ଓଡ଼ିଶାଲାଇଭ୍ ବ୍ୟୁରୋ

‘ଶ୍ରୀ ଲୋକନାଥ’ ଜାତୀୟ ପୁରସ୍କାର ଲାଭ କରିବାରେ ଥିଲା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର।

ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଶ୍ରୀ ଲୋକନାଥକୁ ଏକ ସ୍ମରଣୀୟ ଚଳଚ୍ଚିତ୍ର ବୋଲି ଧରାଯାଏ। ୧୯୬୦ ମସିହାରେ ନିର୍ମିତ ଏହି ଚଳଚ୍ଚିତ୍ର ଅଶ୍ୱିନୀ କୁମାର ଘୋଷଙ୍କ ମୂଳ କାହାଣୀ ଉପରେ ପର୍ଯ୍ୟବସିତ। ପ୍ରଫୁଲ୍ଲ କୁମାର ସେନଗୁପ୍ତଙ୍କ ଦ୍ଵାରା ନିର୍ଦେଶିତ ଚଳଚ୍ଚିତ୍ର ‘ଶ୍ରୀ ଲୋକନାଥ’ ସେହି ବର୍ଷ ଜାତୀୟ ଫିଲ୍ମ ପୁରସ୍କାର ଲାଭ କରିଥିଲା ଓ ଜାତୀୟ ପୁରସ୍କାର ଲାଭ କରିବାରେ ଥିଲା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର। ରୂପରାଗ ପ୍ରାଇଭେଟ ଲିମିଟେଡ ବ୍ୟାନରରେ ଏହା ଥିଲା ଏକାଦଶ ଚଳଚ୍ଚିତ୍ର।

କାହାଣୀଟି କିଛି ଏହିଭଳି

ଅଜୟ ପଟ୍ଟନାୟକ ପେଷାରେ ଜଣେ ଡାକ୍ତର। ଡାକ୍ତର ହୋଇଥିବାରୁ ଭଗବାନ ଅଛନ୍ତି ଏହି କଥାରେ ସେ ବିଶ୍ୱାସ କରନ୍ତି ନାହିଁ। ତାଙ୍କ ଧର୍ମପତ୍ନୀ ବାସନ୍ତୀଙ୍କର କୌଣସି ସନ୍ତାନ ସନ୍ତତି ନଥିବାରୁ ଭଗବାନଙ୍କ ଉପରେ ତାଙ୍କର ଅତୁଟ ବିଶ୍ୱାସ। ବାସନ୍ତୀ ତାଙ୍କ ଦିଅର ବିଜୟଙ୍କୁ ଖୁବ ଭଲ ପାଆନ୍ତି। ପଡ଼ୋଶୀ ଯୁବତୀ ଲକ୍ଷ୍ମୀ ବିଜୟଙ୍କୁ ପ୍ରେମ କରନ୍ତି। ଦିନେ ବିଜୟ ପୁରୀ ଯାଆନ୍ତି ଶ୍ରୀ ଲୋକନାଥଙ୍କ ଦର୍ଶନ ପାଇଁ ‘ଭାଉଜ ସନ୍ତାନ ପ୍ରାପ୍ତ ହୁଅନ୍ତୁ’ ଏହି ଆଶିଷ ମାଗିବା ଉଦ୍ଦେଶ୍ୟରେ।

ବାସନ୍ତୀ ସତକୁ ସତ ଗର୍ଭବତୀ ହୁଅନ୍ତି ଓ ପୁତ୍ର ସନ୍ତାନକୁ ଜନ୍ମ ଦିଅନ୍ତି। ପରିବାରର ସଦସ୍ୟ ଖୁସିରେ ଛୁଆଟିର ନାଁ ରଖନ୍ତି ଲୋକନାଥ। ଲୋକନାଥ ଯେତିକି ଯେତିକି ବଡ଼ ହୁଏ ବିଜୟଙ୍କ ପ୍ରତି ପରିବାରର ଅବହେଳା ସେତିକି ସେତିକି ବଢ଼େ। ବିଜୟ ଅଗତ୍ୟା ଘର ଛାଡ଼ି ଯାଜପୁର ଚାଲିଯାନ୍ତି ଓ ଶିକ୍ଷକ ଚାକିରି କରନ୍ତି। ଏଣେ ପ୍ରେମିକା ଲକ୍ଷ୍ମୀର ବିବାହ ପୁରୀର ଜଣେ ଜମିଦାର ସୂର୍ଯ୍ୟଙ୍କ ସହିତ ହୋଇଯାଏ।

