ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରସ୍ଥିତ ଫକୀରମୋହନ ବିଶ୍ଵବିଦ୍ୟାଳୟର ସାମାଜିକ ବିଜ୍ଞାନ ବିଭାଗ ପକ୍ଷରୁ ଦୁଇଦିନିଆ ଆନ୍ତର୍ଜାତିକ ସେମିନାର ଉଦଘାଟିତ ହୋଇଯାଇଛି।

ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମକୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ସେମିନାରର ମୂଳପ୍ରସଙ୍ଗ ଥିଲା “ଆଧୁନିକୀକରଣ, ସାମାଜିକ ପରିବର୍ତ୍ତନ ଏବଂ ବିକାଶ: ବିକାଶ ଭାରତ -୨୦୪୭ ପାଇଁ ଏକ ମାର୍ଗ।”

ସେମିନାରରେ ମୁଖ୍ୟବକ୍ତା ଭାବେ ଜବାହରଲାଲ ନେହେରୁ ବିଶ୍ଵବିଦ୍ୟାଳୟର ପ୍ରଫେସର ଆନନ୍ଦ କୁମାର ( ସିଏସଏସଏସ) ଯୋଗଦେଇ ସାଂପ୍ରତିକ ସମୟରେ ପରିଲକ୍ଷିତ ବିଭିନ୍ନ ସାମାଜିକ ପରିବର୍ତ୍ତନ ସହ ଜଡ଼ିତ ଆଧୁନିକୀକରଣ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ପରିବର୍ତ୍ତିତ ସମାଜରେ ଦେଖାଯାଉଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋକପାତ କରିବା ସହ ‘ବିକଶିତ ଭାରତ-୨୦୪୭’ ର ସମ୍ଭାବ୍ୟ ରୂପରେଖର ଉପସ୍ଥାପନ କରିଥିଲେ।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ୟୁନିଭର୍ସିଟି ଅଫ କାର୍ଲିଫର୍ଣ୍ଣିଆର ପ୍ରଫେସର ତ୍ରିଲୋକିନାଥ ପାଣ୍ଡେ ଯୋଗଦେଇ ଭାରତର ପରିବର୍ତ୍ତନଶୀଳ ସାମାଜିକ ସ୍ଥିତି ଓ ଆଧୁନିକୀକରଣର ପ୍ରଭାବ ସମ୍ବନ୍ଧିତ ବିଭିନ୍ନ  ଦିଗ ଉପରେ ଆଲୋକପାତ କରିଥିଲେ।

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ନିଜର ଉଦବୋଧନରେ ସମାଜବିଜ୍ଞାନ ଅଧ୍ୟୟନର ମହତ୍ତ୍ଵ ଓ ସାମାଜିକ ବିକାଶରେ ଅଂଶୀଦାର ବର୍ତ୍ତମାନର ଆଧୁନିକୀକରଣ ସମ୍ପର୍କରେ ଅବଗତ କରାଇଥିଲେ।

କାର୍ଯ୍ୟକ୍ରମର ଆବାହକ ଡକ୍ଟର ପବିତ୍ର ମୋହନ ନାୟକ ପ୍ରାରମ୍ଭିକ ଭାଷଣରେ ଅତିଥି ପରିଚୟ ପ୍ରଦାନ ସହ ଆୟୋଜିତ ସେମିନାର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। କାର୍ଯ୍ୟକ୍ରମକୁ ଡକ୍ଟର ରାଜଶ୍ରୀ ଦତ୍ତ ପରିଚାଳିତ କରିଥିବା ବେଳେ ଡକ୍ଟର ସିପ୍ରା ସାଗରିକା ଧନ୍ୟବାଦ ଅର୍ପଣ କରିଥିଲେ।

ଉଦଘାଟନୀ ବୈଠକ ପରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ “ଆଧୁନିକୀକରଣ, ବିକାଶ ଏବଂ ଏହାର ଆହ୍ୱାନ” ବିଷୟକୁ ନେଇ ଆଲୋଚନା କରାଯାଇଥିଲା। ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତ ଅତିଥି ନିଜ ନିଜର ମତାମତ ପ୍ରଦାନ କରିଥିଲେ।

ଏହି ସେମିନାରରେ ଓଡ଼ିଶା, ଭାରତ ଓ ଅନ୍ୟାନ୍ୟ ଦେଶର ସାମାଜିକ ବିଜ୍ଞାନ ବିଶେଷଜ୍ଞ, ଶିକ୍ଷାବିତ ଓ ଗବେଷକମାନେ ଯୋଗ ଦେଇଛନ୍ତି।

Tags: #InternationalSeminar #ModernizationSocialChangeandDevelopment #FakirMohanUniversity #Balasore

LEAVE A REPLY

Please enter your comment!
Please enter your name here