ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ: ସାମୁଦ୍ରିକ ଝଡ଼ ବାତ୍ୟା ଫନି  ସହାୟତାକୁ ନେଇ ଏବେ କ୍ଷତିଗ୍ରସ୍ତଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ। ଯୋଗ୍ୟ ହିତାଧିକାରୀଙ୍କ ବଦଳରେ ଅଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଥିବା ଅଭିଯୋଗ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସମ୍ବିତ ପାତ୍ର। ଏନେଇ ଆଜି ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶତାଧିକ ଫନି କ୍ଷତିଗ୍ରସ୍ଥ ଜିଲ୍ଲାପାଳଙ୍କୁ ଦେଖାକରି ଅଭିଯୋଗ ଜଣାଇଛନ୍ତି।

ପୁରୀ ଜିଲ୍ଲାରେ ଫନି ଘରଭଙ୍ଗା ସହାୟତାରେ ପାତର ଅନ୍ତର କରାଯାଇଛି। ପ୍ରଳୟଙ୍କାରୀ ବାତ୍ୟା ଫନିକୁ ୬ମାସ ବିତି ଯାଇଥିଲେ ସୁଦ୍ଧା ଗରିବ ଓ ଯୋଗ୍ୟ ହିତାଧିକାରୀ ଆର୍ଥିକ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି। ଦଳୀୟ ଭିତ୍ତିରେ ଘରଭଙ୍ଗା ସହାୟତା ଦିଆଯାଇଥିବା ବିଜେପି ଅଭିଯୋଗ ଆଣିଛି।

ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସମ୍ବିତ ପାତ୍ର, ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଆଜି ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଛନ୍ତି। ଘରଭଙ୍ଗା ସହାୟତାରୁ ବାଦ ପଡ଼ିଥିବା ଯୋଗ୍ୟ ଓ ଗରିବ ହିତାଧିକାରୀଙ୍କୁ ଚିହ୍ନଟ କରି ସହାୟତା ପ୍ରଦାନ, ଅଯୋଗ୍ୟ  ହିତାଧିକାରୀଙ୍କଠାରୁ ଟଙ୍କା ଫେରସ୍ତ ଓ ନୂତନ ଆବେଦନକୁ ଗ୍ରହଣ କରିବାକୁ ଦାବି କରିଛି ବିଜେପି।

 

ଜିଲ୍ଲାର ୩.୫ ଲକ୍ଷ  ଲୋକଙ୍କ ମଧ୍ୟରୁ ୨.୭୮ ଲକ୍ଷ ଲୋକଙ୍କୁ  ଘରଭଙ୍ଗା ଆର୍ଥିକ ସହାୟତା ପ୍ରଦାନ କରାଯାଇ ସାରିଛି। ଜିଆରଏସ, ଆରଆଇ ଓ ମଧ୍ୟସ୍ଥିଙ୍କ ବିରୁଦ୍ଧରେ ତଦନ୍ତ କରି ଗିରଫ କରାଯିବ। ତେଣୁ ସମସ୍ତ ଯୋଗ୍ୟ ଓ ଗରିବ ହିତାଧିକାରୀ ଘରଭଙ୍ଗା ସହାୟତା ପାଇବେ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି।

ଯୋଗ୍ୟ ହିତାଧିକାରୀଙ୍କୁ ଚି଼ହ୍ନଟ କରି ଜିଲ୍ଲା ପ୍ରଶାସନ କେବେ ଘରଭଙ୍ଗା ସହାୟତା ଯୋଗାଉଛି ତା ଉପରେ ସମସ୍ତଙ୍କ ନଜର।

LEAVE A REPLY

Please enter your comment!
Please enter your name here