ବାସନ୍ତୀଙ୍କ ପୁଅକୁ ତିନି ବର୍ଷ ହେବା ପରେ ସ୍ଵାମୀ-ସ୍ତ୍ରୀ ପୁରୀ ଯାଆନ୍ତି ଶ୍ରୀ ଲୋକନାଥଙ୍କ ନିକଟରେ ମାନସିକ ପୂରଣ କରିବା ପାଇଁ। ଏତିକି ବେଳେ ଏକ ବିରାଟ ଝଡ଼ ଆସେ। ଲୋକନାଥକୁ ସେମାନେ ଆଉ ପାଆନ୍ତି ନାହିଁ। ପୁତ୍ର ନିରୁଦ୍ଦିଷ୍ଟ ହେବା ଶୋକରେ ବାସନ୍ତୀ ପାଗଳ ପ୍ରାୟ ହୋଇଯାନ୍ତି। ଏଣେ ବିଜୟ ଗୋଟିଏ ଦୁର୍ଘଟଣାର ଶିକାର ହେବା ପରେ ସେ ମଧ୍ୟ ପାଗଳ ହୋଇ ବସନ୍ତି।

ସମୟ ଗଡ଼ି ଚାଲେ। ଜମିଦାର ସୂର୍ଯ୍ୟ ଓ ଲକ୍ଷ୍ମୀଙ୍କର ଝିଅଟିଏ ଜନ୍ମ ହୁଏ। ନାଁ ତା’ର ଉମା। ବଡ଼ ହେବା ସହ ସେ ଅଶୋକକୁ ଭଲ ପାଏ। ଅଶୋକ ହେଉଛି ସୂର୍ଯ୍ୟଙ୍କ ବନ୍ଧୁ ପ୍ରକାଶଙ୍କ ପୁଅ। ଦିନେ ଅଶୋକ ଗାଡ଼ି ଚଳାଇ ଯାଉଥିବା ବେଳେ ଜଣେ ପାଗଳ ଆସି ସେହି ଗାଡ଼ି ବାଡ଼େଇ ହୋଇଯାଏ। ଅଶୋକ ତାକୁ ଉମାର ଘରକୁ ନେଇଯାଏ। ଉମା ସେଠି ଚିହ୍ନେ ଯେ ସେ ଲୋକଟି ହେଉଛନ୍ତି ବିଜୟ। ଏହି ଖବର ଅଜୟ ପଟ୍ଟନାୟକ ଓ ବାସନ୍ତୀଙ୍କ ପାଖରେ ପହଞ୍ଚେ।

ବିଜୟ ଶ୍ରୀ ଲୋକନାଥ ଦର୍ଶନ ପାଇଁ ଯାଇଥିବାବେଳେ ସ୍ମୃତିଶକ୍ତି ଫେରି ପାଆନ୍ତି। ଭଲ ଗୁଣ ଦେଖି ବାସନ୍ତୀ ଅଶୋକ ସହିତ ଉମାର ବାହାଘର କରେଇ ଦିଅନ୍ତି। ଘଟଣାଚକ୍ରରେ ପ୍ରକାଶ ଖୋଲିଦିଅନ୍ତି ଯେ ଅଶୋକ ତାଙ୍କ ପୁଅ ନୁହେଁ। ଅଶୋକର ପିଲାଦିନର ଫୋଟୋ ଦେଖିବା ପରେ ବାସନ୍ତୀ ଓ ଅଜୟ ଚିହ୍ନନ୍ତି ସେ ହେଉଛି ତାଙ୍କର ହଜିଯାଇଥିବା ପୁତ୍ର ସନ୍ତାନ। ଶେଷରେ ସମସ୍ତେ ଶ୍ରୀ ଲୋକନାଥଙ୍କ ଦର୍ଶନ ପାଇଁ ଯାଆନ୍ତି ଓ ସେଠି ଡାକ୍ତର ଅଜୟ ପଟ୍ଟନାୟକ ବିଶ୍ୱାସ କରନ୍ତି ଯେ ଭଗବାନ ବୋଲି କେହି ଜଣେ ଅଛନ୍ତି।

ଏହିଭଳି ଏକ ଜବରଦସ୍ତ କାହାଣୀ ଯୋଗୁଁ ‘ଶ୍ରୀ ଲୋକନାଥ’ ଚଳଚ୍ଚିତ୍ର ଶ୍ରେଷ୍ଠ ଓଡ଼ିଆ ଚିତ୍ର ଭାବରେ ରାଷ୍ଟ୍ରପତିଙ୍କ ସିଲଭର ମେଡାଲ ପାଇଥିଲା।

