ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀପାବଳିର ଗୋଟିଏ ଦିନ ପୂର୍ବରୁ ଉତ୍ସବ ମୁଖର ହୋଇପଡ଼ିଛି ରାମ ଜନ୍ମ ଭୂମି ଅଯୋଧ୍ୟା। ଶନିବାର ଅଯୋଧ୍ୟାରେ ଦୀପ ଉତ୍ସବ ପାଳନ କରାଯାଇଥିଲା। ଏକାସାଙ୍ଗରେ ସାଢ଼େ ୫ ଲକ୍ଷ ଦୀପ ଜଳା ଯାଇଥିଲା।

ଏହି ଦୀପତ୍ସୋବ କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗଦେବା ସହ ଦୀପ ଜଳାଇ ଉତ୍ସବର ଉଦଘାଟନ୍ କରିଥିଲେ।

ଏହି ଅବସରରେ ଯୋଗୀ କହିଥିଲେ, “ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଭଗବାନ ଶ୍ରୀରାମଙ୍କ ପରମ୍ପରା ସମ୍ପର୍କରେ ସମସ୍ତେ ଅବଗତ ହୋଇପାରୁଛନ୍ତି। ଦେଶରେ ମୋଦୀ ସରକାର ବିନା କୌଣସି ମତଭେଦରେ ଦେଶର ବିକାଶ କାର୍ଯ୍ୟକୁ ଆଗକୁ ନେଇଚାଲିଛନ୍ତି।”

ପୂର୍ବରୁ ଥିବା ସରକାର ଅଯୋଧ୍ୟା ନାଁ ଶୁଣି ଡରୁଥିଲେ। କିନ୍ତୁ ମୋଦୀ ରାମ ରାଜ୍ୟର ପରିକଳ୍ପନା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ।

ଯୋଗୀ ଆହୁରି ମଧ୍ୟ କହିଛନ୍ତି, “କେନ୍ଦ୍ର ଓ ରାଜ୍ୟର ବିଭିନ୍ନ ଯୋଜନା ଆଧାରରେ ଆଯୋଧ୍ୟାରେ ୨୨୬ କୋଟି ପ୍ରକଳ୍ପର ଶିଳାନ୍ୟାସ କରାଯାଉଛି। ଆଜି ସାରା ବିଶ୍ୱରେ ଭାରତ ତାର ସାଂସ୍କୃତିକ ପରିଚୟକୁ ନେଇ ଗର୍ବ କରୁଛି। ଅଯୋଧ୍ୟାର ଦୀପତ୍ସୋବ ହେଉ କିମ୍ବା ବାରଣାସୀର ଦେବ ଦୀପାବଳି ଓ ପ୍ରୟାଗର ପ୍ରସିଦ୍ଧ କୁମ୍ଭମେଳା, ଏ ସବୁକୁ ଆମେ କଦାପି ଭୁଲି ପାରିବା ନାହିଁ।”

ଏହି ଅବସରରେ ଯୋଗୀ ପାକିସ୍ତାନକୁ ଟାର୍ଗେଟ କରିବାକୁ ଭୁଲି ନାହାନ୍ତି। ସେ କହିଛନ୍ତି ଯେ ଆମେ ଆମର ଶତ୍ରୁକୁ ମଧ୍ୟ ଉଚିତ୍ ଶିକ୍ଷା ଦେଇଛୁ। ଆମେ କାହା ସହ ଶତ୍ରୁତା ଆଚରଣ କରିବାକୁ ଚାହୁଁନୁ। କିନ୍ତୁ ଆମ ସହ କେହି ଶତ୍ରୁତା ଆଚରଣ କଲେ ଆମେ ଛାଡ଼ିବୁନି। ବର୍ତ୍ତମାନ ଅଯୋଧ୍ୟାରେ ବିକାଶର ଗଙ୍ଗା ବୋହିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ।

ଦୀପ ଉତ୍ସବରେ ଭଗବାନ ରାମଙ୍କ ଜନ୍ମଭୂମିରେ ଥ୍ରୀ ଡି ଟେକନିକ୍ ସାହାଯ୍ୟରେ ଲୋକମାନଙ୍କୁ ରାମକଥା ଶୁଣାଯାଉଛି। ଏହାସହ ଏହି ଉତ୍ସବରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ସ୍କୁଲ ପିଲାଙ୍କୁ ଆଣି ସାମିଲ କରାଯାଇଛି।

