ଓଡ଼ିଶାଲାଇଭ୍ ବ୍ୟୁରୋ
ଅଯୋଧ୍ୟାର ବିବାଦୀୟ ଜମି ଉପରେ ସୁପ୍ରିମକୋର୍ଟ ଆଜି ତାଙ୍କର ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି। ୧୯୯୨ରେ ବାବ୍ରି ମସଜିଦ ଭଙ୍ଗାଯିବା ପରେ ଏହି ୨.୭୭ ଏକର ଜମିକୁ ନେଇ ହିନ୍ଦୁ ଓ ମୁସଲିମଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା।
ଅଯୋଧ୍ୟା ଜମି ବିବାଦ ପ୍ରକୃତରେ ବହୁ ଦିନର। ଉନ୍ନବିଂଶ ଶତାବ୍ଦୀର ଏହି ବିବାଦ ଦେଶରେ ସାମ୍ପ୍ରଦାୟିକ ଦଙ୍ଗାର କାରଣ ବି ହୋଇ ଆସିଥିଲା। ୧୯୮୦ରୁ ବିଜେପି ରାମ ମନ୍ଦିର ନିର୍ମାଣ ପାଇଁ ଲଢ଼ି ଆସିଥିବା ବେଳେ ଏହା କ୍ରମଶଃ ରାଜନୀତିରେ ପରିଣତ ହୋଇଯାଇଥିଲା।
ଆଜି ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ପୁରୁଣା ବିବାଦକୁ ନେଇ ଯେଉଁ ରାୟ ଦେଇଛନ୍ତି ତାହାକୁ ୩ଟି ବୁଝିବା ଭଳି ପାରାରେ ନିମ୍ନରେ ଦିଆଗଲା:
୧-ବିବାଦଟି କ’ଣ?
ବ୍ରିଟିଶ ରାଜତ୍ୱ କାଳରେ ଏହି ବିବାଦଟି ସର୍ବପ୍ରଥମେ ଉନ୍ନବିଂଶ ଶତାବ୍ଦୀରେ ସୃଷ୍ଟି ହୋଇଥିଲା। ତେବେ ସୁପ୍ରିମକୋର୍ଟ ଯେଉଁ ବିବାଦର ରାୟ ଦେଇଛନ୍ତି ତାହା ୧୯୪୯ର ବିବାଦ। ସେ ବର୍ଷ ରାମଙ୍କର ଏକ ପିତୁଳାକୁ ବାବ୍ରି ମସଜିଦର କେନ୍ଦ୍ରସ୍ଥାନରେ ରଖି ପୂଜା ଆରମ୍ଭ କରାଗଲା। ମୋଗଲ ସମ୍ରାଟ ବାବର ଷୋଡ଼ଶ ଶତାବ୍ଦୀରେ ଏହି ମସଜିଦ ନିର୍ମାଣ କରିଥିଲେ ବୋଲି କୁହାଯାଏ। ରାମଙ୍କ ପିତୁଳା ସ୍ଥାପନା ପରଠାରୁ ଉଭୟ ହିନ୍ଦୁ ଓ ମୁସଲିମମାନେ ଏହାକୁ ନିଜ ନିଜର ଧାର୍ମିକ ଅନୁଷ୍ଠାନ ବୋଲି ଦାବି କରିଆସୁଥିଲେ। ୧୯୮୦ରେ ବିଜେପି ଓ ଆରଏସ୍ଏସ୍ ଏଠି ମନ୍ଦିର ନିର୍ମାଣ ପାଇଁ ଅଭିଯାନ ଆରମ୍ଭ କରିଥିଲେ। ଏହା ଦ୍ୱାରା ହିନ୍ଦୁ ଓ ମୁସଲିମଙ୍କ ଭିତରେ ବିବାଦ ସୃଷ୍ଟି ହୋଇଥିଲା ଓ ଶେଷରେ ୧୯୯୨ ଡିସେମ୍ବର ମାସରେ କର ସେବକମାନଙ୍କ ଦ୍ୱାରା ମସଜିଦ ଭାଙ୍ଗି ଦିଆଯାଇଥିଲା।
୨-କୋର୍ଟ କ’ଣ ନିଷ୍ପତ୍ତି ନେଲେ?
