ଓଡ଼ିଶାଲାଇଭ୍‌ ବ୍ୟୁରୋ  

ଦଶହରା ଦୁର୍ଗା ପୂଜାରେ ରାୟଗଡା ସହରର ଅନ୍ୟ ଏକ ଆକର୍ଷଣ ହେଉଛି ଦାଣ୍ଡିଆ ନାଚ।

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡା ସହରରେ ବସବାସ କରୁଥିବା ଗୁଜରାଟି ସମାଜ ପକ୍ଷରୁ ଧୁମଧାମରେ ପାଳନ ହେଉଛି ଦୁର୍ଗାପୂଜା। ବର୍ଷ ବର୍ଷ ଧରି ସୂଦୁର ଗୁଜରାଟରୁ ଆସି ଆଜି ଯାଏଁ ସେମାନେ ସେମାନଙ୍କ ପରମ୍ପରାକୁ ଉଜ୍ଜିବିତ କରି ରଖିଛନ୍ତି।

ପ୍ରତିବର୍ଷ ଦୁର୍ଗାପୂଜାର ନବରାତ୍ରୀ ସମୟରେ ରାୟଗଡ଼ା ସହରରେ ଥିବା ‘କଚ୍ଛ ଗୁଜରାଟ କ୍ଷତ୍ରୀୟ ସମାଜ’ ଉତ୍ସବ ମୂଖର ହୋଇଉଠେ। ପିଲାଠାରୁ ବୁଢା ସମସ୍ତେ ଦାଣ୍ଡିଆ ଖେଲିବା ପାଇଁ ମାତିଯାଆନ୍ତି। ଗତ ୫୦ ବର୍ଷ ଧରି ରାୟଗଡା ସହରରେ ବସବାସ କରୁଥିବା ଗୁଜରାଟି ପରିବାର ସେମାନଙ୍କର ପରମ୍ପରାକୁ ବଜାୟ ରଖିପାରିଛନ୍ତି। ବନ୍ଧୁମିଳନ ହେବା ସାଙ୍ଗକୁ ପରସ୍ପର ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିପାରିଛି ନବରାତ୍ରୀର ଦାଣ୍ଡିଆ ନାଚ।

ନବରାତ୍ରୀ ସମୟରେ ରାୟଗଡ଼ାରେ ବସବାସ କରୁଥିବା ସମସ୍ତ ଗୁଜରାଟି ପରିବାର ମାଁ ଦୁର୍ଗାଙ୍କର ବ୍ରତ ରଖି ଉପବାସ ରୁହନ୍ତି। ପ୍ରତ୍ୟେକ ଦିନ ଦୁଇ ଥର ମାଁଙ୍କର ପୂଜାର୍ଚ୍ଚନା କରନ୍ତି। ରାତି ୯ ଟାରୁ ପାଖାପାଖି ରାତୀ ୨ ପର୍ଯ୍ୟନ୍ତ ସମସ୍ତେ ଦାଣ୍ଡିଆ ରାସରେ ମାତିଯାଆନ୍ତି।

ଛତ୍ରୀ, ପଞ୍ଚୁଆ ଭଳି ପାଖାପାଖି ୫ ପ୍ରକାର ନାଚନାଚି ମାଁ ଦୁର୍ଗାଙ୍କୁ ସନ୍ତୁଷ୍ଟ କରିବା ପାଇଁ ପ୍ରୟାସ କରନ୍ତି ଭକ୍ତ। ପରସ୍ପର ଭିତରେ ଥିବା ସମସ୍ତ ଭେଦଭାବକୁ ଭୁଲି ସେମାନେ ଏହି ୯ ଦିନ ଖୁସିରେ ମିଳିମିଶି ନବରାତ୍ରୀ ମନାନ୍ତି। ନିଜ ଜନ୍ମ ମାଟି ଠାରୁ ହାଜାର ହଜାର ମାଇଲ ଦୂରରେ ରହି ବି ରାୟଗଡା ସହରର ଗୁଜରାଟି ପରିବାର ୯ ଦିନ ପାଇଁ ରାୟଗଡ଼ାକୁ ଗୁଜରାଟ ଭଳି ଉପଲବ୍ଧି କରନ୍ତି।

Comment