ଓଡ଼ିଶାଲାଇଭ୍ ବ୍ୟୁରୋ

  • କାଦୁଅ ଛଟାଛଟି ଦୁଇ ଗୋଷ୍ଠୀ
  • ମୋ ଜୀବନ ପ୍ରତି ବିପଦ ଅଛି: ମନୋଜ ମିଶ୍ର
  • ଲିଉଡ କଳିରେ ପଶିଲା ରାଜନୀତି
  • ମନୋଜ ମିଶ୍ରଙ୍କୁ ଓଡ଼ିଆ ସିନେମାରୁ ଦୁଇ ବର୍ଷ ବାସନ୍ଦ

ଘନେଇବାରେ ଲାଗିଛି ଓଲିଉଡ କଳାକାରଙ୍କ କଳି। ଅଭିନେତା ମନୋଜ ମିଶ୍ରଙ୍କୁ ଓଡ଼ିଆ ସିନେମାରୁ ୨ ବର୍ଷ ବାସନ୍ଦ କରାଯିବାକୁ ନେଇ ଓଡ଼ିଆ ସେନେମା ଇଣ୍ଡଷ୍ଟ୍ରିଜ ହୋଇଛି ଦୁଇଫାଳ।

ଅଭିନେତା ମନୋଜ ମିଶ୍ରଙ୍କୁ ଓଲିଉଡ ସିନେ ପ୍ରଯୋଜକ ସଂଘର ବ୍ୟାନ ପ୍ରସଙ୍ଗ ଏବେ ବଢ଼ିବାରେ ଲାଗିଛି। ଅଭିନେତା ମନୋଜ ମିଶ୍ର ଏବଂ ଓଲିଉଡର କିଛି କଳାକାର ଏବଂ ପ୍ରଯୋଜକଙ୍କ ମଧ୍ୟରେ ଆରମ୍ଭ ହୋଇଛି ବାକ୍ ଯୁଦ୍ଧ। ଏହା ଏତିକିରେ ସୀମିତ ହୋଇ ରହିନାହିଁ। ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି।

ମନୋଜ-ଅନୁଭବ ମୁହାଁମୁହିଁ

ଅଭିନେତା ମନୋଜ ମିଶ୍ରଙ୍କୁ ବାସନ୍ଦ କରାଯିବା ପ୍ରସଙ୍ଗରେ ସୋସିଆଲ ମିଡିଆରେ ମୁହାଁମୁହିଁ ହୋଇଥିଲେ ଅଭିନେତା ଅନୁଭବ ମହାନ୍ତି ଏବଂ ମନୋଜ। ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ମନୋଜ ମିଶ୍ରଙ୍କୁ ସମାଲୋଚନା କରିବା ସହ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିଜର ଏକତାକୁ ନଷ୍ଟ ନକରିବାକୁ ଅନୁରୋଧ କରିଥିଲେ। କେବଳ ସେତିକି ନୁହେଁ ମନୋଜଙ୍କ ବ୍ୟକ୍ତିଗତ ପ୍ରସଙ୍ଗକୁ ମଧ୍ୟ ସେ ଟାର୍ଗେଟ କରିଥିଲେ।

ଏହା ପରେ ଅନୁଭାବଙ୍କୁ ଜବାବ ଦେଇଥିଲେ ମୋନଜ। ମନୋଜ କହିଥିଲେ କିଛି ଲୋକ ସେମାନଙ୍କ ମଧ୍ୟରେ ଝଗଡ଼ା ଲଗାଇବାକୁ ଚକ୍ରାନ୍ତ ଚଳାଇଛନ୍ତି। ଏ ସମ୍ପର୍କରେ ସେ ଫୋନକଲ ଏବଂ ମେସେଜ ମାଧ୍ୟରେ ବାରମ୍ବାର ଅନୁଭବଙ୍କୁ ଜଣାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଅନୁଭବଙ୍କ ପକ୍ଷରୁ କୌଣସି ଉତ୍ତର ପାଇନଥିଲେ। ଅନୁଭବଙ୍କ ବ୍ୟକ୍ତିଗତ ପ୍ରସଙ୍ଗକୁ ନେଇ ମନୋଜ ଓଲଟା ଜବାବ ମଧ୍ୟ ଦେଇଥିଲେ।