‘ଶ୍ରୀ ଲୋକନାଥ’ ଚଳଚ୍ଚିତ୍ରର ବିଶେଷତ୍ୱ ହେଉଛି ଚିତ୍ର ନିର୍ମାଣ ପଛରେ ଯେଉଁମାନେ ଥିଲେ ସେ ସମସ୍ତେ ବଙ୍ଗଳାର। କାହାଣୀ ଅଶ୍ୱିନୀ ଘୋଷଙ୍କର ହୋଇଥିବା ବେଳେ ନିର୍ଦେଶକ ଥିଲେ ପ୍ରଫୁଲ୍ଲ ସେନଗୁପ୍ତ। ସ୍କ୍ରିନ ପ୍ଲେ ଲେଖିଥିଲେ ପ୍ରେମେନ୍ଦ୍ର ମିତ୍ର। ସମ୍ପାଦନା ଥିଲା ସୁକୁମାର ସେନଗୁପ୍ତଙ୍କର। କଳା ନିର୍ଦେଶକ ଏବଂ କ୍ୟାମେରାମ୍ୟାନ ଥିଲେ ରାମାନନ୍ଦ ସେନଗୁପ୍ତ। ବିଶିଷ୍ଟ ନାଟ୍ୟକାର ଗୋପାଳ ଘୋଷ ଥିଲେ ଏହି ସିନେମାର ଅନ୍ୟତମ ପ୍ରଯୋଜକ।

ବଡ଼ ଷ୍ଟାର କାଷ୍ଟ

‘ଶ୍ରୀ ଲୋକନାଥ’ ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ମଣିମାଳା, ଉର୍ବଶୀ, କାନନ ବାଳା, ଅନ୍ନପୂର୍ଣ୍ଣା, ଇନ୍ଦୁମତି, ନିର୍ମଳା, ବାବି, ଅକ୍ଷୟ ମହାନ୍ତି (କାଶ୍ୟପ), ସୌମେନ୍ଦ୍ର, ବିମଳ, ଖଗେନ୍ଦ୍ର ପାଣ୍ଡେ, ଟିମା, କ୍ଷେତ୍ରପାଳ, ଶିବୁ, ଦୁଃଖୀରାମ ସ୍ୱାଇଁ, ପୀତବାସ, କ୍ଷୀରୋଦ, ବୃନ୍ଦାବନ,ଅନାଦି,ଶୈଳେନ୍, ଦୟାନିଧି, ବେଣୁଧର, ମନମୋହନ, ନିତ୍ୟାନନ୍ଦ, ପରମାନନ୍ଦ, ବିଷ୍ଣୁ ଓ ମଧୁସୂଦନ ପ୍ରମୁଖ। ଶିଶୁ କଳାକାର ଭୂମିକାରେ କମଳ କୁମାରୀ ମହାପାତ୍ର ଓ ଇନ୍ଦ୍ରଜିତ ଘୋଷ ଅଭିନୟ କରିଥିଲେ। ଏତେ ବଡ଼ ଷ୍ଟାର କାଷ୍ଟ ସେହି ସମୟରେ ଏକ ବିରଳ ଘଟଣା ଥିଲା।

ମନଛୁଆଁ ଗୀତ

କାହାଣୀ ଓ ଷ୍ଟାର କାଷ୍ଟ ଭଳି ‘ଶ୍ରୀ ଲୋକନାଥ’ ଚଳଚ୍ଚିତ୍ରର ସଙ୍ଗୀତ ମଧ୍ୟ ଥିଲା ଅତ୍ୟନ୍ତ ମନଲୋଭା। ବାଳକୃଷ୍ଣ ଦାଶଙ୍କ ସଙ୍ଗୀତ ନିର୍ଦେଶନାରେ ଗୀତଗୁଡ଼ିକ ଥିଲା ଅତି ମନଛୁଆଁ। ‘ଫୁଲ ରସିଆରେ ମନ ମୋର ଛୁଇଁ ଛୁଇଁ ଯା…’ (ସନ୍ଧ୍ୟା ମୁଖର୍ଜୀ / ନରସିଂହ ମହାପାତ୍ର), ‘ଚାହେଁନା ଚାହେଁନା ଏଇ ମିଛ ବନ୍ଧନ…’ (ପ୍ରଣବ ପଟ୍ଟନାୟକ ଓ ନିର୍ମଳା ମିଶ୍ର /ନରସିଂହ ମହାପାତ୍ର), ‘ତୁ କି ପରଦେଶୀ ନିଜ ଦେଶେ…’ (ପ୍ରଣବ ପଟ୍ଟନାୟକ/ନରସିଂହ ମହାପାତ୍ର), ‘ତାଝିଣତା ବାଜେ ନୁପୁର…’ (ଶ୍ୟାମାମଣୀ ଦେବୀ/ନରସିଂହ ମହାପାତ୍ର), ‘ଶ୍ରୀ ଲୋକନାଥ ଚରଣ…’ (ଅକ୍ଷୟ ମହାନ୍ତି ଓ ସାଥୀ) ଇତ୍ୟାଦି।

