ଓଡ଼ିଶାଲାଇଭ୍ ବ୍ୟୁରୋ

ମହାରାଷ୍ଟ୍ର ରାଜ୍ୟର ନାସିକରୁ କୃଷି ଓ ବୈଷ୍ୟୟିକ ପରିଚାଳନା ସଂସ୍ଥା ତରଫରୁ କୃଷି ବୈଜ୍ଞାନିକ ସାଗର ଖଇନାରଙ୍କ ନେତୃତ୍ୱରେ ୩୫ ଜଣ ଚାଷୀ ଆଜି ଜୟପୁରରେ ଆସି ପହଞ୍ଚିଛନ୍ତି। ସେମାନଙ୍କର ଏହି ଦୁଇ ଦିନିଆ କୋରାପୁଟ ଗସ୍ତ ସମୟରେ ସେମାନେ ଜୟପୁର ସ୍ଥିତ ଏମଏସ ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନରେ ପ୍ରଶିକ୍ଷଣ ନେବାର କାର୍ଯ୍ୟକ୍ରମ ରହିଛି।

ଆଜି ପ୍ରଥମ ଦିନରେ ସେମାନଙ୍କୁ କେନ୍ଦ୍ରର ନିର୍ଦ୍ଦେଶକ କ୍ରୀଷ୍ଣ କୁମାର ନଉଲଡି ସ୍ୱାଗତ କରିବା ସହ ଅନୁଷ୍ଠାନର ବୈଜ୍ଞାନିକ ପ୍ରଶାନ୍ତ କୁମାର ପରିଡ଼ା, କାର୍ତ୍ତିକ ଚରଣ ଲେଙ୍କା, ନିରଞ୍ଜନ ଗୌଡ଼ ସ୍ୱାଗତ କରିଥିଲେ। ଏମାନେ ଅତିଥୀମାନଙ୍କୁ ସଂସ୍ଥା ପରିସରରେ ପ୍ରଦର୍ଶିତ ଶସ୍ୟ ଏବଂ ସଂସ୍ଥାର ଉଦ୍ଭିଦ ଏବଂ ପୋଷଣ ବଗିଚା ବୁଲାଇ ଦେଖାଇଥିଲେ। ଅପରାହ୍ନରେ ସେମାନଙ୍କୁ କୋରାପୁଟ ବ୍ଲକର ମାଛରା ଏବଂ ମସ୍ତିପୁଟ ନିଆଯାଇ ସେଠାରେ ବିଭିନ୍ନ କିସମର ଖାଦ୍ୟ ଶସ୍ୟ ଯେପରି ଧାନ ଏବଂ ମାଣ୍ଡିଆ କୃଷି କ୍ଷେତ୍ର ବୁଲିଦେଖିଥିଲେ।
ଏହାସହ ସେଠାକାର ଚାଷୀଙ୍କ ଦ୍ୱାରା ପ୍ରସ୍ତୁତ ମାଣ୍ଡିଆ ଜାଉ ଅତିଥିଙ୍କୁ ପରଶା ଯାଇଥିଲା। ସେହିପରି ସେମାନଙ୍କୁ ଜୈବିକ ଖତ ଯେପରି ହାଣ୍ଡି ଖତ, ଜୀବାମୃତ ଏବଂ ଅମୃତଜଳ ଆଦିର ପ୍ରସ୍ତୁତ ପ୍ରଣାଳୀ ବିଷୟରେ ଅବଗତ କରାଯାଇଥିଲା।

ଚଳିତ ବର୍ଷ ମାଣ୍ଡିଆ ଚାଷ କ୍ଷେତ୍ରରେ ସର୍ବୋଚ୍ଚ ଅମଳ ବାବଦରେ ୨୦.୫୫ କୁଇଣ୍ଟାଲ ଅମଳ କରିଥିବା ଦୁଇ ଚାଷୀ ହରି ସୁକିଆ ଏବଂ ଗୁରି ସାକିଆ ସେମାନଙ୍କୁ ସୂଚନା ଦେଇଥିଲେ। ଏହାକୁ ବିଶ୍ୱରଞ୍ଜନ ଦାଶ ଏବଂ ତ୍ରୀନାଥ ତାରାପୁଟିଆ ପରିଚାଳନା କରିଥିଲେ।
ଅନ୍ୟପକ୍ଷରେ ସ୍ୱୟଂ ସହାୟକ ଗୋଷ୍ଠିଙ୍କ ଦ୍ୱାରା ମାଣ୍ଡିଆ ପ୍ରସ୍ତୁତୀକରଣ ବ୍ୟବସ୍ଥା ସେମାନଙ୍କୁ ଆକୃଷ୍ଟ କରିଛି। ପ୍ରଶିକ୍ଷଣର ଦ୍ୱିତୀୟ ଦିନରେ ସେମାନଙ୍କୁ ଚାଷ ପଦ୍ଧତି, ମିଲେଟ ପ୍ରକ୍ରିୟାକରଣ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏନେଇ କୃଷି ବୈଜ୍ଞାନିକ ପ୍ରଶାନ୍ତ କୁମାର ପରିଡ଼ା ପ୍ରକାଶ କରିଛନ୍ତି।


















