ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଜେପୁରରେ ଚାଲିଛି ପତିଆରା ଲଢ଼େଇ। ବିଜେଡିରୁ ରୀତା ସାହୁ ଏବଂ କଂଗ୍ରେସରୁ ସନତ ଗଡ଼ତିଆ ପ୍ରାର୍ଥୀ ହୋଇଥିଲେ ମଧ୍ୟ ଅସଲ ଲଢ଼େଇ ଚାଲିଛି ନବୀନ ଏବଂ ଧର୍ମେନ୍ଦ୍ରଙ୍କ ଭିତରେ। ଏହାର ପ୍ରମାଣ ଶୁକ୍ରବାର ଦେଖିବାକୁ ମିଳିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗାଇସିଲାଟ ବ୍ଲକରେ ରୋଡ ସୋ’ କରୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବରପାଲିରେ ବିଶାଳ ରୋଡ ସୋ’ କରିବାକୁ ନେଇ ରାଜନୀତି ତେଜିଛି। ବିଜେପୁର ମଇଦାନ ଏବେ ଉଭୟ ନବୀନ ଏବଂ ଧର୍ମେନ୍ଦ୍ରଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଯାଇଛି।

ସବୁଠୁ ବଡ଼ କଥା ହେଉଛି ନବୀନ ପଟ୍ଟନାୟକ ହିଁ ୨୦୧୯ ନିର୍ବାଚନରେ ଏଠାରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ସେ ହିଞ୍ଜିଳି ରଖି ବିଜେପୁରରୁ ଇସ୍ତଫା ଦେଇଥିବାରୁ ଆଉ ଥରେ ଉପନିର୍ବାଚନ ହେଉଛି। ଏଣୁ ନବୀନ ନିଜ ମାନ ରଖିବା ପାଇଁ ଏଠି ମହିଳା କାର୍ଡ ଖେଳିଛନ୍ତି। ସୁବଳ ସାହୁଙ୍କ ସ୍ତ୍ରୀ ରୀତା ସାହୁଙ୍କୁ ପ୍ରାର୍ଥୀ କରିଥିଲେ ମଧ୍ୟ ନବୀନ ପ୍ରଚାର ବେଳେ ବିଜେପୁର ଦାୟିତ୍ୱ ନିଜେ ବୁଝିବେ ବୋଲି ଦେହରାଇଛନ୍ତି। ଏଣୁ ଏଥିରୁ ସ୍ପଷ୍ଟ ହୋଇଛି ଯେ ନବୀନଙ୍କ ସମ୍ମାନ ବିଜେପୁରରେ ବାଜିରେ ଲାଗିଛି।

ଏପଟେ ନବୀନଙ୍କ ପ୍ରଚାରକୁ ଚେକ୍‌ ଦେବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଇଦାନକୁ ଓହ୍ଲାଇଛନ୍ତି। ୨୦୧୮ ଉପନିର୍ବାଚନରେ ବି ଧର୍ମେନ୍ଦ୍ର ବିଜେପୁରରେ ପ୍ରଚାର ମଙ୍ଗ ଧରିଥିଲେ। ହେଲେ ଭୋଟର ବିଜେଡି ଉପରେ ଆସ୍ଥା ପ୍ରକଟ କରିଥିଲେ। ଏଥର ବି ଧର୍ମେନ୍ଦ୍ର ପ୍ରଚାର ମଙ୍ଗ ଧରିଛନ୍ତି। ଗତ ୮ ଦିନ ତଳେ ଧର୍ମେନ୍ଦ୍ର ବିଜେପୁରରେ ପ୍ରଚାରରେ କରିଥିବା ବେଳେ ଶୁକ୍ରବାର ବି ପ୍ରଚାର କରିଛନ୍ତି। ନବୀନ କାହିଁକି ବିଜେପୁର ଆସିଲେ ଏବଂ କାହିଁକି ପଳାଇଲେ ପ୍ରଶ୍ନ କରି ଭୋଟରଙ୍କ ପାଖକୁ ଯାଇଛନ୍ତି। ଏଣୁ ନବୀନ ଏବଂ ଧର୍ମେନ୍ଦ୍ରଙ୍କ ଭିତରେ ଏକ ପ୍ରକାର ଲଢ଼େଇ ଚାଲିଥିବା ସ୍ପଷ୍ଟ ହୋଇଛି।

ମୁଖ୍ୟ ପ୍ରସଙ୍ଗ କ’ଣ?

ବିଜେଡି ଏହି ନିର୍ବାଚନକୁ ସମ୍ମାନର ସହ ନେଇଛି। ୨୦୧୯ ନିର୍ବାଚନରେ ୧୧୨ ଆସନ ପାଇଥିଲେ ମଧ୍ୟ ବିଜେଡି ବିଜେପୁର ଦଖଲ କରିବା ପାଇଁ ଉଦ୍ୟମ କରୁଛି। ନବୀନଙ୍କ ଲୋକପ୍ରିୟ ଯୋଜନାକୁ ନେଇ ନେତା ଭୋଟରଙ୍କ ପାଖକୁ ଯାଉଛନ୍ତି।

ହେଲେ ବିଜେପି ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ, ପାନୀୟ ଜଳ, ସ୍ୱାସ୍ଥ୍ୟ ସମସ୍ୟା ଆଦିକୁ ଅସ୍ତ୍ର କରିଛି।

କଂଗ୍ରେସର ଅଭିଯୋଗ ମ୍ୟାଚ ଫିକ୍ସିଂ

କଂଗ୍ରେସ ବିଜେପୁରରେ ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ ଦେଇ ପ୍ରଚାର କରୁଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ଅନ୍ୟ ବରିଷ୍ଠ ନେତାମାନେ ବିଜେପୁରରେ ଡେରା ପକାଇଛନ୍ତି। ହେଲେ ପ୍ରଚାରରେ କଂଗ୍ରେସ ପଛରେ ପଡ଼ି ଯାଇଛି। ନିର୍ବାଚନକୁ ଆଉ ଗୋଟିଏ ଦିନ ବାକି ଥିବା ବେଳେ କଂଗ୍ରେସ ସାଂଘାତିକ ଅଭିଯୋଗ ଆଣିଛି। ବିଜେପି-ବିଜେଡି ଭିତରେ ମ୍ୟାଚ ଫିକ୍ସିଂ ହୋଇଥିବା ପିସିସି ସଭାପତି ଅଭିଯୋଗ କରିଛନ୍ତି। ବିଜେପି ଏବଂ ବିଜେଡି ଏହାକୁ ଖଣ୍ଡନ କରିଛନ୍ତି।

ଶନିବାର ସନ୍ଧ୍ୟାରେ ପ୍ରଚାର ଶେଷ ହେବ। ସୋମବାର ଭୋଟ ହେବ। ବିଜେପୁର ଭୋଟର ଏଥର କାହା ଉପରେ ଭରସା କରୁଛନ୍ତି ଏବଂ କାହାର ସମ୍ମାନକୁ ଅକ୍ଷୁର୍ଣ୍ଣ ରଖୁଛନ୍ତି ତାହା ଭୋଟ ଗଣତି ଦିନ ହିଁ ସ୍ପଷ୍ଟ ହୋଇଯିବ।

LEAVE A REPLY

Please enter your comment!
Please enter your name here