ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ସିନେମା ଜଗତର ଜଣାଶୁଣା ଅଭିନେତ୍ରୀ ମେଘନା ମିଶ୍ର କେବେ ପାଲଟିଛନ୍ତି ନାୟିକା ତ କେବେ ଖଳନାୟିକା।

ଓଡ଼ିଆ ସିନେମା ଜଗତର ଜଣାଶୁଣା ଅଭିନେତ୍ରୀ ମେଘନା ମିଶ୍ର। ‘କୁଳ ନନ୍ଦନ’, ‘ନାରୀ ଅଖିରେ ନିଆଁ’, ‘ପ୍ରଥମ ପ୍ରେମ’, ‘କାଳୀ ଶଙ୍କର’ ଆଦି ସୁପରହିଟ୍ ଫିଲ୍ମ ମାଧ୍ୟମରେ ମେଘନା ଓଡ଼ିଶାର ଘରେ ଘରେ ପରିଚିତ ହୋଇପାରିଥିଲେ। ସିରିଏଲ ‘ଶ୍ରୀଜଗନ୍ନାଥ’ରେ ମା’ ଲକ୍ଷ୍ମୀଙ୍କ ଚରିତ୍ରରେ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ ମେଘନା।

‘କଥା କହୁଥିଲେ ସରିବନି’ରୁ କ୍ୟାରିୟର ଆରମ୍ଭ

ସିରିଏଲ ପୂର୍ବରୁ ମୁଁ ଆଲବମ୍‌ କରୁଥିଲି। ଦୂରଦର୍ଶନରେ ପ୍ରସାରିତ ‘କଥା କହୁଥିଲେ ସରିବନି’ ସେତେବେଳର ଏକ ବହୁ ଲୋକପ୍ରିୟ ମେଗା ଧାରାବାହିକ ଥିଲା। ହରିଶ ମହାନ୍ତିଙ୍କ ନିର୍ଦ୍ଦେଶିତ ଏହି ମେଗା ଧାରାବାହିକର ପ୍ରାୟ ୧୦୦ ଏପିସୋଡ ପରେ ମୁଁ ସେଥିରେ ଏଣ୍ଟ୍ରି କରିଥିଲି। ମୋର ଚରିତ୍ର ଥିଲା ଜଣେ ନର୍ସ। ମୋର ସେ ସିରିଏଲରେ ନାଁ ଥିଲା ରଶ୍ମୀ। ଏହି ସିରିଏଲରେ ଦର୍ଶକ ମତେ ବହୁତ ଭଲ ପାଇବା ଦେଇଥିଲେ’’, ଓଡ଼ିଶାଲାଇଭ୍‌କୁ ସାକ୍ଷାତକାର ଦେଇ ଏଭଳି କହିଛନ୍ତି ଓଲିଉଡ ଅଭିନେତ୍ରୀ ମେଘନା ମିଶ୍ର।

ସିଦ୍ଧାନ୍ତଙ୍କ ଅପୋଜିଟ୍‌ରୁ ଫିଲ୍ମ ଆରମ୍ଭ

ମେଘନା ମିଶ୍ର ଯେଉଁ ସମୟରେ ଓଲିଉଡ ଇଣ୍ଡଷ୍ଟ୍ରିକୁ ଆସିଥିଲେ ସେତେବେଳେ ସିଦ୍ଧାନ୍ତ ମହାପାତ୍ର ଇଣ୍ଡଷ୍ଟ୍ରିର ଟପ୍‌ ହିରୋ ଥିଲେ। ତାଙ୍କ ଅପୋଜିଟ୍‌ରେ ହିରୋଇନ ହେବା ଅଭିନେତ୍ରୀମାନଙ୍କର ସ୍ୱପ୍ନ ଥିଲା। ସେଇ ଅଭିନେତାଙ୍କ ସୁପରହିଟ୍‌ ଫିଲ୍ମ ‘କୁଳ ନନ୍ଦନ’ରେ ହିରୋଇନ ହୋଇଥିଲେ ମେଘନା ମିଶ୍ର। ଫିଲ୍ମରେ ତାଙ୍କ ସୁନ୍ଦର ଅଭିନୟ ଓ ଡ୍ୟାନ୍ସର ଝଲକ ଦେଖିବାକୁ ପାଇଥିଲେ ଦର୍ଶକ।

