ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଜେପୁର ଉପ-ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ। ପଦ୍ମପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ରୀତା ସାହୁ। ଏକ ବିଶାଳ ଶୋଭାଯାତ୍ରାରେ ଆସି ସେ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହି ଶୋଭାଯାତ୍ରାରେ ତାଙ୍କ ସହ ବିଜେଡିର ବହୁ ବରିଷ୍ଠ ନେତାମାନେ ସାମିଲ ଥିଲେ।

ବିଜେପୁର ଉପ-ନିର୍ବାଚନ ପାଇଁ ଏଥର ତ୍ରିମୁଖୀ ଲଢ଼େଇ ହେବ। କଂଗ୍ରେସ ଦିଲ୍ଲୀପ କୁମାର ପଣ୍ଡାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ସନତ ଗଡ଼ତିଆଙ୍କୁ ପ୍ରାର୍ଥୀ କରିଛି।

ରୀତା ହେଉଛନ୍ତି ସୁବଳ ସାହୁଙ୍କ ସ୍ତ୍ରୀ। ୨୦୧୮ ଉପ-ନିର୍ବାଚନରେ ରୀତା ବିଜେଡି ପ୍ରାର୍ଥୀ ହୋଇଥିଲେ। ଘରର ଏରୁଣ୍ଡି ଡେଇଁ ରୀତା ନିର୍ବାଚନ ରଣାଙ୍ଗନରେ ଲଢ଼େଇ କରିଥିଲେ। ଘମାଘୋଟ ଲଢ଼େଇ ଭିତରେ ରୀତା ହିଁ ବିଜୟୀ ହୋଇଥିଲେ। ହେଲେ ରୀତା ମାତ୍ର ବର୍ଷେ ବିଧାୟକ ଥିଲେ। ୨୦୧୯ ନିର୍ବାଚନରେ ନିଜେ ନବୀନ ପଟ୍ଟନାୟକ ପ୍ରାର୍ଥୀ ହେବାରୁ ରୀତା କେବଳ ପ୍ରଚାର କରିଥିଲେ। ହେଲେ ନବୀନଙ୍କ ଇସ୍ତଫା ପରେ ରୀତା ପୁଣି ପ୍ରାର୍ଥୀ ହୋଇଛନ୍ତି।

ବିଜେପୁର ଥିଲା କଂଗ୍ରେସର ଗଡ଼। ୨୦୧୮ ଉପନିର୍ବାଚନରେ କଂଗ୍ରେସ ଗଡ଼ ବିଜେପୁରକୁ ଦଖଲ କରିନେଇଛି ବିଜେଡି। ୨୦୧୮ ଉପ-ନିର୍ବାଚନ ଏବଂ ୨୦୧୯ ନିର୍ବାଚନରେ ବିଜେଡି ଏଠାରେ ବିଜୟ ବାନା ଉଡ଼ାଇଥିଲା। ବିଜେପି ଏବଂ କଂଗ୍ରେସ ବିଜେଡିକୁ ଟକ୍କର ଦେଇ ଫେଲ୍ ମାରିଥିଲେ। ତେବେ ଏହି ଉପ-ନିର୍ବାଚନରେ ତିନି ଦଳ ଭିତରୁ କିଏ ବାଜି ମାରୁଛି ଏବଂ କିଏ ବିଜେପୁରବାସୀଙ୍କ ହୃଦୟ ଜିତୁଛି ତାହା ଦେଖିବାକୁ ବାକି ରହିଲା।

LEAVE A REPLY

Please enter your comment!
Please enter your name here