ଓଡ଼ିଶାଲାଇଭ୍ ବ୍ୟୁରୋ

ବ୍ରହ୍ମପୁର ଶୀତଳାପଲ୍ଲୀ ସ୍ଥିତ ସମ୍ ହସ୍ପିଟାଲ କ୍ୟାମ୍ପସ୍‌ରେ ରବିବାର ମଧୁମେହ ରୋଗୀଙ୍କ ନିମନ୍ତେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ ହୋଇଯାଇଛି। ଏଥିରେ ବ୍ରହ୍ମପୁର ଓ ଆଖପାଖ ଅଞ୍ଚଳର ୧୫୦ରୁ ଅଧିକ ପୁରୁଷ ଓ ମହିଳା ଯୋଗ ଦେଇଥିଲେ। ଏହି ଶିବିରରେ ଡାକ୍ତର ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ରୋଗୀମାନଙ୍କୁ ଚିକିତ୍ସା କରିବା ସହ ଖାଦ୍ୟ ଗ୍ରହଣ, ବ୍ୟାୟାମ ଏବଂ ସୁସ୍ଥ ଜୀବନ ଶୈଳୀ ବିଷୟରେ ପରାମର୍ଶ ଦେଇଥିଲେ।

ସମ୍ ହସ୍ପିଟାଲ ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ରବିବାର ସକାଳ ୯ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଏହି ସ୍ୱାସ୍ଥ୍ୟ ସେବା ଶିବିର ଚାଲିଥିଲା। ଏଥିରେ ଆସିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ରକ୍ତ ନମୁନା ପରୀକ୍ଷା ସହ ଆଖି ପରୀକ୍ଷା (ରେଟିନୋସ୍କୋପି), ରକ୍ତଚାପ ପରୀକ୍ଷା ଓ ଡାଇବେଟିସରେ ପାଦର ଯତ୍ନ ସମ୍ବନ୍ଧୀୟ ଚିକିତ୍ସା କରାଯାଇଥିଲା।

“ମଧୁମେହ ରୋଗରେ ପୀଡ଼ିତ ହୋଇ ଅନେକ ଲୋକ ବିଭିନ୍ନ ସ୍ଵାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଲୋକମାନଙ୍କୁ ଏହିଭଳି ମାଗଣା ସ୍ୱାସ୍ଥ୍ୟ ଓ ସଚେତନତା ଶିବିର ଜରିଆରେ ମଧୁମେହ ସମ୍ପର୍କରେ ସଚେତନ କରାଇବା ଆମର ଲକ୍ଷ୍ୟ ରହିଛି। ଲୋକେ ମଧ୍ୟ ଏଥିରେ ଅଧିକ ସଂଖ୍ୟାରେ ଯୋଗ ଦେଉଛନ୍ତି”, କହିଛନ୍ତି ସମ୍ ହସ୍ପିଟାଲର ନିର୍ଦ୍ଦେଶକ ଦେବ ପ୍ରସାଦ ଦାଶ।

ସେହିପରି ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ସମ୍ ହସ୍ପିଟାଲରେ ଲୋକଙ୍କ ସିବିସି, ଏଚ୍‌ବିଏ୧ସି, ଏଫ୍‌ବିଏସ୍‌, ପିପିବିଏସ୍‌, କିଡ୍‌ନୀ ଫଙ୍କସନ୍ ଟେଷ୍ଟ, ଲିପିଡ ପ୍ରୋଫାଇଲ୍ (କୋଲେଷ୍ଟ୍ରାଲ୍ ଟେଷ୍ଟିଂ) ଓ ୟୁରିନ୍ ଆର୍‌/ଏମ୍ ଭଳି ସ୍ୱାସ୍ଥ୍ୟ ପରୀକ୍ଷାର ମୂଲ୍ୟରେ ରିହାତି ଦିଆଯିବ ବୋଲି ଏଠାରେ ଘୋଷଣା କରାଯାଇଛି।

ଏହି ଶିବିରରେ ସମ୍ ହସ୍ପିଟାଲର ଏଣ୍ଡୋକ୍ରାଇନୋଲୋଜି ବିଶେଷଜ୍ଞ ଡାକ୍ତର ଜୀବନ ପ୍ରଧାନ ଓ ଚକ୍ଷୁ ଚିକିତ୍ସା ବିଭାଗର ବିଶେଷଜ୍ଞ ଡାକ୍ତର ସ୍ନିଗ୍ଧା ରୋଗୀମାନଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ହସ୍ପିଟାଲର ସମସ୍ତ ନର୍ସ ଓ କର୍ମଚାରୀମାନେ ଶିବିରକୁ ସୁଚାରୁ ରୂପେ ପରିଚାଳନା କରିଥିଲେ।

Tags: #SumHospital #FreeHealthCamp #Diabetes #Healthcare #Berhampur

Comment