ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଭାରତର ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ତାଙ୍କ ସୁମଧୁର କଣ୍ଠ ପାଇଁ କେବଳ ଦେଶରେ ନୁହେଁ ବରଂ ସାରାବିଶ୍ୱରେ ପରିଚିତ। ସୁମଧୁର କଣ୍ଠରେ ଶ୍ରୋତାଙ୍କୁ ଦିଓ୍ୱାନା କରିଥିବା ଲତା ଆଜି ତାଙ୍କ ୯୦ତମ ଜନ୍ମଦିନ ପାଳନ କରୁଛନ୍ତି।
ଭାରତର ସବୁଠାରୁ ବଡ଼ ଗାୟିକା ହିସାବରେ ତାଙ୍କର ପରିଚୟ ରହିଛି। ଲତା ମଙ୍ଗେସକର ୩୫ରୁ ଅଧିକ ଭାଷାରେ ଗୀତ ଗାଇଛନ୍ତି।
ସେ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ ୧୯୪୨ରେ। ତାଙ୍କର ପ୍ରଥମ ଗୀତ ଥିଲା ’ମାତା ଏକ ସପୁତ କି ଦୁନିଆ ବଦଲ ଦେ ତୁ’। ୧୯୪୮ରେ ନିର୍ମିତ ଚଳଚ୍ଚିତ୍ର ’ମଜବୁର’ରେ ଲତା ଗାଇଥିବା ’ଦିଲ୍ ମେରା ତୋଡା, ମୁଝେ କହିଁକା ନା ଛୋଡା’ ତାଙ୍କ କ୍ୟାରିଅରରେ ବଡ଼ ବ୍ରେକ୍ ଆଣିଦେଇଥିଲା।
ଲତା ମଙ୍ଗେସକରଙ୍କ ଉପନାମ ଥିଲା ଲତା ହାର୍ଦ୍ଦିକର। ପରେ ତାଙ୍କ ବାପା ଦିନାନାଥ ଗୋଆରେ ଥିବା ତାଙ୍କ ପୈତୃକ ସ୍ଥାନ ମଙ୍ଗେସକୁ ଦୃଷ୍ଟିରେ ରଖି ଲତାଙ୍କ ସାଙ୍ଗିଆ ବଦଳାଇ ଦେଇଥିଲେ। ହେଲେ ଜନ୍ମ ବେଳେ ଲତାଙ୍କର ନାମ ଥିଲା ହେମା ମଙ୍ଗେସକର। ତେବେ ତାଙ୍କ ପିତା ଏକ ନାଟକର ଚରିତ୍ର ଅନୁସାରେ ଲତିକାରୁ ଲତା ନାମ କରିଦେଇଥିଲେ।










୧୯୪୨ରୁ ୧୯୪୮ ମଧ୍ୟରେ ସେ କିଛି ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ। କିନ୍ତୁ ଅଭିନୟରେ ତାଙ୍କର ଆଗ୍ରହ ନଥିଲା। ସଙ୍ଗୀତ ପ୍ରତି ସେ ସବୁବେଳେ ଆକୃଷ୍ଟ ଥିଲେ ଏବଂ ଏହାକୁ ସେ ଅଗ୍ରାଧିକାର ଦେଇଆସୁଥିଲେ।
୧୯୭୪ରେ ଲତା ମଙ୍ଗେସକର ଲଣ୍ଡନର ରୋୟଲ ଆଲବର୍ଟ ହଲ୍ରେ ପ୍ରଥମ ପରିବେଷଣ କରିଥିଲେ। ଏହି ହଲ୍ରେ ସଙ୍ଗୀତ ପରିବେଷଣ କରିବାରେ ସେ ଥିଲେ ପ୍ରଥମ ଭାରତୀୟ। ଏହାଛଡ଼ା ୧୯୭୪ରୁ ୧୯୯୧ ମଧ୍ୟରେ ଲତା ସବୁଠାରୁ ଅଧିକ ସଂଖ୍ୟକ ଗୀତ ଗାଇ ଗିନିଜ୍ ୱାର୍ଲ୍ଡ୍ ରେକର୍ଡରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ।
ଲତା ମଙ୍ଗେସକର କ୍ରିକେଟର ଜଣେ ବଡ଼ ଫ୍ୟାନ୍, ବିଶେଷକରି ସଚିନ ତେନ୍ଦୁଲକରଙ୍କର। ସଚିନ ଯେଉଁସବୁ ମ୍ୟାଚ ଖେଳୁଥିଲେ, ଲତା ସେସବୁ ମ୍ୟାଚ ଦେଖିବାର ପ୍ରମାଣ ରହିଛି।
ଲତା ମଙ୍ଗେସକରଙ୍କୁ ଉଡାଜାହାଜରେ ଯିବାକୁ ଭୟ ଲାଗେ। ଏହି କାରଣରୁ ଯେତେବେଳେ ଫ୍ରାନ୍ସ ସରକାର ତାଙ୍କୁ ଏକ ବଡ଼ ସମ୍ମାନ ଦେବାକୁ ଚାହିଁଲେ, ସେହି ସମ୍ମାନକୁ ମୁମ୍ବାଇରେ ତାଙ୍କୁ ଦିଆଯାଇଥିଲା।








