ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ : କଟକ ଷଷ୍ଠ ଓଏସ୍ଏପି ବାଟାଲିୟନ୍‌ଠାରେ ଅନୁଷ୍ଠିତ ୭୬ତମ ରାଜ୍ୟ ପୋଲିସ କବାଡ଼ି ଓ ଅଷ୍ଟମ ହ୍ୟାଣ୍ଡବଲ୍ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଛି। କବାଡ଼ିରେ ଓଏସ୍ଏପି ଷଷ୍ଠ ବାଟାଲିୟନ୍ ଚାମ୍ପିଅନ୍ ଓ ସମ୍ବଲପୁର ଜିଲ୍ଲା ରନର୍ସଅଫ୍‌ ହୋଇଛନ୍ତି। ପ୍ରତିଯୋଗିତାରେ ଶ୍ରେଷ୍ଠ କ୍ୟାଚର ଭାବେ ଓଏସ୍ଏପି ଷଷ୍ଠ ବାଟାଲିୟନ୍‌ର ସିପାହୀ ବ୍ରହ୍ମାନନ୍ଦ ଖୁଣ୍ଟିଆ, ଶ୍ରେଷ୍ଠ ରାଇଡର ଭାବେ ସମ୍ବଲପୁର ଜିଲ୍ଲାର ସିପାହୀ ଶିବିର ପ୍ରଧାନ ଏବଂ ଶ୍ରେଷ୍ଠ ଖେଳାଳି ଭାବେ ଓଏସ୍ଏପି ଷଷ୍ଠ ବାଟାଲିୟନ୍‌ର ସିପାହୀ ମହିନ୍ଦ୍ର ନାୟକଙ୍କୁ ମନୋନୀତ କରାଯାଇଛି।

ସେହିପରି ହ୍ୟାଣ୍ଡବଲ୍ ପ୍ରତିଯୋଗିତାରେ ଓଏସ୍ଏପି ଷଷ୍ଠ ବାଟାଲିୟନ୍ ଦଳ ଶ୍ରେଷ୍ଠ ସ୍ଥାନ ହାସଲ କରି ଚାମ୍ପିଅନ୍ ହୋଇଥିବା ବେଳେ ଏସ୍ଏସ୍ ବାଟାଲିୟନ୍ କେନ୍ଦୁଝର ଦଳ ରନର୍ସ ଅଫ୍‌ ସଂଖ୍ୟା ଅର୍ଜନ କରିଛି। କେନ୍ଦୁଝର ଜିଲ୍ଲା ଓଏସ୍‌ଏଫ୍ ରଜତ କୁମାର ନାୟକ ଶ୍ରେଷ୍ଠ ଗୋଲକିପର, ବଲାଙ୍ଗୀର ଜିଲ୍ଲାର କନଷ୍ଟେବଳ ପିଣ୍ଟୁ ଥାନପତି ଶ୍ରେଷ୍ଠ ସ୍କୋରର୍, ଓଏସ୍ଏପି ଷଷ୍ଠ ବାଟାଲିୟନ୍‌ର ସିପାହୀ ବିଶ୍ୱନାଥ କହଁର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଛନ୍ତି।

ସ୍ୱତନ୍ତ୍ର ସଶସ୍ତ୍ର ଆରକ୍ଷୀ ବିଭାଗର ସ୍ୱତନ୍ତ୍ର ଡିଜି ମନୋଜ ଛାବ୍ରା ମୁଖ୍ୟ ଅତିଥି ଭାବେ ଅଂଶଗ୍ରହଣ କରି କୃତି ଦଳ ଓ ଖେଳାଳିମାନଙ୍କୁ ପୁରସ୍କୃତ କରିଥିଲେ। ଉଦ୍‌ଯାପନୀ ଉତ୍ସବର ଆୟୋଜନ କମିଟିର ଅଧ୍ୟକ୍ଷ ତଥା ଏସ୍ଏପି ଆଇଜି ଯତୀନ୍ଦ୍ର କୋଏଲ, ଷଷ୍ଠ ବାଟାଲିୟନର ଦୁର୍ଗପତି ବୈକୁଣ୍ଠ ବିହାରୀ ରାଉତ, ରାଜ୍ୟ ପୋଲିସ ମୁଖ୍ୟାଳୟ କ୍ରୀଡ଼ା ଅଧିକାରୀ ବିଭୂତି ଭୂଷଣ ମହାରଣା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସୂଚନାଯୋଗ୍ୟ, ଗତ ୧୮ତାରିଖରୁ ଆରମ୍ଭ ହୋଇଥିବା ପ୍ରତିଯୋଗିତାର କବାଡିରେ ୨୫ଟି ଓ ହ୍ୟାଣ୍ଡବଲ୍ ପ୍ରତିଯୋଗିତାରେ ୧୦ଟି ଦଳ ଅଂଶଗ୍ରହଣ କରିଥିଲେ। ଲିଗ୍ କମ୍ ନକ୍ ଆଉଟ୍ ଖେଳାଯାଇଥିବା ଏହି ପ୍ରତିଯୋଗିତାରେ ବିଭିନ୍ନ ପୋଲିସ ଜିଲ୍ଲା ଓ ପ୍ରତିଷ୍ଠାନରୁ ୫ଶହରୁ ଅଧିକ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିଥିଲେ ।

Comment