ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଥମ ମହିଳା ଗୀତିକାର ବିନୋଦିନୀ ଦେବୀଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ମସ୍ତିଷ୍କାଘାତରେ ଦୀର୍ଘ ମାସ ହେବ ସେ ଶଯ୍ୟାଶାୟୀ ଥିଲେ। ଅନୁଗୁଳସ୍ଥିତ ବାସଭବନରେ ସୋମବାର ଦିନ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ବିୟୋଗରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି।

କଟକ ତିଗିରିଆଠାରେ ୧୯୩୭ ମସିହାରେ ଜନ୍ମ ହୋଇଥିବା ବିନୋଦିନୀ ଦେବୀ ପୁରୀ ଜିଲ୍ଲା ଅନ୍ତର୍ଗତ ଡେଲାଙ୍ଗ ସୁଜନପୁର ଗ୍ରାମରେ ବିବାହ କରିଥିଲେ। ସେ ଥିଲେ ଓଡ଼ିଆ ସୁଗମ ଏବଂ ଚଳଚ୍ଚିତ୍ର ସଂଗୀତର ଅପ୍ରତିଦ୍ୱନ୍ଦ୍ୱୀ ଗୀତିକାର। ଓଡ଼ିଆ ଚଳଚ୍ଚିତ୍ରର ପ୍ରଥମ ମହିଳା ଗୀତିକାର ଭାବେ ବିନୋଦିନୀ ଦେବୀ ସୌଭାଗ୍ୟ ଅର୍ଜନ କରିଛନ୍ତି।

ବିନୋଦିନୀ ଦେବୀ ୧୯୫୮ ମସିହାରୁ ଆକାଶବାଣୀର ସ୍ୱୀକୃତିପ୍ରାପ୍ତ ଗୀତି କବି ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ୧୯୬୫ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘ମଲାଜହ୍ନ’ରୁ ସେ ଗୀତ ରଚନା ଆରମ୍ଭ କରିଥିଲେ। ଏହା ପରେ ଓଡ଼ିଆ ସିନେମାରେ ଗୀତ ଲେଖିବା ପାଇଁ ଗୋଟିଏ ପରେ ଗୋଟିଏ ସୁଯୋଗ ପାଇଥିଲେ।

‘ମଲାଜହ୍ନ’ର ‘ରକତ ଟଳମଳ ଖଇର ପାଞ୍ଚପଳ..’, ‘ଶ୍ରୀ ଜଗନ୍ନାଥ’ ଚଳଚ୍ଚିତ୍ରର ‘କାଳିଆ ଆସିଲା ଭାଇ କାଳିଆ ଆସିଲା..’ ଓ ‘ସେ ତ ଭକତ ଭାବରେ ବନ୍ଧା’, ‘ତଅପୋଇ’ ଚଳଚ୍ଚିତ୍ରର ‘ନିରିମାଖୀ କୁଆଁରୀ ମୁଁ…’ ଏବଂ ‘ଜୟ ଜଗନ୍ନାଥ’ ଚଳଚ୍ଚିତ୍ରର ‘ନଟ ହେ ମଞ୍ଜି ପୋତିଲ ତୁମେ..’ ଆଦି ଗୀତ ବେଶ୍ ଲୋକପ୍ରିୟ।

ତାଙ୍କ ରଚିତ ଅନ୍ୟ ଗୀତଗୁଡ଼ିକ ମଧ୍ୟରେ ‘ମୁଁ ତୁମ ବଧୁ ନୁହେଁ ବନ୍ଧୁ’, ‘ଏଇ କଳା ମୋର କଳଙ୍କ’, ‘ନଦୀ ତ ନେଇଛି ତା’ର ଆପଣା ଗତି’, ‘ଏଇ ଝିଅଟି ଘର କେଉଁଠି’, ‘ଆ ଖିଲି ପାନ ବଣକୁ ଯିବା’ ଆଦି ଲୋକପ୍ରିୟତା ହାସଲ କରିଛି।

ସେହିପରି ତାଙ୍କ ରଚିତ ‘ଖୋକାଟିଏ ଖୋକିଟିଏ’ (ଶିଶୁଗୀତି ସଙ୍କଳନ), ‘ଅମୃତା’ (ଭକ୍ତିଗୀତି ସଙ୍କଳନ), ଟିକି ଟିକି ନାଲି କାଇଁଚ (ଶିଶୁଗୀତି ସଙ୍କଳନ), ‘ଏଇ କଳା ମୋର କଳଙ୍କ’ (ଆଧୁନିକ ଗୀତ ସଂକଳନ) ଆଦି ବେଶ୍ ଚର୍ଚ୍ଚା ସାଉଣ୍ଟିଛି।

Tags: #Veteranodialyricist #Binodinidevi #Firstwomenodialyricist #odisha #Odiacinema #odiacinemasong

Comment