ଓଡ଼ିଶାଲାଇଭ ବ୍ୟୁରୋ

ନିଖୋଜ ହେବାର ଦୀର୍ଘ ୧୬ ବର୍ଷ ପରେ ପରସ୍ପରକୁ ଭେଟିଵାର ସୁଯୋଗ ପାଇଲେ ମାଆ ପୁଅ। ଆନନ୍ଦରେ ଉଭୟଙ୍କ ଆଖିରୁ ଝରି ଆସୁଥିଲା ଲୁହ। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ଜିଲ୍ଲା ଆଇନ ସେବା ପ୍ରାଧିକରଣ କେନ୍ଦ୍ରରେ।

ବିହାର ସିରିପୁର ଅଞ୍ଚଳର ୮୦ ବର୍ଷିୟ ବୃଦ୍ଧା ଫତିମା ଖାତୁନ୍ ସ୍ଵାମୀଙ୍କ ମୃତ୍ୟୁ ପରେ ମାନସିକ ସନ୍ତୁଳନ ହରାଇ ନିଖୋଜ ହୋଇ ଯାଇଥିଲେ। ତେବେ ଭୁବନେଶ୍ୱର ରେଳ ଷ୍ଟେସନରୁ ଉଦ୍ଧାର ପରେ ତାଙ୍କୁ କୋରାପୁଟରେ ୧୦ ବର୍ଷ ହେଲା ଚିକିତ୍ସା କରାଯାଇଥିଲା। ବର୍ତ୍ତମାନ ସୁସ୍ଥ ହେବା ପରେ ଫତିମାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ଫତିମାଙ୍କ ଘର ବିହାର ଜୟନଗର ଥାନା ଅନ୍ତର୍ଗତ ସିରିପୁର ଅଞ୍ଚଳରେ। ସ୍ଵାମୀ ଓ ୪ ପୁଅ ଝିଅଙ୍କୁ ନେଇ ଚାଲିଥିଲା ତାଙ୍କର ସୁଖର ସଂସାର। ହେଲେ ସଂପର୍କୀୟଙ୍କ ସହ ଚାଷ ଜମିକୁ ନେଇ ବିବାଦ ଦେଖା ଦେଇଥିଲା। ଏହି ବିବାଦ ଚାଲିଥିବା ସମୟରେ ସ୍ଵାମୀ ସୁଲତାନ ନାଡାଫଙ୍କ ମୃତ୍ୟୁ ହୋଇଥିଲା।  ସ୍ଵାମୀଙ୍କ ମୃତ୍ୟୁକୁ ନେଇ ମାନସିକ ସନ୍ତୁଳନ ହରାଇ ହଠାତ୍ ଘରୁ ନିଖୋଜ ହୋଈଯାଇଥିଲେ ଫତିମା।

ବହୁ ଖୋଜାଖୋଜି ପରେ ବି ଫତିମାଙ୍କ ସନ୍ଧାନ ପାଇନଥିଲେ ପରିବାର ଲୋକ। ତେଣୁ ଫତିମାଙ୍କୁ ଫେରି ପାଇବା ଆଶା ଛାଡି ଦେଈଥିଲେ। ଏହାରି ମଧ୍ୟରେ କୋରାପୁଟରେ ରହି ଚିକିତ୍ସା ହୋଇ ସୁସ୍ଥ ହୋଇଯାଇଥିଲେ ମଧ୍ୟ ପରିବାର ଲୋକଙ୍କ ଠିକଣା ମିଳି ପାରୁନଥିଲା।

ପରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଏକ ଟିମ ଫତିମାଙ୍କୁ  ଭେଟିବା ପରେ ତାଙ୍କଠାରୁ ସମ୍ପୂର୍ଣ୍ଣ ତଥ୍ୟ ନେଇ ପରିବାରକୁ ଖୋଜି ବାହାର କରିଥିଲେ। ଆଇନ ଅନୁସାରେ ସମସ୍ତ ପ୍ରକ୍ରିୟା ଶେଷ ପରେ ତାଙ୍କୁ ତାଙ୍କ ପୁଅଙ୍କୁ ହସ୍ତାନ୍ତର କରାଯାଇଛି।

Comment