ସୁପ୍ରିମକୋର୍ଟ ଏହି ବିବାଦୀୟ ଜମିକୁ ଏକ ଟ୍ରଷ୍ଟକୁ ଦେବା ପାଇଁ କହିଛନ୍ତି। ତିନି ମାସ ମଧ୍ୟରେ କେନ୍ଦ୍ର ସରକାର ଏହି ଟ୍ରଷ୍ଟ ଗଠନ କରିବେ। ଜମି ଅଧିଗ୍ରହଣ କାର୍ଯ୍ୟ ସହ ମନ୍ଦିର ନିର୍ମାଣ କାର୍ଯ୍ୟ ମଧ୍ୟ ଏହି ନୂଆ ଟ୍ରଷ୍ଟ ବୁଝିବ। ବାବ୍ରି ମସଜିଦ ଭାଙ୍ଗିବା ଠିକ୍ ହୋଇନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଏଥି ସହିତ କୋର୍ଟ କହିଛନ୍ତି ଯେ, ସରକାର ଅଲଗା ଯେଉଁ ୬୭ ଏକର ଜମି ଅଧିଗ୍ରହଣ କରିଛନ୍ତି ସେଥିରୁ ମସଜିଦ ନିର୍ମାଣ ପାଇଁ ୫ ଏକର ଜାଗା ସୁନ୍ନି ୱାକଫ ବୋର୍ଡକୁ ଦିଆଯିବ। ବିବାଦୀୟ ଅଢ଼େଇ ଏକର ଜାଗାକୁ ହିନ୍ଦୁ, ମୁସଲିମ ଓ ଆବେଦନକାରୀଙ୍କ ମଧ୍ୟରେ ବାଣ୍ଟିବା ପାଇଁ ଆଲ୍ଲାହାବାଦ ହାଇକୋର୍ଟ ଯେଉଁ ରାୟ ଦେଇଥିଲେ ତାହାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏହି ରାୟରେ କୌଣସି ଯୁକ୍ତି ନଥିଲା ବୋଲି ସୁପ୍ରିମକୋର୍ଟ କହିଛନ୍ତି।
୩-ରାୟର ଅର୍ଥ କ’ଣ?
ଏହି ରାୟ ପ୍ରକାଶ ପାଇବା ପରେ ଅଯୋଧ୍ୟାର ରାମ ମନ୍ଦିର ନିର୍ମାଣ ପାଇଁ ବାଟ ଫିଟିଲା। ୧୯୯୨ରେ ବାବ୍ରି ମସଜିଦ ଭଙ୍ଗା ସ୍ଥାନରେ ହିଁ ରାମ ମନ୍ଦିର ନିର୍ମାଣ କରାଯିବ। ଏହି ଦାବି ହିଁ ବିଜେପି ଓ ଅନ୍ୟ ହିନ୍ଦୁ ସଂଗଠନ ମାନେ ବରାବର କରିଆସୁଥିଲେ। ଯଦିଓ ସୁପ୍ରିମକୋର୍ଟ କହିଲେ ଯେ, ଷୋଡ଼ଶ ଶତାବ୍ଦୀର ମସ୍ଜିଦକୁ ତଳେ ଗଡ଼ାଇବା ଠିକ୍ ହୋଇନାହିଁ, ପରୋକ୍ଷରେ କୋର୍ଟ ଯେଉଁ ରାୟ ଦେଇଛନ୍ତି ତାହା ବିଜେପି ଓ ଭିଏଚପି (ବିଶ୍ୱ ଦିନ୍ଦୁ ପରିଷଦ)କୁ ସୁହାଇଛି। ଏହି ରାୟ ପରେ ହିନ୍ଦୁ ସଂଗଠନଗୁଡ଼ିକ ଅନ୍ୟତ୍ର ଯେଉଁଠି ହିନ୍ଦୁ ମନ୍ଦିର ଉପରେ ମସଜିଦ ରହିଛି ବୋଲି କୁହାଯାଉଛି ତାକୁ ଦାବି କରିପାରନ୍ତି।