ନୀଳାମ୍ବର ରଥ
ଭାରତର ବିଭିନ୍ନ ସଙ୍ଗୀତ ଧାରା ଭିତରେ ଓଡ଼ିଶୀ ଏକ ପ୍ରାଚୀନ ଓ ଶକ୍ତିଶାଳୀ ଧାରା ଭାବେ ପରିଚିତ। ଆଜି ଓଡ଼ିଆ ଭାଷା ଓ ସାହିତ୍ୟ ଶାସ୍ତ୍ରୀୟ ମର୍ଯ୍ୟାଦା ପାଇଛି। ସେହିପରି ଓଡ଼ିଶୀ ନୃତ୍ୟ ଅତୀତରେ ଶାସ୍ତ୍ରୀୟସ୍ତରକୁ ଯାଇ ଆଜି ଦେଶ ବିଦେଶରେ ଓଡ଼ିଶା ପାଇଁ ସାଂସ୍କୃତିକ ପରିଚୟ ହୋଇପାରିଛି। ତେଣୁ ଓଡ଼ିଶୀ ସଙ୍ଗୀତକୁ ଲୋକପ୍ରିୟ କରାଇବା ସହ ଏହାକୁ ନୂଆ ପିଢ଼ି ସହିତ ଯୋଡ଼ିବାକୁ ହେଲେ ଆମକୁ ଆଜି ଏହାକୁ ସାରା ରାଜ୍ୟରେ ପହଞ୍ଚାଇବାକୁ ହେବ ବୋଲି କହିଛନ୍ତି ବିଶିଷ୍ଟ ଓଡ଼ିଶୀ ସଙ୍ଗୀତ ଗୁରୁ ରାମହରି ଦାସ।
ଶୁକ୍ରବାର ଦିନ ଓଡ଼ିଶାଲାଇଭ୍ ଷ୍ଟୁଡିଓରେ ମିଡିଆର ସମ୍ପାଦକ ନୀଳାମ୍ବର ରଥଙ୍କ ସହ ଆଲୋଚନା ବେଳେ ଗୁରୁ ରାମହରି ଦାସ କହିଥିଲେ ଯେ ଆଜିର ଦିନରେ ଓଡ଼ିଶାର କଳାସଂସ୍କୃତି ଏବଂ ପର୍ଯ୍ୟଟନର ବିକାଶ ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଆଗ ଅପେକ୍ଷା ଏବେ ରାଜ୍ୟରେ ଅଧିକ ସଂଖ୍ୟାରେ ସାଂସ୍କୃତିକ ଇଭେଣ୍ଟ ଆୟୋଜିତ ହେଉଛି। ଏହା ମାଧ୍ୟମରେ ଓଡ଼ିଶାର ପ୍ରମୁଖ ସାଂସ୍କୃତିକ ଧାରା ଭିତରେ ଓଡ଼ିଶୀ ନୃତ୍ୟ ଏବଂ ବିଭିନ୍ନ ଲୋକକଳାର ପ୍ରସାର କରାଯାଉଛି। ତେଣୁ ସେହି ଢାଞ୍ଚାରେ ଓଡ଼ିଶୀ ସଙ୍ଗୀତର ପ୍ରଚାର ଓ ପ୍ରସାର ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏକ ଖସଡ଼ା ପ୍ରସ୍ତୁତ କରିବା ଆବଶ୍ୟକ ବୋଲି ଗୁରୁ ରାମହରି ଦାସ କହିଛନ୍ତି।
ଓଡ଼ିଶୀ ସଙ୍ଗୀତକୁ ଜିଲ୍ଲାସ୍ତରକୁ ନେବାକୁ ହେବ
ଆଜି ଓଡ଼ିଶୀ ନୃତ୍ୟ ଏବଂ ଅନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ମୁଖ୍ୟତଃ ରାଜଧାନୀ ଭୁବନେଶ୍ୱରରେ ସୀମିତ ହୋଇ ରହିଛି। ଓଡ଼ିଶୀ ନୃତ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ଓଡ଼ିଶୀ ସଙ୍ଗୀତ ଉପସ୍ଥାପିତ ହେଉଛି। କିନ୍ତୁ ଓଡ଼ିଶୀ ସଙ୍ଗୀତକୁ ସମୃଦ୍ଧ କରିବା ସହ ଏହାକୁ ଆଧୁନିକ ପିଢ଼ିର ଶ୍ରୋତାମାନଙ୍କ ସହ ଯୋଡ଼ିବାକୁ ହେଲେ ବର୍ଷର ବିଭିନ୍ନ ସମୟରେ ଏହାକୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯିବା ଆବଶ୍ୟକ। ତେବେ ଏହି ଆୟୋଜନ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ମଣ୍ଡପ ମଧ୍ୟରେ ସୀମିତ ରହିଲେ ଏହି ଲକ୍ଷ୍ୟ ବିଶେଷ ଫଳବତୀ ହେବ ନାହିଁ। ଓଡ଼ିଶୀ ସଙ୍ଗୀତକୁ ବିଭିନ୍ନ ଜିଲ୍ଲାସ୍ତରକୁ ନେଇ ପାରିଲେ ହିଁ ଏହି ପ୍ରାଚୀନ ତଥା ପ୍ରଭାବଶାଳୀ ସାଂସ୍କୃତିକ ଧାରା ବଞ୍ଚିବା ସହିତ ଆଗକୁ ବଢ଼ିବ ବୋଲି ଗୁରୁ ରାମହରି ଦାସ ଓଡ଼ିଶାଲାଇଭ୍କୁ କହିଛନ୍ତି।
ଓଡ଼ିଶୀ ସଙ୍ଗୀତ କ୍ଷେତ୍ରରେ ଦୀର୍ଘ ବର୍ଷର ସାଧନା ସହିତ ଅଧ୍ୟାପନା ପରେ ଗୁରୁ ରାମହରି ଦାସ ଏବେ ପୁରୀ ଜିଲ୍ଲାର ବୀର ଗୋବିନ୍ଦପୁର ନିକଟରେ ଏକ ଗୁରୁକୂଳ ଆଶ୍ରମ ପ୍ରତିଷ୍ଠା କରି ନୂଆପିଢ଼ିକୁ ଏହି କଳା ଶିକ୍ଷା ଦେଉଛନ୍ତି। ତେବେ ସେ ସ୍ୱୀକାର କରିଛନ୍ତି ଯେ ଆଜିର ଦିନରେ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ଦର୍ଶକମାନଙ୍କ ସଂଖ୍ୟା ସୀମିତ ହୋଇ ରହିଛି। ସଙ୍ଗୀତ ରସିକ ବା ଦର୍ଶକମାନଙ୍କ ସଂଖ୍ୟା ନ ବଢ଼ି କେବଳ କଳାକାରଙ୍କ ସଂଖ୍ୟା ବଢ଼ିଲେ କୌଣସି କଳାର ବାସ୍ତବ ପ୍ରସାର ସମ୍ଭବପର ନୁହେଁ। ତେଣୁ ଏକ ବିଧିବଦ୍ଧ ଖସଡ଼ା ପ୍ରସ୍ତୁତ କରି ଏବଂ ସେଥିପାଇଁ ଆବଶ୍ୟକ ବଜେଟର ବ୍ୟବସ୍ଥା କରି ଯଦି ରାଜ୍ୟର ବିଭିନ୍ନ ଜିଲ୍ଲାସ୍ତରରେ ସ୍ୱତନ୍ତ୍ର ଓଡ଼ିଶୀ ସଙ୍ଗୀତ କାର୍ଯ୍ୟକ୍ରମ କରାଯିବ ତେବେ ଏହି କଳା ଅଧିକରୁ ଅଧିକ ଲୋକଙ୍କ ସହ ଯୋଡ଼ି ହୋଇପାରିବ ବୋଲି କହିଛନ୍ତି ଗୁରୁ ରାମହରି ଦାସ।