ତେବେ ଏହି ଫିଲ୍ମର ସବୁଠୁ ଲୋକପ୍ରିୟ ଗୀତ ଥିଲା ‘ଆଜି ଆକାଶେ କି ରଙ୍ଗ ଲାଗିଲା…’ (ନିର୍ମଳା ମିଶ୍ର/କାର୍ତ୍ତିକ ଚନ୍ଦ୍ର ଘୋଷ)। ଏଚଏମଭି ଦ୍ୱାରା ୭୮ ଆରପିଏମରେ ରେକର୍ଡିଂ କରାଯାଇଥିବା ‘ଶ୍ରୀ ଲୋକନାଥ’ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଓଡ଼ିଆ ସିନେମା ଗୀତ ଓ ସଙ୍ଗୀତ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହୋଇରହିଛନ୍ତି।

‘ଶ୍ରୀ ଲୋକନାଥ’ ଚଳଚ୍ଚିତ୍ର  ୧୯୬୦ ମସିହା ଏପ୍ରିଲ ମାସରେ କଟକର କ୍ୟାପିଟାଲ ସିନେମା ହଲରେ ରିଲିଜ ହୋଇଥିଲା। ମାତ୍ର ଲକ୍ଷେ ୪୦ ହଜାର ଟଙ୍କାରେ ନିର୍ମିତ ହୋଇଥିବା ଏହି ଚଳଚ୍ଚିତ୍ର ଅତୀତର ସବୁ ରେକର୍ଡ ଭାଙ୍ଗି ଦେଇଥିଲା। ଚଳଚ୍ଚିତ୍ରର ଅନ୍ୟ କେତୋଟି ବିଶେଷତ୍ୱ ମଧ୍ୟରେ ରହିଛି ବାବି, ଖଗେନ ମିତ୍ର ଓ କ୍ଷେତ୍ରପାଳ ମିଶ୍ରଙ୍କୁ ଛାଡ଼ିଦେଲେ ବାକି ସମସ୍ତେ ଥିଲେ ନବାଗତ।

ଏପରିକି ଶ୍ୟାମାମଣୀ ଦେବୀ ମଧ୍ୟ ପ୍ରଥମ ଥର ପାଇଁ ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ। ‘ଶ୍ରୀ ଲୋକନାଥ’ ଚଳଚ୍ଚିତ୍ରରେ ବାଳକୃଷ୍ଣ ଦାଶ ମଧ୍ୟ ପ୍ରଥମ ଥର ପାଇଁ ଏକାକୀ ସଙ୍ଗୀତ ନିର୍ଦେଶନା ଦେଇଥିଲେ। ସେ ପର୍ଯ୍ୟନ୍ତ ସେ ଭୁବନେଶ୍ୱର ମିଶ୍ରଙ୍କ ସହ ମିଶି ଚଳଚ୍ଚିତ୍ର ପାଇଁ ସଙ୍ଗୀତ ନିର୍ଦେଶନା ଦେଇଆସୁଥିଲେ।

ପୁରୀର ଶ୍ରୀ ଲୋକନାଥଙ୍କ ପ୍ରସିଦ୍ଧି ଓ ପ୍ରଚାର ପାଇଁ ଏହି ଚଳଚ୍ଚିତ୍ରଟି ନିର୍ମାଣ କରାଯାଇଥିଲା। ତେବେ ନିଚ୍ଛକ ପୌରାଣିକ କାହାଣୀ ଓ ପରିବେଶ ଭିତରେ ଫିଲ୍ମକୁ ତିଆରି ନକରି ଏହାକୁ ଏକ ସାମାଜିକ ପରିବେଶ ଭିତରେ ନିର୍ମାଣ କରାଯାଇଥିଲା।

Tags: #Odiacinema #SriLokanath #chalachitra #ollywood #entertainment #Odisha

Comment