ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶିଷ୍ଟ ଗୀତିକାର ନାରାୟଣ ପ୍ରସାଦ ସିଂହଙ୍କ ତିରୋଧାନରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଏକ ଅପୂରଣୀୟ କ୍ଷତି ହୋଇଛି। ‘ରସରାଜ’ ନାମରେ ଅତି ପରିଚିତ ନାରାୟଣ ପ୍ରସାଦଙ୍କୁ ମୃତ୍ୟୁ ବେଳକୁ ୮୬ ବର୍ଷ ହୋଇଥିଲା। କଟକ ଜିଲ୍ଲା ଆଦିତେଶ୍ୱର ନିକଟ କୋଇଲ ଗ୍ରାମରେ ୨୮ ମେ ୧୯୩୩ରେ ସେ ଜନ୍ମ ଗ୍ରହଣ କରିଥିଲେ।

ଓଡ଼ିଶା ସରକାରଙ୍କ ମତ୍ସ୍ୟ ବିଭାଗରେ ଚାକିରୀ କରୁଥିବା ରସରାଜଙ୍କ ଗୀତିକାର ଜୀବନ ଘଟଣାବହୁଳ ଥିଲା। ୧୯୬୦ରେ ଆକାଶବାଣୀର ସ୍ଵୀକୃତିପ୍ରାପ୍ତ ଗୀତିକାର ଭାବରେ ସେ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ। ‘ନୂଆବୋଉ’ ଚଳଚ୍ଚିତ୍ର ପାଇଁ ସେ ପ୍ରଥମ ଗୀତ ଲେଖିଥିଲେ। ପ୍ରାୟ ୧୫୦ ଓଡ଼ିଆ ଚଳଚ୍ଚିତ୍ର ପାଇଁ ଗୀତ ଲେଖିବା ଭିତରେ ସେ ଏକ ରେକର୍ଡ ତିଆରି କରିପାରିଛନ୍ତି।

‘ଗାରେ ସିନ୍ଦୁର, ଧାରେ ଲୁହ'(୨୦୦୨) ଥିଲା ତାଙ୍କର ଶେଷ ଚଳଚ୍ଚିତ୍ର। ସିନେମା ବ୍ୟତୀତ ସେ ଅନେକ ଗୁଡ଼ିଏ ଆଧୁନିକ ଓ ପଲ୍ଲି ଗୀତ ମଧ୍ୟ ଲେଖିଛନ୍ତି। ଗୀତିକବିତା ପାଇଁ ତାଙ୍କ ଦୁର୍ବଳତା ଏତେ ଥିଲା ଯେ ଗୀତିକାରମାନଙ୍କୁ ସ୍ୱୀକୃତି ଦେବା ପାଇଁ ସେ ‘ଓଡ଼ିଆ ଗୀତିକବି ସମାଜ’ ଗଠନ କରିଥିଲେ।

ରସରାଜଙ୍କ କିଛି ଅଭୁଲା ଗୀତ ଭିତରୁ ‘ତୋର ଉଡ଼ି ଉଡ଼ି ଯାଏ କାନି’, ‘ଏ ତ କଳିକାଳ ରୀତି’, ମରମ ତଳେ, ଜୀବନ ଯମୁନାରେ ଜୁଆର ଆସେରେ, ଜୀବନେ ସପନ ଯେତେ, ମମତା ମଧୁର ପ୍ରିୟ, ପ୍ରଭୁ ପାଦ ତଳେ ପ୍ରଣତି ଢାଳେ, ଚୋରା ଚୋରା ପ୍ରୀତି ଅତ୍ୟନ୍ତ ଲୋକପ୍ରିୟ।

ନାରାୟଣ ପ୍ରସାଦ ସିଂହ ଦୁଇ ଖଣ୍ଡ ପୁସ୍ତକ ବି ଲେଖିଛନ୍ତି। ଏଗୁଡ଼ିକ ହେଲା ‘ଦୁଇଟି ଆଖିର କବିତା’ ଓ ‘ବନ୍ଧୁଭରା ବସୁନ୍ଧରା। ‘ଓଡ଼ିଆ ଗୀତିକବିତାକୁ ସେ ରଖିଥିବା ଅବଦାନ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ତାଙ୍କୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ପୁରସ୍କାର ମିଥିଲା।

LEAVE A REPLY

Please enter your comment!
Please enter your name here