ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

 ଓଡ଼ିଶାଲାଇଭର ସ୍ୱତନ୍ତ୍ର ସାକ୍ଷାତକାରରେ ଅଭିନେତା, ଗୀତିକାର, ନିର୍ଦ୍ଦେଶକ ଏବଂ ପ୍ରଯୋଜକ ଶ୍ରୀକାନ୍ତ ଗୌତମ।

ବାଟରେ ଚାଲୁ ଚାଲୁ, ନିଝୁମ ରାତିର ସହରରେ, ଆଇନା, ହେ ସମୟ – ଏମିତି ଅନେକ ଏଭରଗ୍ରୀନ ଗୀତ ଯିଏ ଶ୍ରୋତାଙ୍କୁ ଭେଟି ଦେଇଛନ୍ତି ସେ ହେଲେ ଶ୍ରୀକାନ୍ତ ଗୌତମ। ସେ ଏକାଧାରରେ ଜଣେ ଅଭିନେତା, ଗୀତିକାର, ନିର୍ଦ୍ଦେଶକ ଏବଂ ପ୍ରଯୋଜକ।

ଆପଣ ଶ୍ରୀକାନ୍ତ ନନ୍ଦରୁ ଶ୍ରୀକାନ୍ତ ଗୌତମ କେମିତି ହେଲେ?

ଯେତେବେଳେ ସିନେମାରେ ସକ୍ରିୟ ଭାବେ କାମ କରୁଥିଲି, ସେତେବେଳେ ମୋ ସାଙ୍ଗମାନେ ନାଁ ବଦଳେଇବାକୁ କହୁଥିଲେ। ବଲିଉଡ ବଡ଼ ବଡ଼ ଷ୍ଟାରମାନେ ନିଜ ଅସଲ ନାଁ ବଦଳଇେ ଅଲଗା ନାଁରେ ପରିଚିତ ହୋଇଛନ୍ତି। ତେଣୁ ମୁଁ ବି ଭାବିଲି ମୋ ନାଁ ଟା ବଦଳଳେଇବି। ଅଭିନୟ ଛାଡ଼ି ଯେତେବେଳେ ଗୀତ ଲେଖିବା ଆରମ୍ଭ କଲି ଓ ମୋର ପ୍ରଥମ ଭଜନ କ୍ୟାସେଟ ‘ଶରଧାବାଲି’ ବଜାରକୁ ଆସିଲା। ସେତେବେଳେ ଶ୍ରୀକାନ୍ତ ଗୌତମ ନାଁରେ ହିଁ କ୍ୟାସେଟ୍‌ ଛାଡ଼ିଥିଲି। ସେ କ୍ୟାସେଟ ହିଟ୍‌ ହୋଇଥିଲା, ଲୋକ ମତେ ଏଇ ନାଁରେ ଚିହ୍ନିଲେ।

ସିନେମା ଇଣ୍ଡଷ୍ଟ୍ରିକୁ କେମିତି ଆସିଥିଲେ?

ସିନେମା ସହ ମୋର ପିଲାବେଳୁ ପରିଚୟ। ଘରେ ସମସ୍ତେ ସିନେମା ଓ ନାଟକକୁ ପସନ୍ଦ କରୁଥିଲେ। ବଡ଼ ଭାଇ ପ୍ରଶାନ୍ତ ନନ୍ଦ ମଧ୍ୟ ସିନେମାରେ ଅଭନୟ କରୁଥିଲେ। ତେଣୁ ମୁଁ ବି କେତେବେଳେ ଏହି ଇଣ୍ଡଷ୍ଟ୍ରିକୁ ପଶିଆସିଲି ଜାଣିପାରିଲିନି। ‘ମାଟିର ମଣିଷ’ ଭଳି ଆହୁରି ଅନେକ ଫିଲ୍ମରେ ଶିଶୁ କଳାକାର ଭାବେ କାମ କରିବାର ସୁଯୋଗ ପାଇଥିଲି। ଫିଲ୍ମ ‘ମଥୁରା ବିଜୟ’ରେ ଶ୍ରୀକୃଷ୍ଣଙ୍କ ଚରିତ୍ର ମୋ କ୍ୟାରିୟରକୁ ଏକ ନୂଆ ଦିଗ ଦେଇଥିଲା।

ଅଳ୍ପ କିଛି ଫିଲ୍ମ କରିବା ପରେ ପରଦାରୁ ଦୂରେଇ ଗଲେ କାହିଁକି?

