ଓଡ଼ିଶାଲାଇଭ୍ ବ୍ୟୁରୋ

  • ସନ୍ଦେହରେ ସ୍ମିତାରାଣୀଙ୍କ ମୃତ୍ୟୁ
  • ଗିରଫ ହେଲେ ସରପଞ୍ଚଙ୍କ ସ୍ୱାମୀ
  • ଏସ୍‌ପି କହିଲେ ଆତ୍ମହତ୍ୟା
  • ବିଜେପି କହିଲା ଗଣଦୁଷ୍କର୍ମ ଓ ହତ୍ୟା
  • ସିବିଆଇ ତଦନ୍ତ ଦାବି କଲେ ସ୍ମିତାଙ୍କ ପରିବାର ଲୋକ

ପଞ୍ଚାୟତ ନିର୍ବାହୀ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ନୂଆ ମୋଡ଼ ନେଇଛି। ସ୍ମିତାରାଣୀଙ୍କ ମୃତ୍ୟୁର ତିନି ଦିନ ପରେ ଏହାକୁ ନେଇ ବିବାଦ ତେଜିଛି। ପୋଷ୍ଟମର୍ଟମ ରିପୋର୍ଟକୁ ଆଧାର କରି ଯାଜପୁର ଏସ୍‌ପି ଏହାକୁ ଆତ୍ମହତ୍ୟା କହିଥିବା ବେଳେ ବିଜେପି କିନ୍ତୁ ଅଲଗା କଥା କହୁଛି। ସ୍ମିତାରାଣୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ବିଜେପି କହିଛି। ହେଲେ ଏସ୍‌ପିଙ୍କ ମନ୍ତବ୍ୟକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ସ୍ମିତାଙ୍କ ପରିବାର ଲୋକେ।

ଏଭଳି ସ୍ଥିତିରେ ସ୍ମିତାରାଣୀଙ୍କ ମୃତ୍ୟୁକୁ ନେଇ ବିବାଦ ମୁଣ୍ଡ ଟେକିଛି। ଆତ୍ମହତ୍ୟା ନା ହତ୍ୟା – ଏହାକୁ ନେଇ ବିବାଦ ଚାଲିଥିବା ବେଳେ ପୋଲିସ ଆଜି ହରିଦାସପୁର ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କୁ ଗିରଫ କରିଛି।

କ’ଣ ଥିଲା ପୂରା ଘଟଣା?

ଗତ ବୁଧବାର ଦିନ ହରିଦାସପୁର ପଞ୍ଚାୟତରେ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଉଥିଲା। ଭତ୍ତା ବାଣ୍ଟି ସାରିବା ପରେ ପିଇଓ ସ୍ମିତାରାଣୀ ଫ୍ରେସ୍‌ ହେବାକୁ ଚାହିଁଥିଲେ। ସ୍ମିତାରାଣୀ ସେହି ଗାଁରେ ଥିବା ସରପଞ୍ଚଙ୍କ ଗେଷ୍ଟହାଉସ୍‌କୁ ଫ୍ରେସ୍‌ ହେବା ପାଇଁ ଯାଇଥିଲେ। ହେଲେ ସ୍ମିତାରାଣୀଙ୍କ ଫେରିବା ବିଳମ୍ବ ହେବାରୁ ସରପଞ୍ଚଙ୍କ ସ୍ୱାମୀ ଏବଂ ଆଉ କିଛି ଲୋକ ଖୋଜିବାକୁ ଯାଇଥିଲେ। ହେଲେ ବାଥ୍‌ରୁମରୁ ସ୍ମିତାରାଣୀଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା।

ଏହି ଘଟଣାକୁ ନେଇ ପୂରା ପଞ୍ଚାୟତ ଉଠିଥିଲା ପଡ଼ିଥିଲା। ପୋଲିସ ଆସି ଶବ ଜବତ କରି ତଦନ୍ତ ଚଳାଇଥିଲା। ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ଆଜି ଯାଜପୁର ଏସ୍‌ପି ଚରଣ ସିଂହ ମୀନା ସ୍ମିତାରାଣୀ ଆତ୍ମହତ୍ୟା କରିଥିବା ମନ୍ତବ୍ୟ ଦେଇଛନ୍ତି।

‘‘ରୂପେଶ ଭଦ୍ରଙ୍କ ସହ ସ୍ମିତାରାଣୀଙ୍କ ପ୍ରେମ ସମ୍ପର୍କ ରହିଥିଲା। କିଛିଦିନ ହେଲା ସେମାନଙ୍କ ପ୍ରେମ ସଂପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା। ଏହି କାରଣ ପାଇଁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି। ତଛଡ଼ା ସ୍ମିତାରାଣୀଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନାହିଁ। କେବଳ ବେକରେ ରଶି ଚିହ୍ନ ରହିଛି’’, ଏହା ହେଉଛି ଏସ୍‌ ପି ଚରଣ ସିଂହ ମୀନାଙ୍କ ମନ୍ତବ୍ୟ।