ପରବର୍ତ୍ତୀ ସମୟରେ ‘ନାରୀ ଆଖିରେ ନିଆଁ’, ‘ପ୍ରଥମ ପ୍ରେମ’, ‘କାଳୀ ଶଙ୍କର’, ‘ତୁ ଯେଇ ସେଇ’ ଆଦି ଫିଲ୍ମରେ ହିରୋଇନ ହେବାର ସୁଯୋଗ ପାଇଥିଲେ ମେଘନା।  ତା’ ଛଡ଼ା ବିଭିନ୍ନ ମେଗା ସିରିଏଲରେ ଅଭିନୟ କରିଥିଲେ ସେ।

ମହିଳା କୈନ୍ଦ୍ରିକ ଫିଲ୍ମ କରିବାକୁ ଭଲ ଲାଗେ – ମେଘନା

‘‘ମୁଁ ମୋ କ୍ୟାରିୟର ଭିତରେ ଖୁବ୍‌ କମ କାମ କରିଛି। କିନ୍ତୁ ଯାହା କରିଛି ତାକୁ ଦର୍ଶକ ଗ୍ରହଣ କରିଛନ୍ତି ଏବଂ ଭଲ ପାଇଛନ୍ତି। ତେଣୁ ମୁଁ ସବୁବେଳେ ଚେଷ୍ଟା କରିଛି କିଛି ନିଆରା କରିବାକୁ। ସେଥିପାଇଁ ମୁଁ ମୋ ଚରିତ୍ରଗୁଡ଼ାକୁ ବାଛି ବାଛି କରେ। ବ୍ୟକ୍ତିଗତ ଭାବେ ମହିଳା କୈନ୍ଦ୍ରକ ଫିଲ୍ମରେ ଅଭିନୟ କରିବାକୁ ଭଲ ଲାଗେ। ଫିଲ୍ମରେ ମୋ ଚରିତ୍ରର ଗୁରୁତ୍ୱ ଦେଖି ମୁଁ ସିନେମା କରେ’’, କହନ୍ତି ମେଘନା ମିଶ୍ର।

‘ଶ୍ରୀଜଗନ୍ନାଥ’ ସିରିଏଲ ଦେଲା ଭିନ୍ନ ପରିଚୟ

୧୯୯୯ ମହାବାତ୍ୟା ପରେ ଓଡ଼ିଆ ଇଣ୍ଡଷ୍ଟ୍ରିର ସ୍ଥିତି ବହୁତ ଖରାପ ଥିଲା। ଖୁବ୍‌ କମ୍‌ କାମ ହେଉଥିଲା।  ଯାହା କାମ ହେଉଥିଲା ସେଥିପାଇଁ ଖୁବ୍‌ କମ୍‌ ପାରିଶ୍ରମିକ ମିଳୁଥିଲା। ସେତିକିବେଳେ ମେଘନା ଇଣ୍ଡଷ୍ଟ୍ରିକୁ ପଶିଥିଲେ। ଅନ୍ୟପଟେ ମେଘନାଙ୍କର ପାଠ ପଢ଼ା ବି ଚାଲିଥିଲା। ତେଣୁ ସେ ପାଠପଢ଼ାରେ ଫୋକସ୍‌ କରି ଅଳ୍ପ କିଛି ଦିନ ପରେ ଅଭିନୟରୁ ଦୂରେଇ ଯାଇଥିଲେ ବୋଲି କହନ୍ତି ମେଘନା। ଏହାପରେ ପୁଣିଥରେ ତରଙ୍ଗରେ ପ୍ରସାରିତ ‘ଶ୍ରୀଜଗନ୍ନାଥ’ ସିରିଏଲରେ ମେଘନାଙ୍କ କମବ୍ୟାକ ହୋଇଥିଲା।  ଏହି ସିରିଏଲରେ ସେ ମା’ ଲକ୍ଷ୍ମୀଙ୍କ ଚରିତ୍ରରେ ଅଭିନୟ କରିଥିଲେ। ସେହି ସିରିଏଲ ତାଙ୍କୁ ବେଶ୍‌ ଲୋକପ୍ରିୟତା ଦେଇଥିଲା।