‘ବଗୁଲା ବଗୁଲି’, ‘ଏଇ ଆଖି ଆମ ସାକ୍ଷୀ’, ‘ପଞ୍ଚୁ ପାଣ୍ଡବ’, ‘ଯା ଦେବୀ ସର୍ବ ଭୂତେଷୁ’, ‘ପାଚେରୀ ଉଠିଲା ମଝି ଦୁଆରୁ’ ଆଦି ଫିଲ୍ମରେ ମୁଁ ଅଭିନୟ କରିବାର ସୁଯୋଗ ପାଇଥିଲି। ସେତେବେଳେ ମୋ ବଡ଼ ଭାଇନା ପ୍ରଶାନ୍ତ ନନ୍ଦ, ବିଜୟ ମହାନ୍ତି, ଶ୍ରୀରାମ ପଣ୍ଡା, ଉତ୍ତମ ମହାନ୍ତି ପରଦାରେ ରାଜ୍‌ କରୁଥିଲେ। ଓଡ଼ିଶାରେ ଖବ୍‌ କମ ସିନେମା ମଧ୍ୟ ହେଉଥିଲା। ତେଣୁ ମୋ ଭାଗରେ ସିନେମା ଏତେଟା ଆସୁନଥିଲା। ତେଣୁ ସିନେମାକୁ ଅପେକ୍ଷା କରି ବସି ପାରିନଥାନ୍ତି। ତେଣୁ ମୁଁ ନିଜ ଭିତରେ ଆଉ ଏକ ପ୍ରତିଭାକୁ ଆବିଷ୍କାର କଲି। ତେଣୁ ଗୀତ ଲେଖିଲି। ଗୀତ ମତେ କୋଉଠି ପହଁଚାଇବ ତା’ ବି ଜାଣି ନଥାଏ। କିନ୍ତୁ ଲେଖା ଆରମ୍ଭ କଲି। ମୋର ସୌଭାଗ୍ୟ ଯେ, ମୋର ପ୍ରଥମ ଭଜନ କ୍ୟାସେଟ ବେଶ୍‌ ସୁପରହିଟ୍‌ ହୋଇଥିଲା। ଏହି ସଫଳତାକୁ ମତେ ଆହୁରି ଗୀତ ଲେଖିବାକୁ ପ୍ରେରଣା ଦେଇଥିଲା। ତେଣୁ ସିନେମାରୁ ଦୂରେଇ ଗଲି।

‘ସନ୍‌ ମ୍ୟୁଜିକ’ ନାଁରେ ନିଜର ପ୍ରଡକ୍ସନ ହାଉସ୍‌ କଥା କେତେବେଳେ ଭାବିଲେ?

ପ୍ରଥମେ ମୁଁ ଗୀତ କରି ଟି’ ସିରିଜ୍‌କୁ ବିକ୍ରି କରି ଦେଉଥିଲି। ପରେ ଅନୁଭବ କଲି ଏ ହେଉଛି କଳାକାରର ନିଜ ସମ୍ପତ୍ତି, ତ ଅନ୍ୟକୁ ବିକ୍ରି କାହିଁକି କରିବି? ତେଣୁ ମୁଁ ନିଜର କମ୍ପାନି ଖୋଲିବାକୁ ଭାବିଲି। ତେଣୁ ୧୯୯୧ ମସିହାରେ ‘ସନ୍‌ ମ୍ୟୁଜିକ’ ଆରମ୍ଭ କଲି। ଏ ଥିଲା ସବୁଠୁ ବଡ଼ ନିଷ୍ପତ୍ତି। ଏଥିପାଇଁ ବହୁତ ସଂଘର୍ଷ କରିବାକୁ ପଡ଼ିଲା। ପ୍ରାୟ ୪/୫ ବର୍ଷ ପରେ ସନ୍ ମ୍ୟୁଜିକ ଓଡ଼ିଶାର ଗୋଟିଏ ଜଣାଶୁଣା ମ୍ୟୁଜିକ କମ୍ପାନି ଭାବେ ଲୋକପ୍ରିୟତା ହାସଲ କରିଥିଲା।

ଆପଣଙ୍କ ଗୀତରେ ସରୋଜ ନନ୍ଦ ନିର୍ଦ୍ଦେଶନା ଦେଉଥିଲେ। ତାଙ୍କ ସହ ପରିଚୟ କେମିତି ହେଲା?

