ଓଡ଼ିଶାଲାଇଭ୍ ବ୍ୟୁରୋ
ଜୟପୁର ପଟାଙ୍ଗି ବ୍ଲକ୍ ଅନ୍ତର୍ଗତ କୋଟିଆ ଗ୍ରାମପଞ୍ଚାୟତ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିଛନ୍ତି ଜିଲ୍ଲାପାଳ। ନୂଆକରି ଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କରିବା ପରେ ମଧୁସୂଦନ ମିଶ୍ର ପଞ୍ଚାୟତର ବିଭିନ୍ନ କାର୍ଯ୍ୟ ତଦାରଖ ପାଇ ଯାଇଥିଲେ।
ଏହି ଗସ୍ତରେ ସେ ପ୍ରଥମେ କୋଟିଆ ଦୁର୍ଗା ମନ୍ଦିର ପରବର୍ତ୍ତୀ ଘାଟି ତଳରୁ ଗାଲିଗବଡ଼ର ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାକାମ ତଦାରଖ କରିଥିଲେ। ପରେ ସେଠାରୁ ସେ ଉପର ଗଞ୍ଜେଇପଦର ଗ୍ରାମପଞ୍ଚାୟତର ସରପଞ୍ଚ ସିଧେଶ୍ୱର ଗେମେଲ, ସମାଜସେବୀ ରଞ୍ଜିତ ପାଙ୍ଗି, କାମେଶ୍ୱର ଗେମେଲଙ୍କ ସହ ଗାଁରେ ଗୋଟିଏ କମ୍ୟୁନିଟି ଗୃହ ନିର୍ମାଣ କରିବା ନେଇ ଆଲୋଚନା କରିଥିଲେ।
ଏହାପରେ ଗ୍ରାମରେ ନିର୍ମାଣ ହୋଇଥିବା ୨୫ଟି ନୂଆ ବିଜୁ ପକ୍କା ଗୃହକୁ ବୁଲି ଦେଖିଥିଲେ ଜିଲ୍ଲାପାଳ । ଏହାସହ ତାଙ୍କ ଗସ୍ତରେ ସେ ବିଭିନ୍ନ ସରକାରୀ ନିର୍ମାଣ ସହ ବିଦ୍ୟାଳୟର ଘର ସବୁକୁ ବୁଲି ଦେଖିଥିଲେ।
ଏହି ଗସ୍ତରେ ଜିଲ୍ଲାପାଳଙ୍କ ସହ ଉପଜିଲ୍ଲାପାଳ ଲଳିତ କୁମାର କହଁର, ଜିଲ୍ଲା ଶିକ୍ଷା ଅଧିକାରୀ ଡକ୍ଟର ପ୍ରମୋଦ କୁମାର ପଣ୍ଡା, ପଟାଙ୍ଗି ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ କରୁଣାକର ପ୍ରଧାନ ପ୍ରମୁଖ ରହିଥିଲେ।


















