ଓଡ଼ିଶାଲାଇଭ୍ ବ୍ୟୁରୋ

ଜୀବନାନନ୍ଦ ପାଣି କେବଳ ଜଣେ ଓଡ଼ିଆ ଗୀତିକବି ନୁହଁନ୍ତି ସେ ପ୍ରତିଷ୍ଠିତ କଥାଚିତ୍ର ଗୀତିକାର ମଧ୍ୟ। ଅନୁବାଦ ସାହିତ୍ୟ କ୍ଷେତ୍ରରେ ମଧ୍ୟ ତାଙ୍କର ପ୍ରବେଶ ରହିଥିଲା ଓ ଏଥିପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ। ଓଡ଼ିଆ ଅସ୍ମିତା କ୍ଷେତ୍ରରେ ଜୀବନ ପାଣିଙ୍କ ଅବଦାନକୁ ଅସ୍ୱୀକାର କରିହେବ ନାହିଁ। ତାଙ୍କରି ଉଦ୍ୟମରେ ହିଁ ବାରିପଦାଠାରେ ଛଉ ନୃତ୍ୟ ତାଲିମ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା।
ଜୀବନାନନ୍ଦ ୧୯୩୩ ମସିହାରେ ବାରିପଦାରେ ଜନ୍ମଗ୍ରହଣ କରିଥିଲେ। ସେ ଥିଲେ ବିଜ୍ଞାନର ଛାତ୍ର, କିନ୍ତୁ ଭାଷା ସାହିତ୍ୟ କ୍ଷେତ୍ରରେ ତାଙ୍କର ଗଭୀର ଜ୍ଞାନ ରହିଥିଲା। ସେ କବିତା ଲେଖୁଥିଲେ। ତାଙ୍କର ପ୍ରଥମ ଗୀତିକବିତା ସଂକଳନର ନାମ ଥିଲା “ସେ ଗାଁଆର କିଆଫୁଲ”। ସ୍ପାନିସ କବି “ଫ୍ରେଡରିକ ଗ୍ରାସିଆ ଲୋରସା”ଙ୍କ କବିତାକୁ ଅନୁବାଦ କରି ସେ ୧୯୯୭ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ।
ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗରେ ପ୍ରଥମେ ସେ ନିଜ ଚାକିରି ଜୀବନ ଆରମ୍ଭ କରିଥିଲେ। ୧୯୭୦ମସିହାରେ ସେ ଦିଲ୍ଲୀସ୍ଥିତ “ସଙ୍ଗୀତ ନାଟକ ଏକାଡେମୀ”ରେ ନିଯୁକ୍ତି ପାଇଥିଲେ। କଥକ କେନ୍ଦ୍ରର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ ଜୀବନ ପାଣି । ୧୮ବର୍ଷ କାର୍ଯ୍ୟ ସମ୍ପାଦନ କରିବା ପରେ ସେଠାରୁ ସେ ଅବସର ନେଇଥିଲେ। ଦିଲ୍ଲୀ ରହଣି କାଳରେ ମଧ୍ୟ ଛଉ ନାଚର ପ୍ରସାର ପାଇଁ ସେ ଉଦ୍ୟମ କରିଥିଲେ।
୧୯୫୦ ଦଶକ ବେଳକୁ ଆକାଶବାଣୀ କଟକର ସ୍ଵୀକୃତିପ୍ରାପ୍ତ ଗୀତିକାର ମର୍ଯ୍ୟଦା ପାଇ ସାରିଥିଲେ। ସେ ଥିଲେ ଚଳଚ୍ଚିତ୍ର ‘ଅରୁନ୍ଧତୀ’ର ଗୀତିକାର। ୧୯୬୭ ମସିହାରେ ନିର୍ମିତ ଚଳଚ୍ଚିତ୍ର ଅରୁନ୍ଧତୀର ଗୀତଗୁଡ଼ିକୁ ଶାନ୍ତନୁ ମହାପାତ୍ର ସୂର ଦେଇଥିଲେ ଓ ଲତା ମଙ୍ଗେସକର, ମହମ୍ମଦ ରଫି ଆଦି କଣ୍ଠଦାନ କରିଥିଲେ।
ଅରୁନ୍ଧତୀର ଗୀତିକାର ଭାବେ ପରିଚିତ ହେଲା ପରେ ସେ ଆଉ ପଛକୁ ଫେରିନଥିଲେ।୧୯୯୮ ମସିହା ମାର୍ଚ୍ଚ ୧ ତାରିଖରେ ଜୀବନାନନ୍ଦଙ୍କର ତିରୋଧାନ ଘଟିଥିଲା। ତାଙ୍କର ଏକ ବହୁ ଚର୍ଚ୍ଚିତ କବିତା: କିଏ ଯେମିତି କାନ୍ଦି ପାରୁନି/ଖସି ଆସୁଚି ଉଦାର/ରା କୋମଳ ଧୈବତ୍ ଯାଏଁ.. ଏବଂ ନିର୍ଜନ ଡାକ ବଙ୍ଗଳାର ସେଇ ଦରବାରି କାନାଡାର ଛମ୍ ଛମ୍ ନୀରବତା/ଶୂନଶାନ ଡାକ ବଙ୍ଗଳାରେ ଅଧରାତି ଟପି ମୁଁ ଶୁଣିଚି /ମୋ ନିଜର ନିଶ୍ୱାସ /ସତେ ଯେମିତି କୋମଳ ନିଷାଦ, ଷଡଜ ଓ ଶୁଦ୍ଧ ରିଷଭକୁ ଟପି ମୁଁ ଝୁଲୁଚି ଳଘୁ ଗାନ୍ଧାରରେ ଅସହାୟ। ଜୁନ ୭ ତାରିଖ ୧୯୬୦ରେ ଜୀଵନ ପାଣି ସୁନ୍ଦରଗଡ଼ରେ ଥିବାବେଳେ ଏହି କବିତା ଲେଖିଥିଲେ।
ଜୀବନ ପାଣି ଅନେକ ଗୁଡ଼ିଏ ଇଂରେଜୀ ପୁସ୍ତକ ବି ରଚନା କରିଛନ୍ତି। ‘ସେଲିବ୍ରେସନ ଅଫ ଲାଇଫ -ଇଣ୍ଡିଆଜ ଫୋକ ଟ୍ରାଡ଼ିସନ୍’ ଓ ‘ବ୍ୟାକ ଟୁ ରୁଟ୍ସ’ ସେଥି ଭିତରୁ ଦୁଇଟି। ଜୀବନ ପାଣିଙ୍କ ସ୍ମୃତିରେ ତାଙ୍କ ନାମରେ ନାମିତ ଟ୍ରଷ୍ଟ ପକ୍ଷରୁ ପ୍ରତିବର୍ଷ ଦିଲ୍ଲୀରେ ସ୍ମାରକୀ ବକ୍ତୃତା ମାଳା ଆୟୋଜନ କରାଯାଇଥାଏ।