ବିଜେପି ଆଣିଲା ସାଂଘାତିକ ଅଭିଯୋଗ

ଦିନ ଯେତିକି ଗଡୁଛି ପଞ୍ଚାୟତ ନିର୍ବାହୀ ଅଧିକାରୀ ସ୍ମିତାରାଣୀ ବିଶ୍ୱଳାଙ୍କ ମୃତ୍ୟୁକୁ ନେଇ ସେତିକି ବିବାଦ ବଢୁଛି। ମୃତ୍ୟୁର ତିନି ଦିନ ପରେ ବିରୋଧୀ ବିଜେପି ଭୁବନେଶ୍ୱର ପାର୍ଟି ଅଫିସରେ ସାମ୍ବାଦିକ ସମ୍ମିଳନୀ କରି ସିବିଆଇ ତଦନ୍ତ ଦାବି କରିଛି। ସ୍ମିତାରାଣୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ବିଜେପି କହିଛି। ସିବିଆଇ ତଦନ୍ତ ହେଲେ ପୂରା ଘଟଣା ଉପରୁ ପରଦା ଉଠି ପାରିବ ବୋଲି ବିଜେପି କହିଛି।

‘‘ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କୁ ଗଣଦୁର୍ଷ୍କମ ଏବଂ ପରେ ହତ୍ୟା କରାଯାଇଛି। ଶାସକ ଦଳ ଚାପରେ ପୋଲିସ କାମ କରୁଛି। ଏହାକୁ ଚପାଇ ଦେବାକୁ ଉଦ୍ୟମ ଚାଲିଛି। ଏହା ଦୁର୍ଭାଗ୍ୟଜନକ’’, କହିଛନ୍ତି ବିଜେପି ନେତା ପ୍ରକାଶ ମିଶ୍ର।

ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧ ଦଳ ହରିଦାସପୁର ପଞ୍ଚାୟତ ଗସ୍ତ କରି ଘଟଣାର ସରଜମିନ ତଦନ୍ତ କରିଥିଲା। ସ୍ମିତାରାଣୀ ବିଶ୍ୱାଳଙ୍କର ପରିବାରବର୍ଗ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ ବିଜେପି ପ୍ରତିନିଧି ଦଳ। ଧର୍ମଶାଳାକୁ ଫେରିବା ପରେ ବିଜେପି ସାମ୍ବାଦିକ ସମ୍ମିଳନୀ କରି ଶାସକ ଦଳକୁ ଟାର୍ଗେଟ୍‌ କରିଛି।

୨୧ରେ ଯାଜପୁର ବନ୍ଦ

ଏସ୍‌ପିଙ୍କ ମନ୍ତବ୍ୟକୁ ବିରୋଧ କରି ଜିଲ୍ଲା ବିଜେପି ଆସନ୍ତା ୨୧ରେ ଯାଜପୁର ବନ୍ଦ ଡାକରା ଦେଇଛି। ଏହା ହତ୍ୟା ନା ଆତ୍ମହତ୍ୟା ତା’ ଉପରୁ ପରଦା ହଟାଇବା ପାଇଁ ତଦନ୍ତ ଦାବି କରିଛି ବିଜେପି। ଏସ୍‌ପି ଏହି ଘଟଣାକୁ ଚାପି ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ଆଣି ବିଜେପି ବନ୍ଦ ଡାକରା ଦେଇଛି। ଏଥିରେ ଶାସକ ଦଳ ନେତାଙ୍କ ହାତ ଥିବା ବିଜେପି ଅଭିଯୋଗ କରିଛି।

ଏସ୍‌ପିଙ୍କ ମନ୍ତବ୍ୟକୁ ବିରୋଧ

ଯାଜପୁର ଏସ୍‌ପି ଚରଣ ସିଂହ ମିନାଙ୍କ ମନ୍ତବ୍ୟକୁ ବିରୋଧ କରିଛନ୍ତି ସ୍ମିତାରାଣୀଙ୍କ ବାପା ସଦାନନ୍ଦ ବିଶ୍ୱାଳ। ସେ କହିଛନ୍ତି ଯେ ଏସ୍‌ପି ଭୁଲ ତଥ୍ୟ ଦେଉଛନ୍ତି। ସ୍ମିତା ଆତ୍ମହତ୍ୟା କରିବା ପିଲା ନୁହେଁ। ତାକୁ ହତ୍ୟା କରାଯାଇଛି। ଗେଷ୍ଟ ହାଉସ୍‌ରେ ସେଦିନ କିଏ କିଏ ଥିଲେ ତା’ ଉପରୁ ପରଦା ହଟାଇବା ପାଇଁ ସିବିଆଇ ତଦନ୍ତ ଦାବି କରିଛନ୍ତି ସ୍ମିତାଙ୍କ ବାପା।

Comment