ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିଧାନସଭା ଶୀତ ଅଧିବେଶନର ଥମୁନି ସ୍ମିତାରାଣୀ ବିଶ୍ୱାଳ ଝଡ଼। ପ୍ରଥମ ଓ ଦ୍ୱିତୀୟ ଦିନ ସ୍ମିତାରାଣୀ ଝଡ଼ରେ ବିଧାନସଭା ଧୋଇ ହୋଇ ଯାଇଥିବା ବେଳେ ତୃତୀୟ ଦିନରେ ବିଜେପି ବିଧାୟକମାନେ କଳାପଟି ବାନ୍ଧି ଗୃହକୁ ଆସିଥିଲେ।
ବିଧାନସଭାର କାର୍ଯ୍ୟକାଳ ଆରମ୍ଭ ହେଲା। ହେଲେ ବିଜେପି ବିଧାୟକମାନେ ଏଥିରେ ସାମିଲ୍ ହେଲେନି। କଳାପଟି ବାନ୍ଧି ପ୍ରତିବାଦ କଲେ। କଳାପଟି ଖୋଲି ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିଜେପି ବିଧାୟକମାନଙ୍କୁ କହିଥିଲେ ମଧ୍ୟ ସେମାନେ ଏହାକୁ ଶୁଣି ନଥିଲେ।
ଘଟଣାର ସିବିଆଇ ତଦନ୍ତ, ଯାଜପୁର ଏସ୍ପି ଏବଂ ମହିଳା କମିସନ ଅଧ୍ୟକ୍ଷାଙ୍କ ବହିଷ୍କାର ନହେବା ଯାଏଁ ଏଭଳି ପ୍ରତିବାଦ ଜାରି ରହିବ ବୋଲି ବିଜେପି ବିଧାୟକମାନେ କହିଥିଲେ।
ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବିଜେପି ପାର୍ଟି ଅଫିସ୍ରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସ୍ମିତାରାଣୀଙ୍କ ମୃତ୍ୟୁ ରାଜ୍ୟ ସରକାର ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରୁଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଥିଲେ।
‘‘ସ୍ମିତାରାଣୀ ମୃତ୍ୟୁ ଘଟଣାରେ ଆମେ ବିଧାନସଭାରେ ଏକ ମୋସନ ଆଣିବାକୁ ଚାହୁଁଥିଲୁ। ହେଲେ ବାଚସ୍ପତି ଆମକୁ ସହଯୋଗ କଲେ ନାହିଁ। ବାଚସ୍ପତି ପକ୍ଷ ପାତିତା କରୁଛନ୍ତି। ବିରୋଧୀ ଦଳକୁ ସରକାର ଗୁରୁତ୍ୱ ଦେଉ ନାହାନ୍ତି’’, କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ।
ସ୍ମିତାରାଣୀ ମୃତ୍ୟୁକୁ ନେଇ ବିଧାନସଭାରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଉତ୍ତର ରଖିଥିଲେ। ଏହାକୁ ସେ ଆତ୍ମହତ୍ୟା ଜନିତ ବୋଲି କହିଥିଲେ। ହେଲେ ବିରୋଧୀ ଦଳ ଏହାକୁ ଗ୍ରହଣ କରିବାକୁ ନାରାଜ। ଏହି ଘଟଣାର ସିବିଆଇ ତଦନ୍ତ ଦାବିରେ ଅଟଳ ରହିଛି ବିରୋଧୀ ବିଜେପି।


















