ଓଡ଼ିଶାଲାଇଭ୍ ବ୍ୟୁରୋ

ବିନୋଦିନୀ ଦେବୀ ଜଣେ କବି ଓ ଗୀତିକାର ଥିଲେ। ସେ ଥିଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଥମ ମହିଳା ଗୀତିକାର। ଓଡ଼ିଆ ସିନେମାର ପ୍ରଥମ ନାରୀ ଗୀତିକାର ଭାବରେ ୧୯୬୫ ମସିହାର ‘ମଲାଜହ୍ନ’ ଚଳଚ୍ଚିତ୍ର ପା‍ଇଁ ସେ ଗୀତ ଲେଖିଥିଲେ। ପରେ ପରେ ଅନେକ ଚଳଚ୍ଚିତ୍ରରେ ସେ ଗୀତ ଲେଖିଛନ୍ତି। ବିନୋଦିନୀ ଦେବୀ ଜଣେ ଓଡ଼ିଆ ଶିଶୁ ଗୀତ ଓ ଆଧୁନିକ ଗୀତର ଗୀତିକାର ଭାବରେ ମଧ୍ୟ ପରିଚିତ।

ବିନୋଦିନୀ ଦେବୀ ୧୯୩୭ ମସିହାରେ କଟକ ଜିଲ୍ଲାର ତିଗିରିଆରେ ଜ‍ନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତା ଥିଲେ ସ୍ୱାଧିନତା ସଂଗ୍ରାମୀ ମଧୁସୂଦନ ପଟ୍ଟନାୟକ। ସେ ପୁରୀ ଜିଲ୍ଲା ଅନ୍ତର୍ଗତ ଡେଲାଙ୍ଗ ସୁଜନପୁର ଗ୍ରାମର ବାଳକୃଷ୍ଣ ମଙ୍ଗରାଜଙ୍କୁ ବିବାହ କରିଥିଲେ। ବାଳକୃଷ୍ଣ ମଙ୍ଗରାଜ ଜଣେ ପ୍ରଶାସନିକ ଅଧିକାରୀ ଥିଲେ। ବିବାହ ବେଳକୁ ବିନୋଦିନୀ ଦେବୀ ମାଟ୍ରିକ ବି ପାସ କରିନଥିଲେ। କିନ୍ତୁ ପାଠପଢ଼ା ପ୍ରତି ବିନୋଦିନୀଙ୍କର ଆଗ୍ରହ ଥିଲା।

ତାଙ୍କ ବଡ଼ପୁଅ ମାଟ୍ରିକ ପାସ କରିବା ପରେ, ବିନୋଦିନୀ ଦେବୀ ୩୯ବର୍ଷ ବୟସରେ ମାଟ୍ରିକ ପରୀକ୍ଷା ଦେଇ ପାସ କରିଥିଲେ। ତାଙ୍କର ଅନ୍ୟ ଏକ ପରିଚୟ ହେଉଛି ବିଶିଷ୍ଟ ଭାଷାବିତ୍ ଡକ୍ଟର ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କର ସେ ଭଉଣୀ ଓ ଅକ୍ଷୟ ମହାନ୍ତିଙ୍କ ସମ୍ପର୍କୀୟା।

ବାସ୍ତବରେ ଚଳଚ୍ଚିତ୍ର ଗୀତରୁ ହିଁ ତାଙ୍କୁ ସମସ୍ତେ ଜାଣିଲେ। ବିନୋଦିନୀ ଦେବୀଙ୍କ ଲିଖିତ କିଛି ଚଳଚ୍ଚିତ୍ର ଗୀତ ଖୁବ୍ ଲୋକପ୍ରିୟତା ହାସଲ କରିଥିଲା ଏବଂ ଆଜି ପର୍ଯ୍ୟନ୍ତ ତାହାକୁ ଶ୍ରୋତା ମନେ ରଖିଛନ୍ତି।

‘ତୁଚ୍ଛାକୁ ମହୁ’ ଥିଲା ତାଙ୍କର ଏକ ସ୍ମରଣୀୟ ଗୀତ । ‘ମଲାଜହ୍ନ’ ପାଇଁ ସେ ଏହି ଗୀତଟି ଲେଖିଥିଲେ। ଏହାକୁ ଗାଇଥିଲେ କଲ୍ୟାଣୀ ଭଟ୍ଟାଚାର୍ଯ୍ୟ।

‘ମୋ ନାଁଟି ମୋ ନାଁଟି ‘ ମଧ୍ୟ  ‘ମଲାଜହ୍ନ’ ଚଳଚ୍ଚିତ୍ରର। ଏହାର କଣ୍ଠଶିଳ୍ପୀ ଥିଲେ ନନ୍ଦିତା ଘୋଷ। ‘ରକତ ଟଳମଳ ଖ‍‍ଇର ପାଞ୍ଚଫାଳ’ ବିନୋଦିନୀ ଦେବୀଙ୍କ ଅନ୍ୟ ଏକ ଲୋକପ୍ରିୟ ଗୀତ। ‘ମଲାଜହ୍ନ’ର ଏହି ଗୀତକୁ ଗାଇଥିଲେ ଅକ୍ଷୟ ମହାନ୍ତି। ‘ଭିଣେ‍ଇ ବାବୁ ଭିଣେ‍ଇ ବାବୁ’ର ରଚୟିତା ବି  ବିନୋଦିନୀ ଦେବୀ। ‘ତଅପୋ‍ଇ’ ଚଳଚ୍ଚିତ୍ର ପାଇଁ  ଅକ୍ଷୟ ମହାନ୍ତି ଓ ଗୀତା ପଟ୍ଟନାୟକ ଏହାକୁ ଗାଇଥିଲେ।

‘ସାଥୀରେ ସାଥୀରେ ଜୀବନ ସାଗରେ’ ( ଅସ୍ତରାଗ) ଗୀତର ରଚୟିତା ବିନୋଦିନୀ ଦେବୀ। ପ୍ରଣବ ପଟ୍ଟନାୟକ ଏହି ଗୀତକୁ ଗାଇଥିଲେ। ଅନ୍ୟ କିଛି ଚଳଚ୍ଚିତ୍ର ଯେଉଁଥି ପାଇଁ ବିନୋଦିନୀ ଦେବୀ ଗୀତ ଲେଖିଛନ୍ତି ସେଗୁଡ଼ିକ ହେଲା ‘ମୁଁ ତୁମେ ଓ ସେ’ (୧୯୮୨), ଶ୍ରୀ ଜଗ‍ନ୍ନାଥ (୧୯୭୯), ‘ଜୟ ଜଗନ୍ନାଥ’ (୨୦୦୭) ଆଦି। ଓଡ଼ିଆ ଚଳଚ୍ଚିତ୍ର ଗୀତର ପାରମ୍ପରିକ ଆବେଦନ ଯେଉଁ କେତେଜଣ ଗୀତିକାରଙ୍କ ଲେଖାରେ ଫୁଟି ଉଠିଥିଲା ସେମାନଙ୍କ ମଧ୍ୟରେ ବିନୋଦିନୀ ଦେବୀ ଥିଲେ ଅଗ୍ରଣୀ।

Tags: #Veteranodialyricist #Binodinidevi #Firstwomenodialyricist #odisha #Odiacinema #odiacinemasong

LEAVE A REPLY

Please enter your comment!
Please enter your name here