ଓଡ଼ିଶାଲାଇଭ୍ ବ୍ୟୁରୋ

ରାଷ୍ଟ୍ରପତି ପୁରସ୍କାର ପାଇଥିଲା ୧୯୬୮ ମସିହାରେ ସିଦ୍ଧାର୍ଥଙ୍କ ନିର୍ଦେଶନାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ସ୍ତ୍ରୀ’।

୧୯୬୮ ମସିହାରେ ଓଡ଼ିଶାରେ ମାତ୍ର ଦୁଇଟି ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା, ‘କିଏ କାହାର’ ଓ ‘ସ୍ତ୍ରୀ’। ସିଦ୍ଧାର୍ଥଙ୍କ ନିର୍ଦେଶନାରେ ନିର୍ମିତ ‘ସ୍ତ୍ରୀ’ ସର୍ବଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ସେହି ବର୍ଷ ରାଷ୍ଟ୍ରପତିଙ୍କ ସିଲଭର ମେଡାଲ ପାଇଥିଲା। ଏହି ଚଳଚ୍ଚିତ୍ରର ବିଶେଷତ୍ୱ ଥିଲା ଯେ, ନିର୍ଦେଶକ, ଅଭିନେତ୍ରୀ ଓ ସଙ୍ଗୀତ ନିର୍ଦେଶକ ସମସ୍ତେ ଛଦ୍ମନାମରେ ଫିଲ୍ମ ସହିତ ଯୋଡ଼ି ହୋଇଥିଲେ।

ଏହି ଚଳଚ୍ଚିତ୍ରର ତିନିଜଣ ନିର୍ଦେଶକ ଥିଲେ, ସିଦ୍ଧାର୍ଥ ଓରଫ ରାମଚନ୍ଦ୍ର ଠାକୁର, ଗୌରପ୍ରସାଦ ଘୋଷ ଓ ପାର୍ବତୀ ଘୋଷ। ସଙ୍ଗୀତ ନିର୍ଦେଶନା ଦେଇଥିଲେ ଶ୍ରୀକୁମାର ଓରଫ ଭୁବନେଶ୍ୱର ମିଶ୍ର ଓ ମୁଖ୍ୟ ଅଭିନେତ୍ରୀ ଭାବେ କାମ କରିଥିଲେ ଚନ୍ଦନା ବା ପାର୍ବତୀ ଘୋଷ।

ଚଳଚ୍ଚିତ୍ରର ସମ୍ପାଦକ ଥିଲେ ମଧୁ ବାନାର୍ଜୀ ଓ ସିନେମାଟୋଗ୍ରାଫି ଥିଲା ବିଜୟ ଦେଙ୍କର। ଶବ୍ଦ ଗ୍ରହଣ ଅନୀଲ ଦାସଗୁପ୍ତ ଓ କଳା ନିର୍ଦେଶନା ଗୁପି ସେନ। ୧୯୬୮ ମସିହା ମେ’ ୧୭ ତାରିଖରେ ‘ସ୍ତ୍ରୀ’ ମୁକ୍ତି ଲାଭ କରିଥିଲା। ପାଞ୍ଚ ଦଶନ୍ଧି ତଳେ ଏହି ଫିଲ୍ମ ପାଇଁ ଖର୍ଚ୍ଚ ହୋଇଥିଲା ୧୮,୦୦୦ ଟଙ୍କା।