‘ଏକ୍ସପୋଜ୍‌’ରେ ଖଳନାୟିକା ମେଘନା

୨୦୨୨ରେ ଓଟିଟି ପ୍ଲାଟଫର୍ମରେ ଓ୍ୱେବସିରିଜ ଏକ୍ସପୋଜ୍‌ ରିଲିଜ ହୋଇଥିଲା। ମେଘନା ମିଶ୍ର ଏଥିରେ ଜଣେ ରାଜନେତା ଚରିତ୍ରରେ ନଜର ଆସିଥିଲେ। ତାଙ୍କ ନାଁ ଥିଲା ପ୍ରଭା ଦେବୀ। ପ୍ରଥମ ଥର ପାଇଁ ମେଘନା ନେଗେଟିଭ୍‌ ରୋଲ୍‌ କରି ଦର୍ଶକଙ୍କ ପ୍ରଶଂସା ସାଉଣ୍ଟିଥିଲେ। ଏହି ଓ୍ୱେବସିରିଜରେ ଅନ୍ୟମାନଙ୍କ ଭିତରେ ସୋମେଶ ମହାନ୍ତି ଓ କାବ୍ୟା କିରଣ, ବିକ୍ରମ କେଶରୀ, ଚୌଧୁରୀ ଜୟ ପ୍ରକାଶ ଦାସ, ସୁକାନ୍ତ ରଥ। ଏହି ମଲ୍ଟିଷ୍ଟାରର୍ ୱେବ୍‌ ସିରିଜ୍‌ର ନିର୍ଦ୍ଦେଶନା ଦେଇଥିଲେ ଯୁବ ନିର୍ଦ୍ଦେଶକ ଅଜୟ ପାଢ଼ୀ।

୧୭ ବର୍ଷ ବୟସରେ ହୋଇଥିଲା ପ୍ରେମ

ଓଲିଉଡର ଜଣାଶୁଣା ଅଭିନେତା ଚନ୍ଦନ ମହାନ୍ତି ହେଉଛନ୍ତି ମେଘନା ମିଶ୍ରଙ୍କ ଜୀବନ ସାଥୀ। ଚନ୍ଦନଙ୍କ ଆଲବମ୍‌ ‘ଗାଁ ମଝିରେ ଚାନ୍ଦିନୀ’, ‘ଶ୍ରାବଣରେ ଶ୍ରାବଣ’ ଏଭରଗ୍ରୀନ। ସିରିଏଲ ‘କଥା କହୁଥିଲେ ସରିବନି’ରୁ ଉଭୟଙ୍କ ଦେଖା, ତା’ପରେ ପ୍ରେମ ଆଉ ବିବାହ। ପାଖାପାଖି ୧୮ ବର୍ଷର ଦାମ୍ପତ୍ୟରେ ଜୀବନ ଉଭୟ ଅନେକ ସଫଳତା ହାସଲ କରିଛନ୍ତି। କଟକ ସିଡିଏରେ ମେଘନାଙ୍କର ଏସେଲ୍ସ ପବ୍ଲିକ ସ୍କୁଲ ରହିଛି।  ଅଭିନୟ ସହିତ ସ୍କୁଲ ପରିଚାଳନ କରି ଆଜି ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

Tags: #Entertainment #OdiaCinema #ActressMeghnaMishra #CineJourney

Comment