ଭାରତରେ ରହିଛି ଆଠଟି ଶାସ୍ତ୍ରୀୟ ନୃତ୍ୟଧାରା। ତା’ଭିତରୁ ଗୋଟିଏ ହେଉଛି ଓଡ଼ିଶୀ। ସେହିପରି ଶାସ୍ତ୍ରୀୟ ସଙ୍ଗୀତ ଭିତରେ ହିନ୍ଦୁସ୍ତାନୀ ଓ କର୍ଣ୍ଣାଟକୀ ଧାରାର ପ୍ରଚଳନ ରହିଛି। ତେବେ ଓଡ଼ିଶାର ସୌଭାଗ୍ୟ ଏହା ଯେ ଆମର ନୃତ୍ୟର ନାଁ ଓଡ଼ିଶୀ ଏବଂ ଏହି ନୃତ୍ୟ ସହ ଯୋଡ଼ି ହୋଇଥିବା ସଙ୍ଗୀତର ନାମ ମଧ୍ୟ ଓଡ଼ିଶୀ। ବାସ୍ତବରେ ଓଡ଼ିଶୀ ସଙ୍ଗୀତ ଅନେକ ଦିଗରୁ ହିନ୍ଦୁସ୍ତାନୀ ଏବଂ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତଠାରୁ ସ୍ୱତନ୍ତ୍ର। ଏହି ଭିନ୍ନତା ହେଉଛି ଓଡ଼ିଶୀ ସଙ୍ଗୀତର ସବୁଠାରୁ ବଡ଼ ପରିଚୟ ବୋଲି ରାମହରି ଦାସ କହିଛନ୍ତି।
ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମର୍ଯ୍ୟାଦା
ଓଡ଼ିଆ ଭାଷା ଆଜି ଶାସ୍ତ୍ରୀୟ ମାନ୍ୟତା ପାଇଛି। ଏହା ଆମ ପାଇଁ ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ବିଶେଷ ପରିଚୟ ଆଣିଦେଇଛି। ସେହିପରି ଓଡ଼ିଶୀ ନୃତ୍ୟ ଶାସ୍ତ୍ରୀୟତା ପାଇବା ଫଳରେ ଭାରତୀୟ ନୃତ୍ୟ ପରମ୍ପରା ଭିତରେ ଏହାକୁ ଏକ ସ୍ୱତନ୍ତ୍ର ଆସନ ମିଳିଛି। ସେହି ଦୃଷ୍ଟିରୁ ଦେଖିବାକୁ ଗଲେ ଓଡ଼ିଶୀ ସଙ୍ଗୀତକୁ ମଧ୍ୟ ମିଳିବା ଦରକାର। ଯଦିଓ ଆଜିର ଦିନରେ ଆମେ କୌଣସି ଶାସ୍ତ୍ରୀୟ ପରିଚୟ ବା ଟ୍ୟାଗ୍ ନ ପାଇଲେ କିଛି ବଡ଼ କ୍ଷତି ହୋଇଯିବ ସେଭଳି କଥା ନାହିଁ। ତେବେ ବି ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ସଙ୍ଗୀତ ଭାବେ ଜାତୀୟସ୍ତରରେ ଗ୍ରହଣୀୟ କରାଇପାରିଲେ ନିଶ୍ଚିତ ଭାବରେ ଏହା ନୂଆ ପିଢ଼ିର କଳାକାରମାନଙ୍କୁ ଏହି ସର୍ଜନାତ୍ମକ ଦିଗ ପ୍ରତି ଆକର୍ଷିତ ଓ ପ୍ରୋତ୍ସାହିତ କରିବ।
ତେଣୁ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ସଙ୍ଗୀତର ଆସନ ଦେବା ପାଇଁ ଆଜି ପ୍ରମୁଖ କଳାକାର, କଳା ସଙ୍ଗଠକ, ଗଣମାଧ୍ୟମ ଏବଂ ସରକାର ଆଗେଇ ଆସିବା ଦରକାର ବୋଲି କହିଛନ୍ତି ଗୁରୁ ରାମହରି ଦାସ। ଏ କ୍ଷେତ୍ରରେ ଅନେକ ଗବେଷଣା, ଡକ୍ୟୁମେଣ୍ଟେସନ୍ ଏବଂ ଉପସ୍ଥାପନାର ଆବଶ୍ୟକତା ରହୁଥିବାରୁ ଏହି କାର୍ଯ୍ୟ କରିବା ପାଇଁ ସରକାରଙ୍କ ସଂସ୍କୃତି ବିଭାଗ ଆଗେଇ ଆସିବା ଦରକାର ବୋଲି ସେ ପରାମର୍ଶ ଦେଇଛନ୍ତି।