ଏହି ଚଳଚ୍ଚିତ୍ରର କାହାଣୀଟି ବେଶ୍ ହୃଦୟସ୍ପର୍ଶୀ।

ଦିନେ ଅନୁରାଧା ଓ ତାଙ୍କ ଭାଇ ପୁରୀ ଯାଇଥିବା ବେଳେ ଦେବବ୍ରତ ନାମକ ଜଣେ ଯୁବକଙ୍କୁ ସମୁଦ୍ର କୂଳରେ ବେହୋସ ଅବସ୍ଥାରେ ପାଆନ୍ତି। ତାଙ୍କୁ ଘରକୁ ଅଣାଯାଇ ଯତ୍ନ ନିଆଯାଏ। ଅନୁରାଧା ଓ ଦେବବ୍ରତ ପରସ୍ପରକୁ ଭଲ ପାଇ ବସନ୍ତି। ବିବାହ ପରେ ଅନୁରାଧା କିନ୍ତୁ ଆବିଷ୍କାର କରନ୍ତି ଦେବବ୍ରତ ପ୍ରକୃତରେ ବିପତ୍ନୀକ ଓ ତାଙ୍କର ପୁଅଟିଏ ଅଛି।

ବିଶ୍ୱାସଘାତକତା ସତ୍ତ୍ୱେ ଅନୁରାଧା ଘରେ ସମସ୍ତଙ୍କ ଯତ୍ନ ନିଅନ୍ତି, ଏପରିକି ଦେବବ୍ରତ ଓ ତାଙ୍କ ପୁତ୍ରଙ୍କର ମଧ୍ୟ। ଦେବବ୍ରତଙ୍କ ଭଉଣୀ କିନ୍ତୁ ଏହାକୁ ସହ୍ୟ କରିପାରନ୍ତି ନାହିଁ। ସ୍ୱାମୀ ଓ ସ୍ତ୍ରୀଙ୍କ ଭିତରେ ସେ ମନୋମାଳିନ୍ୟ ସୃଷ୍ଟି କରାନ୍ତି। ଏହି ପରିସ୍ଥିତିରେ ଅନୁରଧାଙ୍କୁ ପଛରେ ରଖିଦେଇ ଦେବବ୍ରତ ପୁଅ ସହିତ ଘର ଛାଡ଼ି ପଳାଇଯାନ୍ତି। ଅନୁରାଧା କିନ୍ତୁ ଆଶା ହରାଇନଥାନ୍ତି। ନିଜର ତ୍ୟାଗ ଓ ଅଙ୍ଗୀକାର ଯୋଗୁଁ ଶେଷରେ ସମସ୍ତେ ପୁଣି ଏକାଠି ହୁଅନ୍ତି। ‘ସ୍ତ୍ରୀ’ ଚଳଚ୍ଚିତ୍ର ସେ ବର୍ଷ ରାଷ୍ଟ୍ରପତି ପୁରସ୍କାର ପାଇବା ପଛରେ କାରଣ ଥିଲା ଏହାର ପାରିବାରିକ ଆବେଦନ।

ତେବେ ସବୁଠୁ ବଡ଼ କଥା ହେଉଛି ‘ସ୍ତ୍ରୀ’ ଚଳଚ୍ଚିତ୍ରର ଷ୍ଟାରକାଷ୍ଟ। ଗୌରପ୍ରସାଦ ଓ ପାର୍ବତୀ ଘୋଷ, ଯଦୁନାଥ ରାଉତରାୟ, ଅନିମା ପେଦିନି, ଲୀଳା ଦୁଲାଳି, ଦୀନବନ୍ଧୁ ଦାସ, ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ, ସୁଜାତା ଆନନ୍ଦ, ଶରତ, ପ୍ରମୋଦ ପଟ୍ଟନାୟକ ଅଲେଖ ମହାନ୍ତି ଓ କୁଞ୍ଜ ଏବଂ ଶିଶୁ କଳାକାରଙ୍କୁ ନେଇ ପ୍ରାୟ ୫୦ ଜଣ ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିବାରୁ ଏହା ବେଶ୍ ଲୋକପ୍ରିୟ ହୋଇପାରିଥିଲା।

