ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି):  ‘ଭଲ କବିତାର ଖୋଜ୍’ ର ୭୫ତମ ଆସର ରବିବାର ବାଲେଶ୍ୱର ରାଜାବଗିଚାସ୍ଥିତ ବ୍ରିଟ୍ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଆସରରେ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ ଜଗତସିଂହପୁରରୁ ଆସିଥିବା କବି ଅରକ୍ଷିତ ପରିଜା। ଅରକ୍ଷିତ ଜଗତସିଂହପୁର ଜିଲ୍ଲାର ନିପଟ ଏକ ମଫସଲ ଗ୍ରାମରେ ଛେଳି ଚରେଇବା ସହ କବିତା ଲେଖନ୍ତି ଓ ପଢନ୍ତି। ତାଙ୍କର ଦୈନନ୍ଦିନ କାର୍ଯ୍ୟ ହେଲା ଛେଳି ଚରେଇବା। ଛେଳିଙ୍କୁ ଚରେଇବା ସମୟରେ ସେ ପ୍ରଚୁର ବହି ଓ ପତ୍ରପତ୍ରିକା ପଢନ୍ତି। ଓଡିଆରେ ପୋଷ୍ଟ୍ ଗ୍ରାଜୁଏଟ୍ ଅରକ୍ଷିତ ପାରାଦୀପ ବନ୍ଦରର ଚାକିରିକୁ ପରିତ୍ୟାଗ କରିବା ସହ ଦୀର୍ଘ ବର୍ଷ ଧରି ନିଜ ଘରେ ଛେଳି ରଖି ତାର ଲାଳନପାଳନରେ ଲାଗିଛନ୍ତି।

୧୯୯୯ ମହାବାତ୍ୟା ବେଳେ ଗୋଟିଏ ଛେଳି ଛୁଆ ତାଙ୍କ ଘରକୁ ଚାଲିଆସିଥିଲା ଏବଂ ମହାବାତ୍ୟା ପରେ ସେ ଆଉ ଛାଡି ଗଲାନି। ଏହାକୁ ଈଶ୍ୱରଙ୍କ ଇଚ୍ଛା ଭାବି ଅରକ୍ଷିତ ସେଇଦିନୁ ତାକୁ ପାଳିଛନ୍ତି। ଏବେ ଛେଳି ସଂଖ୍ୟା ବୃଦ୍ଧି ପାଇ ଛଅରୁ ସାତଟି ହେଲାଣି। ସେଇ ଅରକ୍ଷିତ ପରିଜାଙ୍କ କାବ୍ୟ ପ୍ରତିଭାକୁ ଠାବ କରି ‘ଭଲ କବିତାର ଖୋଜ୍’ ପକ୍ଷରୁ ତାଙ୍କୁ ମାନପତ୍ର, ଉପାୟନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।

‘‘ଶବ୍ଦର ପ୍ରକୃତ ଅର୍ଥ ନବୁଝି କବିତା ଲେଖିବା ଆଦୌ ଭଲ କବିତା ନୁହେଁ‘‘, ସମ୍ବର୍ଦ୍ଧନା ସଭାରେ କହିଥିଲେ ଅରକ୍ଷିତ।

ଏହାଛଡ଼ା ଚାକିରି ଛାଡି ଦେଇ ସାରାଦିନ ଛେଳିଙ୍କୁ ଚରାଇବା ଓ ଵହି ପଢିବା ଭିତରେ ସେ କେଉଁ ପ୍ରକାର ଆନନ୍ଦ ଲାଭ କରନ୍ତି ସେ ସମ୍ପର୍କରେ କହିଥିଲେ ଅରକ୍ଷିତ।

‘ରେବତୀ’ ପତ୍ରିକାର ସଂପାଦିକା ସୁବାସିନୀ ଜେନା ଉପସ୍ଥିତ ଥିଲେ। ସଭାର ଆରମ୍ଭରେ ଆବାହକ ଉତ୍ପଳ ମହାନ୍ତି ପ୍ରାରମ୍ଭିକ ସମ୍ଭାଷଣ ଦେବା ସହ ‘ଭଲ କବିତାର ଖୋଜ୍’ର ଆଭିମୁଖ୍ୟ ବୁଝାଇଥିଲେ। କବି ରଂଜନ ବାଗ୍ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟତମ ଆବାହକ କୃଷ୍ଣ କୁମାର ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଆସରରେ ଉପସ୍ଥିତ ୪୦ଜଣ ଅତିଥି କବି ଓ ଗାଳ୍ପିକ ନିଜ ନିଜର ବକ୍ତବ୍ୟ ରଖିବା ସହ ଗଳ୍ପ ଓ କବିତା ପାଠ କରିଥିଲେ। ଅରକ୍ଷିତ ପରିଜା, ପ୍ରୀତିଲେଖା ଦାସ, ଗଙ୍ଗାଧର ବିଶ୍ଵାଳ, ଦେବଯାନୀ ଦାସ, ମନସ୍ଵିନୀ ଦେବୀ, ଜ୍ୟୋତ୍ସ୍ନା ରାୟ, ସରୋଜିନୀ ଦାଶ, ଦୀପକ ବୋଷ୍, ସିତାଂଶୁ ଲେଙ୍କା, ପ୍ରଦୀପ ଚାଟ୍ଟାର୍ଜି, ଅଶ୍ୱିନୀ ଦାଶ, ନିବାରଣ ଜେନା, ହୃଦାନନ୍ଦ ପାଣିଗ୍ରାହୀ, ପ୍ରଦୀପ୍ତ ମହାନ୍ତି, ସୁନୀଲ ମିଶ୍ର, ଜୟନ୍ତୀ ବିଶ୍ଵାଳ ବେହୁରିଆ, ବଂଶୀଧର ଚୌଧୁରୀ, କାଳୀପଦ ପଣ୍ଡା, କୁଂଜବିହାରୀ ଧଳ, କମଳିନୀ କାସ୍ତ, ଦେବଯାନୀ ଦାସ, ଲିପିରେଖା ମହାପାତ୍ର, ଉତ୍ପଳ ମହାନ୍ତି, ଅଧ୍ୟାପକ ନିରଞ୍ଜନ ବେହେରା ଓ ରଂଜନ ବାଗ୍ ପ୍ରମୁଖ କବିତା ପଢିଥିବା ବେଳେ ସ୍ମୃତି ଦାସ ଗଳ୍ପ ପାଠ କରିଥିଲେ। ନାଟ୍ୟକାର ହେମେନ୍ଦ୍ର ମହାପାତ୍ର, ସମ୍ପାଦିକା ଅରୁଣା ରାୟ, ତପନ ରାୟ ବକ୍ତବ୍ୟ ରଖିଥିଲେ। ପଠିତ କବିତାଗୁଡିକ ସମ୍ପର୍କରେ ଆଲୋଚନା କରିଥିଲେ ଡକ୍ଟର ହରିଶ୍ଚନ୍ଦ୍ର ବେହେରା, ଡକ୍ଟର ସୁବାସ ଚନ୍ଦ୍ର ପାତ୍ର ଓ ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ।

LEAVE A REPLY

Please enter your comment!
Please enter your name here