ଓଡ଼ିଶୀ ସଙ୍ଗୀତ ଗୋଟିଏ ସମୟରେ ମୁଖ୍ୟତଃ ପ୍ରାଚୀନ ରଚନା ଉପରେ ଆଧାରିତ ଥିଲା। ଜୟଦେବଙ୍କ ଗୀତଗୋବିନ୍ଦ ସହିତ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥ ପ୍ରମୁଖଙ୍କ ସାହିତ୍ୟ ଉପରେ ଆଧାରିତ ଥିଲା ଏହି କଳା। ତେବେ ପରବର୍ତ୍ତୀ ସମୟରେ ବିଭିନ୍ନ ଆଧୁନିକ କବିଙ୍କ ଲେଖାକୁ ନେଇ ଓଡ଼ିଶୀ ସଙ୍ଗୀତରେ ପରୀକ୍ଷା ନିରୀକ୍ଷା କରାଯାଇଛି। ସେହିପରି ସମସାମୟିକ ବିଷୟ ଉପରେ ଆଧାରିତ ବିଭିନ୍ନ ଓଡ଼ିଶୀ ନୃତ୍ୟ ନାଟିକା ଲାଗି ନୂଆପିଢ଼ିର ଲେଖକମାନେ ସ୍କ୍ରିପ୍ଟ ପ୍ରସ୍ତୁତ କରୁଛନ୍ତି। ଏହାଛଡ଼ା ସମୟ ସହ ତାଳ ଦେଇ ଓଡ଼ିଶୀ ସଙ୍ଗୀତରେ କିଛିଟା ବିବର୍ତ୍ତନ ହୋଇଛି ବୋଲି ଗୁରୁ ରାମହରି ଦାସ ଓଡ଼ିଶାଲାଇଭ୍କୁ କହିଛନ୍ତି।
ଓଡ଼ିଶୀ ସଙ୍ଗୀତର ପାଞ୍ଚ ନାୟକ
ଏହି ଅବସରରେ ଓଡ଼ିଶୀ ସଙ୍ଗୀତକୁ ସ୍ୱତନ୍ତ୍ର ପରିଚୟ ଦେଇଥିବା ଏବଂ ପ୍ରତିଷ୍ଠା କରିଥିବା ୫ ଜଣ ଗୁରୁଙ୍କୁ ସେ ମନେ ପକାଇଥିଲେ। ସେମାନେ ହେଲେ ସିଂହାରୀ ଶ୍ୟାମସୁନ୍ଦର କର, ପଣ୍ଡିତ ନୃସିଂହନାଥ ଖୁଣ୍ଟିଆ, ପଣ୍ଡିତ କାଶୀନାଥ ପୂଜାପଣ୍ଡା, ଆଚାର୍ଯ୍ୟ ତାରିଣୀଚରଣ ପାତ୍ର ଏବଂ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ । ସେମାନଙ୍କୁ ରାମହରି ଦାସ ପାଞ୍ଚ ନାୟକ ଭାବେ ବରଣ କରିଥିଲେ। ସେହିପରି ପରବର୍ତ୍ତୀ ସମୟରେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ, ପଣ୍ଡିତ ନୀଳମାଧବ ପାଣିଗ୍ରାହୀ, ଗୁରୁ ଦାମୋଦର ହୋତା ଏବଂ ଗୁରୁ ଗୋପାଳଚନ୍ଦ୍ର ପଣ୍ଡାଙ୍କର ମଧ୍ୟ ଏ କ୍ଷେତ୍ରରେ ବଡ଼ ଅବଦାନ ରହିଛି ବୋଲି ସେ କହିଛନ୍ତି।
ଡିଜିଟାଲ୍ ମିଡିଆରେ ଓଡ଼ିଶୀ ସଙ୍ଗୀତ