‘ସ୍ତ୍ରୀ’ ଚଳଚ୍ଚିତ୍ରର ଗୀତ ରଚନା ଓ ସଙ୍ଗୀତ ନିର୍ଦେଶନା ହିଁ ଫିଲ୍ମଟିକୁ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିଥିଲା। ଗୀତଗୁଡ଼ିକ ଲେଖିଥିଲେ ନିକଟରେ ପରଲୋକ ଗମନ କରିଥିବା ନାରାୟଣ ପ୍ରସାଦ ସିଂହ, ସାରଦା ପ୍ରସନ୍ନ ନାୟକ, ନରସିଂହ ମହାପାତ୍ର, ଦେବଦାସ ଛୋଟରାୟ, ଅକ୍ଷୟ ମହାନ୍ତି ଓ ସ୍ୱରୂପ ନାୟକ।

‘ସଞ୍ଜ ସକାଳେ ତୁମ ଛବି ଖୋଜେ’ ହେଉ କି ‘ଝୁମି ଝୁମି ଆସେ ଆଖି’ ଅଥବା ‘ତୁମ ବିନା ଏଇ ରାତି ଭଲ ଲାଗେନା’ କିମ୍ବା ‘ତୁମେ ଯଦି ସାଥି ମୋର ନିଅ ମୋତେ ଭୁଲାଇ’ ଏ ପର୍ଯ୍ୟନ୍ତ ଦର୍ଶକଙ୍କ ସ୍ମୃତିରେ ଗୁଞ୍ଜରିତ ହେଉଛି। ଠିକ୍ ସେହିଭଳି ‘କଳି ଯୁଗ କୃଷ୍ଣ ମୁହିଁ ତୁ ମୋ ହିରୋଇନ’, ‘ବିତି ଯା ରେ’ ଓ ଦେଶାତ୍ମବୋଧକ ଗୀତ ‘ଗଙ୍ଗା ଯେ ଦେଶେ ବହେ’ ।

ନିର୍ମଳା ମିଶ୍ର, ଅକ୍ଷୟ ମହାନ୍ତି, ସୁଜାତା ମୁଖାର୍ଜୀ, ସନ୍ଧ୍ୟା ମୁଖାର୍ଜୀ ଓ ପ୍ରଣବ ପଟ୍ଟନାୟକ ପ୍ରମୁଖ ପ୍ରଚ୍ଛଦପଟ ଗାୟକ- ଗାୟିକା ଭାବରେ ଗୀତଗୁଡ଼ିକୁ ଲୋକପ୍ରିୟ କରାଇପାରିଥିଲେ।

ସ୍ତ୍ରୀ’ ଚଳଚ୍ଚିତ୍ର ସେଇ ସମୟରେ ବକ୍ସ ଅଫିସ ହିଟ ହୋଇଥିଲା। କାରଣ ଚଳଚ୍ଚିତ୍ରର ପ୍ରତିଟି ଦିଗ ପ୍ରତି ଧ୍ୟାନ ଦିଆଯାଇଥିଲା। ସାରଥୀ ଫିଲ୍ମସ ବ୍ୟାନରରେ ନିର୍ମିତ ଏହି ସିନେମାର କାହାଣୀ ଲେଖିଥିଲେ ଶ୍ରାବଣୀ (ପାର୍ବତୀ ଘୋଷ)। ସିଦ୍ଧାର୍ଥ ନାମଧାରୀ ତିନି ଜଣ ନିର୍ଦେଶକଙ୍କ ଏହା ଥିଲା ଦ୍ଵିତୀୟ ଚଳଚ୍ଚିତ୍ର। ଏହି ଫିଲ୍ମର ପ୍ରିମିୟର ରାଉରକେଲାରେ ହୋଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓ ଓ ପୂର୍ବତନ ଶିଳ୍ପ ମନ୍ତ୍ରୀ ହରିହର ପଟେଲ ପ୍ରିମିୟରରେ ଉପସ୍ଥିତ ଥିଲେ।