ମୋର ଲେଖା ଆଉ ସରୋଜ ନନ୍ଦଙ୍କ ନିର୍ଦ୍ଦେଶନାରେ ଅନେକ ଗୁଡ଼ିଏ ଗୀତ ହିଟ୍‌ ହୋଇଥିଲା। ପ୍ରକୃତରେ ଯେତେବେଳେ ଟି’ ସିରିଜ ସହ ମୁଁ କାମ କରୁଥିଲି, ସେତିକିବେଳେ ସରୋଜ ନନ୍ଦଙ୍କ ସହ ପରିଚୟ ହୋଇଥିଲା। ପ୍ରଥମ ଦେଖା ଦିନ ସରୋଜ ବାବୁଙ୍କ ସାଙ୍ଗରେ କିବୋର୍ଡ ଟିଏ ଆଣିଥିଲେ। ଆମେ ସାଙ୍ଗେ ସାଙ୍ଗେ ବସି କିଛି ଗୀତ ଆଉ ସ୍ୱର କଲୁ। ଏମିତି ଗୋଟିଏ ପରେ ଗୋଟିଏ ଗୀତ ଚାଲିଥାଏ। ପରବର୍ତ୍ତୀ ସମୟରେ ଆମେ ମିଶିକି ଆହୁରି ବହୁତ ଗୀତ କଲୁ।

‘ହେ ସମୟ’ ଆପଣଙ୍କ ଲିଖିତ ଏକ ଅତି ଲୋକପ୍ରିୟ ଗୀତ। ଏହି ଗୀତ ପଛରେ କ’ଣ କାହାଣୀ ଥିଲା?

‘ହେ ସମୟ’ ଗୀତଟି ମୋର ମଧ୍ୟ ବହୁତ ପ୍ରିୟ। ପିଲାବେଳ ସମସ୍ତଙ୍କ ଖୁବ୍‌ ନିଆରା। ସେ ଦିନର ହସ, ମଜା, ସାଙ୍ଗସାଥୀ ଜୀବନରେ କେବେ ଆଉ ଫେରେନି। ବଡ଼ ହୋଇଗଲା ପରେ ପିଲାବେଳ କେବଳ ସ୍ମୃତି ହୋଇ ରହିଯାଏ। ତେଣୁ ସେଇ ସ୍ମୃତିକୁ ସମସ୍ତଙ୍କୁ ମନେ ପକାଇଦେବାକୁ ଏ ଗୀତ ଲେଖିଥିଲି। ଗୀତଟି ଲେଖା ହେବାର ବହୁତ ବର୍ଷ ପରେ ଏହା ବଜାରକୁ ଆସିଥିଲା। ତାହା ଅନେକଙ୍କୁ ଛୁଇଁଥିଲା। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏ ଗୀତଟିକୁ ସରୋଜ ନନ୍ଦ, ମଳୟ ମିଶ୍ରଙ୍କ ଭଳି ନିର୍ଦ୍ଦେଶକ ସେ ସମୟରେ ଅଣଦେଖା କରିଥିଲେ। କାରଣ ସେମାନଙ୍କୁ ଲାଗିଥିଲା ଏ ଗୀତଟି ଚାଲିବନି। ଶେଷରେ ଶାନ୍ତିରାଜ ଖୋସଲା ଏ ଗୀତର ନିର୍ଦ୍ଦେଶନା ଦେଇଥିଲେ।

ଆଜିର ମ୍ୟୁଜିକ ଭିଡିଓ କଳାକାର ତିଆରି କରିପାରିବ କି?

ସେତେବେଳେ ଓଡ଼ିଶାର ଆଲବମ ଇଣ୍ଡଷ୍ଟ୍ରି ବେଶ ମଜଭୁତ ଥିଲା। କଳାକାର ତିଆରି କରିବାରେ ସାହାଯ୍ୟ କରୁଥିଲା। ଅନୁଭବ, ସବ୍ୟସାଚୀ, ଉଷାଶୀ, ଜ୍ୟୋତି, ମେଘନା ଏମାନେ ସମସ୍ତେ ଆଲବମରୁ ଫିଲ୍ମକୁ ଆସିଛନ୍ତି। ଆଜି ଆଲବମର ଜାଗା ମ୍ୟୁଜିକ ଭିଡିଓ ନେଇଛି ସତ, କିନ୍ତୁ ଏହା କଳାକାର ତିଆରି କରିପାରିବନି। କାରଣ ଏବେ କଳାକାରଙ୍କୁ ଏଥିରେ ଅଭିନୟ କରିବାର ସୁଯୋଗ ନାହିଁ। ଅଧିକାଂଶ କାମ କ୍ୟାମେରା ଓ ଟେକନୋଲୋଜି କରୁଛି।

Tags: #Entertainment #Music #Cinema #OllywoodIndustry #SrikantaGoutam

Comment