ପୁଷ୍କକ ବିମାନରେ ଆସିଲେ ରାମ ଓ ସୀତା

ପ୍ରତିବର୍ଷ ଭଳି ଏଥର ମଧ୍ୟ ଏକ ହେଲିକପ୍ଟରକୁ ପୁଷ୍ପକ ବିମାନ ରୂପରେ ସଜା ଯାଇଥିଲା। ଅଯୋଧ୍ୟା ଆକାଶରେ ଏହା ଉଡ଼ିଥିଲା। ଏଥିରେ ରାମ, ସୀତା ଓ ଲକ୍ଷ୍ମଣ ଅଯୋଧ୍ୟା ଫେରିଥିଲେ। ଏହି ସମୟରେ ଉପରୁ ଫୁଲବର୍ଷା କରଯାଇଥିଲା। ରାମ, ଲକ୍ଷ୍ମଣ ଓ ସୀତା ଭୂମିକାରେ ଅଭିନୟ କୁରଥିବା କଳାକାରଙ୍କୁ ନିଜେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଅଯୋଧ୍ୟାକୁ ସ୍ୱାଗତ କରିଥିଲେ।

ରେକର୍ଡ ସଂଖ୍ୟକ ଦୀପ ଜଳିଲା

ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସରଜୁ ନଦୀ ତଟରେ ଆଳତୀ କରାଯାଇଛି। ଏଥିରେ ନିଜେ ମୁଖ୍ୟମନ୍ତ୍ରୀ ସାମିଲ ରହିବେ। ଏହାସହ ଆଜି ଏଠାରେ ସାଢ଼େ ୫ ଲକ୍ଷ ଦୀପ ଜଳା ଯାଇଛି। ପୂର୍ବବର୍ଷ ଏଠାରେ ୩ ଲକ୍ଷ ଦୀପ ଜଳାଯାଇଥିଲା।

୬ ହଜାର ଛାତ୍ରଛାତ୍ରୀ ସାମିଲ

ଦୀପ ଉତ୍ସବ କାର୍ଯ୍ୟକ୍ରମରେ ପ୍ରାୟ ୬ ହଜାର ଛାତ୍ରଛାତ୍ରୀ ଯୋଗଦେଇଥିଲେ।  ଉତ୍ତରପ୍ରଦେଶର ଅବଧ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏଥିରେ ଯୋଗଦେଇଥିଲେ। ଏହି ଛାତ୍ରଛାତ୍ରୀମାନେ ନିଜ ଶିକ୍ଷକମାନଙ୍କ ସହ ମିଶି ୧୨ଟି ଘାଟରେ ଦୀପ ଜାଳିବେ। ଏହାସହ କାର୍ଯ୍ୟକ୍ରମରେ ୬ ହଜାର ସ୍ୱେଚ୍ଛାସେବୀ ମଧ୍ୟ ନିଯୁକ୍ତ କରାଯାଇଛି।

କେଉଁ ଘାଟରେ ଜଳିବ କେତେ ଦୀପ?

ଏଥର ଅଯୋଧ୍ୟାର ବିଭିନ୍ନ ଘାଟରେ ଅନେକ ଦୀପ ପ୍ରଜ୍ଜଳନ କରାଯାଇଛି। ଲକ୍ଷ୍ମଣ ଘାଟରେ ୪୮ ହଜାର, ବୈଦେହୀ ଘାଟରେ ୨୨ ହଜାର, ଶ୍ରୀରାମ ଘାଟରେ ୩୦ ହଜାର, ଦଶରଥ ଘାଟରେ ୩୯ ହଜାର ଓ ଉମା-ନାଗେଶ୍ୱରୀ ଘାଟରେ ୫୨ ହଜାର ଦୀପ ଜଳାଯିବ ପାଇଁ ବ୍ୟବସ୍ଥା ହୋଇଛି। ଏହାସହ ଆହୁରି ଅନେକ ଘାଟରେ ମଧ୍ୟ ହଜାର ହଜାର ଦୀପ ଅଯୋଧ୍ୟାର ଶୋଭାବର୍ଦ୍ଧନ କରିବ।

Comment