‘ସ୍ତ୍ରୀ’ ସିନେମାରର ଅନ୍ୟ ଏକ ବିଶେଷତ୍ୱ ହେଉଛି ବହୁ କଳାକାର ଏଥିରେ ଡେବ୍ୟୁ କରିଥିଲେ। ଗୌର ଓ ପାର୍ବତୀ ମିଶି ନୂଆ ପ୍ରତିଭା ଅନ୍ୱେଷଣର ଯେଉଁ ମୂଳଦୁଆ ପକାଇଲେ ତାହା ଫଳରେ ଯଦୁନାଥ, ଶ୍ୟାମଳେନ୍ଦୁ ଓ ସୁନିତା ପ୍ରଥମ ଥର ପାଇଁ ପରଦାକୁ ଆସିଥିଲେ। ଏହି ଚଳଚ୍ଚିତ୍ରରେ ଗୁରୁ ରଘୁନାଥ ଦତ୍ତ ନୃତ୍ୟ ନିର୍ଦେଶକ ଭାବରେ ପ୍ରଥମ ଥର ପାଇଁ ନିର୍ଦେଶନା ଦେଇଥିଲେ। କୁକୁମିନା, ରତ୍ନା ରାୟ ଓ ଆଲୋକ ବହିଦାର ପ୍ରମୁଖ ଓଡ଼ିଶୀ ନୃତ୍ୟଶିଳ୍ପୀ ପ୍ରଥମ ଥର ଲାଗି ରୂପେଲି ପରଦାରେ ନୃତ୍ୟ ପରିବେଷଣ କରିଥିଲେ।

ସବୁଠାରୁ ବଡ଼ ବିଷୟ ସୁଜାତା ଆନନ୍ଦ ଏଥିରେ ପ୍ରଥମ ଥର ପାଇଁ ଅଭିନୟ କରିଥିଲେ ଓ ପରବର୍ତ୍ତୀ ସମୟରେ ଜଣେ ଆଗ ଧାଡ଼ିର କଳାକାର ଭାବେ ନିଜକୁ ପ୍ରତିଷ୍ଠା କରିଥିଲେ। ବଙ୍ଗଳା ଫିଲ୍ମ ଜଗତର ଲୋକପ୍ରିୟ ଅଭିନେତ୍ରୀ ରୁମା ଗୁହା ଠାକୁରତା ଏଥିରେ ଅତିଥି କଳାକାର ଭାବେ ନଜର ଆସିଥିଲେ। ସ୍ୱରୂପ ନାୟକ ମଧ୍ୟ ‘ସ୍ତ୍ରୀ’ ଚଳଚ୍ଚିତ୍ରରୁ ହିଁ ଗୀତ ଲେଖିବା ଆରମ୍ଭ କରିଥିଲେ।

ପଞ୍ଚାବନ ବର୍ଷ ତଳେ ନିର୍ମିତ ଏହି ଚଳଚ୍ଚିତ୍ର ଗୌରପ୍ରସାଦ ଓ ପାର୍ବତୀଙ୍କର ସଫଳ ଚଳଚ୍ଚିତ୍ର ଥିଲା। ଏହା ପରଠାରୁ ଓଡ଼ିଆ ସିନେମା ଏକରକମ ସଠିକ ରାସ୍ତାରେ ଆଗକୁ ବଢ଼ିଥିଲା। ଗୌରପ୍ରସାଦଙ୍କ ପାଖରୁ ହିଁ ଆରମ୍ଭ ହେଲା ଫିଲ୍ମ ନିର୍ମାଣ ପାଇଁ ଓଏଫଡିସିର ଋଣ ଦିଆ ବ୍ୟବସ୍ଥା। ଓଡ଼ିଆ ଚଳଚ୍ଚିତ୍ରକୁ ଶିଳ୍ପର ସ୍ୱୀକୃତି ଦିଆଇବାରେ ଗୌରପ୍ରସାଦ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ‘ସ୍ତ୍ରୀ’ ଥିଲା ସେହି ଉଦ୍ୟମର ଆଦ୍ୟ ଫଳ।

Tags: #cinema #odiacinema #stree #odiacinemaindustry

Comment