ଓଲିଉଡ କଳିରେ ରାଜନୀତି

ଅଭିନେତା ମନୋଜ ମିଶ୍ରଙ୍କୁ ଓଡ଼ିଆ ସନେମା ପ୍ରଯୋଜକ ସଂଘ ବାସନ୍ଦ ବିବାଦର ଶୀଘ୍ର ସମାଧାନ ନହେଲେ ଓଡ଼ିଶା ଦୁଇ ଫାଳ ହୋଇଯିବ ବୋଲି କହିଛନ୍ତି ବଲାଙ୍ଗୀର ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ଏଥିପାଇଁ ସରକାର ଦାୟୀ ରହିବେ ବୋଲି ସେ କହିଛନ୍ତି।

ନରସିଂହ ମିଶ୍ରଙ୍କ ମନ୍ତବ୍ୟ ପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ। ସେ କହିଛନ୍ତି, “ଦୁଇ ଭାଇଙ୍କ କଳିକୁ ନେଇ ରାଜନୀତି ହେବା କଥା ନୁହେଁ। ପରିବାର କଥା ବାହାରକୁ ଯିବା ଉଚିତ ନୁହେଁ। ଆଲୋଚନା ମାଧ୍ୟମରେ ଦୁଇ/ତିନି ଦିନ ମଧ୍ୟରେ ଏହି ବିବାଦର ସମାଧାନ ହେବ।”

ଓଲିଉଡ ବିବାଦକୁ ନେଇ ରାଜନୀତି ନକରିବାକୁ ରାଜନେତାଙ୍କୁ ଅନୁରୋଧ କରିଛନ୍ତି ଅଭିନେତା ଶ୍ରୀତମ ଦାସ।

ମୁଁ ଟୁଟୁ ନାୟକଙ୍କୁ ବ୍ୟାନ କରୁଛି – ମନୋଜ ମିଶ୍ର

ଅଭିନେତା ମନୋଜ ମିଶ୍ରଙ୍କୁ ଓଲିଉଡ ସିନେ ପ୍ରଯୋଜକ ସଂଘର ବ୍ୟାନକୁ ନେଇ ଏବେ ବିବାଦ ବଢ଼ି ବଢ଼ି ଚାଲିଛି। ମନୋଜ ମିଶ୍ର କହିଛନ୍ତି ତାଙ୍କୁ ଓଲିଉଡରୁ ବ୍ୟାନ କରାଯିବା କଥା ସେ ଜାଣନ୍ତି ନାହିଁ କିମ୍ବା ତାଙ୍କ ପାଖକୁ ସେ ନେଇ କୌଣସି ଚିଠି ଆସିନାହିଁ।

ସେ କହିଛନ୍ତି ଟୁଟୁ ନାୟକ ତାଙ୍କୁ ବ୍ୟାନ କରିଥିବା ସେ ଗଣମାଧ୍ୟମରୁ ଜାଣିବାକୁ ପାଇଛନ୍ତି। ସେ ତାଙ୍କୁ ବ୍ୟାନ କରିବାକୁ କିଏ ବୋଲି ପ୍ରଶ୍ନ କରିଛନ୍ତି। ମନୋଜ କହିଛନ୍ତି ସେ ଟୁଟୁ ନାୟକଙ୍କୁ ବ୍ୟାନ କରୁଛନ୍ତି। ସେ ଟୁଟୁ ନାୟକଙ୍କର କୌଣସି ସିନେମାରେ ଅଭିନୟ କରିବେ ନାହିଁ।

ମନୋଜ କହିଛନ୍ତି ସିନେମା ଇଣ୍ଡଷ୍ଟ୍ରି କେବଳ କଟକ ଏବଂ ଭୁବନେଶ୍ଵରରେ ସୀମିତ ନୁହେଁ। କିଛି ପ୍ରଯୋଜଙ୍କ ପାଇଁ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରି ଆଗକୁ ବଢ଼ିପାରୁ ନାହିଁ। ଅନେକ ଦକ୍ଷ ନବାଗତ କଳାକାର ଏବଂ ପ୍ରଯୋଜକଙ୍କୁ ସୁଯୋଗ ଦିଆଯାଉ ନାହିଁ। ତାଙ୍କର କାହା ସହ ବ୍ୟକ୍ତିଗତ ଶତ୍ରୁତା ନାହିଁ ବୋଲି ସେ କହିଛନ୍ତି।

ମନୋଜ ମିଶ୍ର ଆହୁରି କହିଛନ୍ତି ଯେ, ତାଙ୍କ ଜୀବନ ପ୍ରତି ବିପଦ ରହିଛି।

ଓଲିଉଡ ଅଭିନେତା-ପ୍ରଯୋଜଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଏହି ବିବାଦର ଗତି କୁଆଡ଼େ, ତାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା।

Tags: #ManojMishra #BoycottManojMishra #Ollywood #OdiaCinema #Producer #controversy #Odisha

Comment