ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ପାଳିତ ହୋଇଛି ଉଦ୍ୟୋଗ ଦିବସ। ଏହି ଅବସରରେ ବିଶ୍ୱବିଦ୍ୟାଳୟର ଟି.ବି.ଆଇ ଓ ମହାବିଦ୍ୟାଳୟ ଉନ୍ନୟନ ପରିଷଦ ପକ୍ଷରୁ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞ ଓ ବକ୍ତା ଭାବରେ ବାଲେଶ୍ଵରସ୍ଥିତ ଇମାମି ପେପର ମିଲ୍ସ ଲିମିଟେଡର ମାନବ ସମ୍ବଳ ଜେନେରାଲ୍ ମ୍ୟାନେଜର ଡକ୍ଟର ୟୁସୁଫ୍ ସୋଲାଙ୍କି ଓ ଭୁବନେଶ୍ୱରର ସିଚର୍ନ ଟେକ୍ନୋ ହେଲଥ୍ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ସୈକତ ଘୋଷ ଯୋଗ ଦେଇଥିଲେ। ସେମାନେ ଉଦ୍ୟୋଗ ଓ ବ୍ୟବସାୟ ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।

“ବାଣିଜ୍ୟ ମାନବ ସମାଜର ଶ୍ରେଷ୍ଠ ସାମାଜିକ କର୍ମ। ଏକ ସ୍ଵତନ୍ତ୍ର ବିଚାରକୁ ଠିକ୍ ଭାବେ ଗଠନ ତଥା କାର୍ଯ୍ୟକାରିତାରେ ପରିଣତ କରି ବ୍ୟବସାୟିକ ପ୍ରକଳ୍ପ ସ୍ଥାପନ କରିପାରିଲେ ଛାତ୍ରଛାତ୍ରୀମାନେ ନିଜର ଭବିଷ୍ୟତକୁ ସୁଦୃଢ କରି ନିର୍ମାଣ କରିପାରିବେ”, କହିଛନ୍ତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ।

ବାଲେଶ୍ଵରର ବିଭିନ୍ନ ମହାବିଦ୍ୟାଳୟରୁ ୧୦୦ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏଠାରେ ହାଇଦ୍ରାବାଦ ସ୍ଥିତ ନନ୍ଦୀ ଫାଉଣ୍ଡେସନ ଅନୁଷ୍ଠାନ ସହିତ ବିଶ୍ଵବିଦ୍ୟାଳୟର ବୁଝାମଣାପତ୍ରକୁ ଛାତ୍ର କଲ୍ୟାଣ ନିର୍ଦ୍ଦେଶକ ଡ଼କ୍ଟର ନିହାର ରଞ୍ଜନ ରାଉତଙ୍କ ତତ୍ତ୍ଵାବଧାନରେ ନବୀକରଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଫକୀରମୋହନ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା, କୁଳସଚିବ କୁକୁମୀନା ଦାସ, ବିଶ୍ଵବିଦ୍ୟାଳୟର ଟି.ବି.ଆଇର ସଂଯୋଜକ ପ୍ରଫେସର ପଙ୍କଜ କୁମାର ପାଢ଼ୀ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁନେନ୍ଦୁ ନାୟକ ଏବଂ ମହାବିଦ୍ୟାଳୟ ଉନ୍ନୟନ ପରିଷଦର ନିର୍ଦ୍ଦେଶକ ଡକ୍ଟର ସନ୍ତୋଷ କୁମାର ଅଗ୍ରୱାଲ ପ୍ରମୁଖ ଯୋଗ ଦେଇଥିଲେ।

Tags: #EntrepreneurshipDay #Business #FakirMohanUniversity #Baleswar

Comment