ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ : ଓଡ଼ିଶାର ଦୁଇ ପ୍ରତିଭାବାନ୍ ଖେଳାଳି ରାଜେଶ ମହାନ୍ତି ଓ କ୍ରୀଷ୍ଣା ପଲେଇ ବୟସ ଜାଲିଆତି ଅଭିଯୋଗରେ ଦୁଇବର୍ଷ ବାସନ୍ଦ ହୋଇଛନ୍ତି। ବିସିସିଆଇ ତରଫରୁ ଏହି ଦୁଇ ଖେଳାଳିଙ୍କୁ ବାସନ୍ଦ କରାଯାଇଛି। ରାଜେଶ ୧୯ବର୍ଷରୁ କମ୍ ଭାରତୀୟ ଦଳରେ ଖେଳି ଜାତୀୟ କ୍ରିକେଟରେ ଜଣେ ଅନ୍ତର୍ଜାତୀୟ ଖେଳାଳି ଭାବେ ପରିଚିତ ହୋଇ ମଧ୍ୟ ଆଜି ଏ କଳଙ୍କ ମୁଣ୍ଡାଇଛନ୍ତି। ସେହିପରି ଚଳିତବର୍ଷ ଓଡ଼ିଶା ସିନିୟର ଦଳରେ ସ୍ଥାନ ପାଇଥିବା କ୍ରୀଷ୍ଣାଙ୍କୁ ସୁଯୋଗର ଫାଇଦା ଉଠାଇବାକୁ ଅନ୍ତତଃପକ୍ଷେ ଆହୁରି ଦୁଇ ବର୍ଷ ଅପେକ୍ଷା କରିବାକୁ ପଡିବ।

ଓଡ଼ିଶା କ୍ରିକେଟରେ ଦୀର୍ଘ ଦିନ ଧରି ବୟସ ଜାଲିଆତି ହୋଇ ଆସୁଥିଲା। ବୟସ କମ୍ ଦର୍ଶାଇ ଜୁନିୟର କ୍ରିକେଟରେ ଖେଳି ଆସୁଥିଲେ। ଏନେଇ ଦୀର୍ଘ ଦିନ ଧରି ଅଭିଯୋଗ ହୋଇ ଆସୁଥିଲେ ବି ଓଡ଼ିଶା କ୍ରିକେଟ ଆସୋସିଏସନ୍(ଓସିଏ) ତରଫରୁ କାର୍ଯ୍ୟାନୁଷ୍ଠାନ ନିଆଯାଉନଥିଲା। ପରେ ବିସିସିଆଇରେ ଅଭିଯୋଗ ହେବାରୁ ଓସିଏର ଚେତା ଫେରିଥିଲା। କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା। କାରଣ କିଛି ନିର୍ଦ୍ଦିଷ୍ଟ ଖେଳାଳି ଦୀର୍ଘ ଦିନ ଧରି ଗୋଟିଏ ଜାଲ୍ ବୟସ ପ୍ରମାଣପତ୍ରରେ ଖେଳି ଆସୁଥିଲେ।

ଏହି ସାର୍ଟିଫିକେଟକୁ ନେଇ ଖେଳାଳିମାନଙ୍କର ବିସିସିଆଇର ରେଜିଷ୍ଟ୍ରେସନ୍ ମଧ୍ୟ ହୋଇଥିଲା। ଏବେ ବୟସ ଜାଲିଆତିକୁ ମାଫ୍ ନାହିଁ ବୋଲି ବିସିସିଆଇ କଠୋର ହେବା ପରେ ଚାହିଁ ବି ପରିବର୍ତ୍ତନ କରିପାରିଲେ ନାହିଁ।   କାରଣ ଯଦି ନୂଆ ତଥା ଅସଲି ସାର୍ଟିଫିକେଟ୍ ଦିଅନ୍ତି ତେବେ ପୁରୁଣା ଅଭିଯୋଗରେ ବାସନ୍ଦ ନିଶ୍ଚିତ। ତେଣୁ ପୁରୁଣା ରେଜିଷ୍ଟ୍ରେସନ୍ ଅନୁଯାୟୀ ଜାଲ୍ ସାର୍ଟିଫିକେଟ୍ ଦେବାକୁ ଖେଳାଳି ବାଧ୍ୟ ହେଉଛନ୍ତି। ଏଭଳି ଘଟଣା ଘଟିଛି ରାଜେଶ ମହାନ୍ତିଙ୍କ ସହ।

ଡାହାଣହାତୀ ପେସ୍‌ ବୋଲର ରାଜେଶ ଗତ ୨୦୧୬ ମସିହାରେ ରାଜ୍ୟ ୧୯ବର୍ଷରୁ କମ୍ ଦଳରେ ଥିବା ବେଳେ ବୟସ ଜାଲିଆତି ଅଭିଯୋଗରେ ଗୋଟିଏ ବର୍ଷ ବାସନ୍ଦ ହୋଇଥିଲେ। ଏବେ ପୁଣି ୩ବର୍ଷ ପରେ ରାଜେଶ ଦୁଇ ବର୍ଷ ବାସନ୍ଦ ହେବା ତାଙ୍କ କ୍ୟାରିୟରକୁ ବିପଦରେ ପକାଇଛି।

ରାଜେଶ ଓଡ଼ିଶା ପକ୍ଷରୁ ଗତବର୍ଷ ରଣଜୀ ଟ୍ରଫିରେ ପ୍ରବେଶ କରିଥିଲେ। ଏବେ ସୁଦ୍ଧା ୯ଟି ପ୍ରଥମ ଶ୍ରେଣୀ, ୧୦ଟି ଲିଷ୍ଟ-ଏ ଓ ୭ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ୨୦୧୮ ମସିହାରେ ୧୯ବର୍ଷରୁ କମ୍ ଏସିଆ କପରେ  ରାଜେଶ ଭାରତକୁ ପ୍ରତିନିଧିତ୍ୱ କରିଥିଲେ। ରାଜେଶଙ୍କ ଘର ନୟାଗଡ଼ରେ। ଏବେ ସେ ଭୁବନେଶ୍ୱରର ଏକ କ୍ଲବ ପକ୍ଷରୁ ଖେଳୁଛନ୍ତି।

ସେହିପରି ରାଉରକେଲାରେ ଜନ୍ମିତ କ୍ରୀଷ୍ଣା ଜଣେ ବାମହାତୀ ସ୍ପିନ ବୋଲର। ଗତବର୍ଷ ସିନିୟର ଦଳରେ ପାଦ ଦେଇଥିବା କ୍ରୀଷ୍ଣା ମାତ୍ର ଗୋଟିଏ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଛନ୍ତି। ୧୯ବର୍ଷରୁ କମ୍ ଓ ୨୩ବର୍ଷରୁ କମ୍ ଦଳରେ ସେ ରାଜ୍ୟର ଜଣେ ନିୟମିତ ଖେଳାଳି । ତେବେ କେବଳ ଏହି ଦୁଇ ଖେଳାଳି ନୁହନ୍ତି, ଆସନ୍ତା ଦିନରେ ଆହୁରି କିଛି ଖେଳାଳି ବାସନ୍ଦ ହେବାର ସମ୍ଭାବନା ରହିଥିବା ଜଣାପଡିଛି।

Comment