଛିଟିକି ପଡ଼ିଥିଲେ। ସେମାନଙ୍କଠାରୁ ମଧ୍ୟ ମୋବାଇଲ ଏବଂ ଟଙ୍କା ନେଇ ରାଜପଥ ଲୁଟେରା ଫେରାର ହୋଇଯାଇଥିଲେ।

ମାମା ଓ ତାଙ୍କ ଭାଇଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ନିକଟସ୍ଥ ସ୍ଵାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ପରେ ସେମାନଙ୍କୁ ପୁରୀ ଡାକ୍ତରଖାନାରେ ସ୍ଥାନାନ୍ତର କରାଯାଇଛି।

ପୋଲିସ ପାଖରେ ଖବର ନାହିଁ !

ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ପୁରୀ ଏବଂ କୋଣାର୍କ ଯିବା ଲାଗି ରହିଥିବା ଭୁବନେଶ୍ଵର-ପୁରୀ ଜାତୀୟ ରାଜପଥ ୩୧୬ ଏବେ ଅସୁରକ୍ଷିତ ହୋଇପଡ଼ିଛି। ଏହି ରାସ୍ତାରେ ପ୍ରତିଦିନ ଘଟୁଛି ରାହାଜାନୀ। ପ୍ରତିଦିନ ଲୁଟେରାଙ୍କ ଲୁଟର ଶିକାର ହେଉଛନ୍ତି ଏହି ରାସ୍ତା ଦେଇ ଯାତାୟତ କରୁଥିବା ଯାତ୍ରୀ। ବାରମ୍ବାର ଏହି ରାସ୍ତାରେ ରାହାଜାନୀ ଘଟୁଥିଲେ ମଧ୍ୟ ପୋଲିସ ଅପରାଧ ନିୟନ୍ତ୍ରଣ କରିବାରେ ବିଫଳ ହେଉଛି।

ବିଭିନ୍ନ ସମୟରେ ରାହାଜାନୀର ଶିକାର ହେଉଥିବା ଅନେକ ବ୍ୟକ୍ତି ଥାନାରେ ଅଭିଯୋଗ କରନ୍ତି ନାହିଁ ଏବଂ ଯେଉଁ କିଛି ବ୍ୟକ୍ତି ଅଭିଯୋଗ କରିବାକୁ ଆସନ୍ତି ଅଧିକାଂଶ ସମୟରେ ପୋଲିସ ସେମାନଙ୍କ ଅଭିଯୋଗ ଗ୍ରହଣ କରେ ନାହିଁ ବୋଲି ଅଭିଯୋଗ ହେଉଛି। ଯଦି ଭୁବନେଶ୍ଵର-ପୁରୀ ଭଳି ଏକ ଗୁରୁତ୍ଵପୂର୍ଣ୍ଣ ରାସ୍ତାରେ ପ୍ରତିଦିନ ଏଭଳି ଘଟଣା ଘଟିବ, ତେବେ ଯାତ୍ରୀ ଏହି ରାସ୍ତାରେ କେତେ ସୁରକ୍ଷିତ ବୋଲି ପ୍ରଶ୍ନ ଉଠିଛି। ପୋଲିସ ସବୁ କିଛି ଜାଣି ନୀରବ ରହୁଥିବା ସାଧାରଣରେ ଅଭିଯୋଗ ହେଉଛି।

ଭୁବନେଶ୍ଵର-ପୁରୀ ରାଜପଥରେ ଘଟୁଥିବା ରହାଜାନୀ ରୋକିବାକୁ ପଦକ୍ଷେପ ଗ୍ରହଣ କରିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଲାଗି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଏବଂ ପୁରୀ ଏସପିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ରାହାଜାନୀର ଶିକାର ହୋଇଥିବା ବ୍ୟକ୍ତିଙ୍କ ପରିବାର ଲୋକେ।

ତେବେ ଦେଖିବାକୁ ବାକି ରହିଲା ଭୁବନେଶ୍ଵର-ପୁରୀ ରାଜପଥରେ ନିୟମିତ ଘଟୁଥିବା ରାହାଜାନୀ ଘଟଣା ରୋକିବାକୁ ପୋଲିସ କି ପଦକ୍ଷେପ ନେଉଛି ଏବଂ ଅଭିଯୁକ୍ତଙ୍କୁ କେବେ କାବୁ କରୁଛି।

Tags: #Robbery #HighwayRobbery #Police #RoadAccident #BhubaneswarPuriHighway

LEAVE A REPLY

Please enter your comment!
Please enter your name here