କଳା ଓ ସଂସ୍କୃତିର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଗଣମାଧ୍ୟମର ବଡ଼ ଭୂମିକା ରହିଛି। ତେଣୁ ଯେତେବେଳେ ଯେଉଁ ମିଡିଆ ଅଧିକରୁ ଅଧିକ ଲୋକଙ୍କୁ ନିଜ ସହିତ ଯୋଡ଼ି ପାରୁଛି ସେହି ମିଡିଆରେ କଳା ସଂସ୍କୃତି ସମ୍ପର୍କରେ ଅଧିକ ତଥ୍ୟ, ଆଲୋଚନା ଏବଂ ପ୍ରସାର ପାଇଁ ସୁଯୋଗ ସୃଷ୍ଟି ହେବା ଦରକାର। ତେଣୁ ଆଜିର ଡିଜିଟାଲ୍ ମିଡିଆ ଯୁଗରେ ୱେବ୍, ସୋସିଆଲ୍ ମିଡିଆ ଏବଂ ମୋବାଇଲ୍ ମିଡିଆ ମାଧ୍ୟମରେ କିଭଳି ଓଡ଼ିଶାର କଳା ଓ ସଂସ୍କୃତିର ଉପସ୍ଥାପନ ହୋଇପାରିବ ତାହା ଉପରେ ଗୁରୁତ୍ୱ ଦେବାର ସମୟ ଆସିଛି ବୋଲି କହିଛନ୍ତି ଗୁରୁ ରାମହରି ଦାସ।
ଓଡ଼ିଶୀ ସଙ୍ଗୀତର ରହିଛି ବିଭିନ୍ନ ବିଭାଗ ଓ ସ୍ୱାତନ୍ତ୍ର୍ୟ। ଏହା ମୁଖ୍ୟତଃ ଗୁରୁ ଏବଂ ଓଡ଼ିଶୀ କଳାକାରମାନଙ୍କ ସଫଳ ଉପସ୍ଥାପନା ମାଧ୍ୟମରେ ଲୋକଙ୍କ ଲୋକପ୍ରିୟତା ହାସଲ କରେ ତଥା ଗୋଟିଏ ପିଢ଼ି ପରେ ଆଉ ଗୋଟିଏ ପିଢ଼ି ପାଖରେ ପହଞ୍ଚିଥାଏ। ତେବେ ଆଜିର ଡିଜିଟାଲ୍ ଯୁଗରେ ଓଡ଼ିଶୀ ସଙ୍ଗୀତର ଏହି ବିଭିନ୍ନ ବିଷୟକୁ ଲେଖା ଏବଂ ଅଡ଼ିଓ ଭିଜୁଆଲ୍ ମାଧ୍ୟମରେ ସଂରକ୍ଷଣ ତଥା ପ୍ରସାରଣ କରାଗଲେ ଏହା ଭବିଷ୍ୟତ ପିଢ଼ି ପାଇଁ ସୂଚନା ଓ ପ୍ରେରଣା ହୋଇପାରିବ ବୋଲି ଓଡ଼ିଶାର ଅଗ୍ରଣୀ ଡିଜିଟାଲ୍ ପ୍ଲାଟଫର୍ମ ଓଡ଼ିଶାଲାଇଭ୍ର ସମ୍ପାଦକଙ୍କ ସହ ଆଲୋଚନା ବେଳେ ଗୁରୁ ରାମହରି ଦାସ କହିଛନ୍ତି।
ଓଡ଼ିଶୀ ସଙ୍ଗୀତ ସାଧନା, ଅଧ୍ୟାପନା ଏବଂ କଳା ସଙ୍ଗଠନ କ୍ଷେତ୍ରରେ ରାମହରି ଦାସ ଆଜି ଜଣେ ବେଶ୍ ପରିଚିତ ନାଁ। ରାଜ୍ୟ ଭିତରେ ତଥା ଦେଶ ଏବଂ ଦେଶ ବାହାରେ ଓଡ଼ିଶୀ ସଙ୍ଗୀତ ପରିବେଷଣ କରି ସେ ପାଇଛନ୍ତି ବିଶେଷ ଖ୍ୟାତି। ତାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ମଧ୍ୟ ଅନେକ ଓଡ଼ିଶୀ ପ୍ରଡକ୍ସନ ପ୍ରସ୍ତୁତ ହୋଇ ଦର୍ଶକ ଓ ଶ୍ରୋତାମାନଙ୍କ ଆଦର ପାଇପାରିଛି। ଆଜିର ଦିନରେ ଓଡ଼ିଶୀ ସଙ୍ଗୀତକୁ ନୂଆ ଉଚ୍ଚତାକୁ ନେବା ସହିତ ସଙ୍ଗୀତ ସାଧନାରେ ନିଜକୁ ମଗ୍ନ କରିଥିବା ଗୁରୁମାନଙ୍କ ମଧ୍ୟରେ ଆଗଧାଡ଼ିରେ ରହିବେ ଗୁରୁ ରାମହରି ଦାସ।