ଗାୟତ୍ରୀ ଦାସ

ଆମେମାନେ ସବୁବେଳେ ଓଡ଼ିଆ ଖାଦ୍ୟ ଖାଉଛେ। ଆସନ୍ତୁ ଜାଣିବା ଗୋଟେ ପଞ୍ଜାବୀ ଖାଦ୍ୟ ବିଷୟରେ, ଯାହାକୁ ଛୋଲେ ବଟୋରେ କହନ୍ତି। ଏହାକୁ ତିଆରି କରିବାର ଏକ ସ୍ୱତନ୍ତ୍ର ପଦ୍ଧତି ଅଛି। ପ୍ରଥମେ ବଟୋରେ ବିଷୟରେ ଜାଣିବା।

ସାମଗ୍ରୀ

  • ମଇଦା – ୫୦୦ ଗ୍ରାମ୍‌
  • ଦହି – ବଡ଼ ୨ ଚା
  • ଚିନି – ବଡ଼ ୨ ଚା
  • ଲୁଣ – ସ୍ୱାଦାନୁସାରେ
  • କଳା ଜିରା- ଗୋଟେ ଛୋଟ ଚାମଚ
  • ଖାଇବା ସୋଡ଼ା – ୨/୩ ପିଞ୍ଚ
  • ତେଲ – ଅଳ୍ପ
  • ପାଣି – ଚକଟିବା ପାଇଁ ଯେତିକି ଆବଶ୍ୟକ।

ପ୍ରଥମେ ମଇଦାକୁ ଭଲ ଭାବେ ଚଲାଇଦେବା। ତା’ପରେ ସେଥିରେ ଖାଇବା ସୋଡ଼ା, ଚିନି, ଲୁଣ,କଳାଜିରା ଆଦି ପକାଇ ଭଲ ଭାବରେ ଗୋଳାଇଦେବା। ଏବେ ସେଥିରେ ଦହି ପକାଇ ଅଳ୍ପ ଅଳ୍ପ ପାଣି ଦେଇ ଚକଟିବା। ଟିକେ ଟାଣ କରି ଚକଟିବା ଯେପରି ପାଣିଆ ହେବ, ସେଥିରେ ଦୁଇ ଚା ତେଲ ମଧ୍ୟ ପକାଇବା ଯେପରି ହାତରେ ମଇଦା ନ’ଲାଗେ। ଏବେ ଚକଟା ଉପରେ ଅଳ୍ପ ତେଲ ହାତ ବୁଲାଇ ଆଣିବା। ଶେଷରେ ଗୋଟିଏ ପତଳା କପଡ଼ା ଓଦା କରି ଭଲ ଭାବରେ ଚିପୁଡ଼ି ଦେବା ଏହି ଗୋଳାକୁ ସେଥିରେ ଗୁଡ଼ାଇ ଦେବା, ତା’ ଉପରେ ଗୋଟେ ପାତ୍ର ଭଲ ଭାବେ ଘୋଡ଼ାଇ ଦେବା, ଏହାକୁ ୬/୭ ଘଣ୍ଟା ରଖିଦେବା। ଟିକେ ହାତକୁ ନରମ ଲାଗିଲେ, ଛୋଟ ଛୋଟ ଗୁଳା କରି ବେଲି ଦେବା ସିଲିଣ୍ଡର ସାଇଜ୍‌ରେ ଲମ୍ବା ଲମ୍ବା। କଡ଼େଇରେ ତେଲ ଗରମ କରି ଏହାକୁ ଗୋଟେ ଗୋଟେ କରି ଛାଣିବା। ଦେଖିବେ ଏଥିରେ ତେଲ ଆଦୌ ରହିବନାହିଁ। ଏହା ନାନ୍ ପରି ଲାଗିବ। ଏହାକୁ ୩/୪ ଦିନ ରଖି ମଧ୍ୟ ଖାଇପାରିବେ।

‘‘ଛୋଲେ’’

ଏବେ ଛୋଲେର ପ୍ରସ୍ତୁତି ପ୍ରଣାଳୀ ଜାଣିବା,

ସାମଗ୍ରୀ 

  • କାବୁଲି ଚଣା – ୫୦୦ ଗ୍ରାମ୍
  • ବୁଟ ଡାଲି – ୧୦୦ ଗ୍ରାମ୍‌
  • ବଡ଼ ଅଳେଇଚ – ୨ଟି
  • ପିଆଜ ବଟା – ୨ଟି ବଡ଼
  • ରସୁଣ – ୧୦/୧୨ କୋଲା
  • ଅଦା- ଛୋଟ ଖଣ୍ଡେ
  • କଞ୍ଚାଲଙ୍କା – ୨/୩ଟି
  • ତେଜପତ୍ର – ୨ଟା
  • ଟମାଟୋ – ୨ଟି
  • ଜିରା ପାଉଡର – ୧/୨ ଚା ଚାମଚ
  • ଧନିଆ ପାଉଡର – ୧ ଚା ଚାମଚ
  • ଲଙ୍କା ଗୁଣ୍ଡ – ୧ ଚା ଚାମଚ
  • ଓ ରାନ୍ଧିବା ପାଇଁ – ଶୋରିଷ ତେଲ

ପ୍ରଥମେ କାବୁଲି ଚଣା ଓ ବୁଟ ଡାଲିକୁ ସିଝାଇବା ପାଇଁ ସେଥିରେ ଅଳ୍ପ କଟା ପିଆଜ, ରସୁଣ ୨/୩ କୋଲା, ତେଜପତ୍ର ୧ଟି, ଲୁଣ, ହଳଦୀ ପକାଇ ସିଝାଇଦେବା। ଚଣା ସିଝିଯିବା ପରେ କଡ଼େଇରେ ଶୋରିଷ ତେଲ ନେବା, ତେଲ ଗରମ ହେବା ପରେ ସେଥିରେ ଗୋଟେ ଚାମଚ ଚିନି ଦେବା, ଚିନି ଲାଲ ହୋଇଗଲେ ସେଥିରେ କଟା ହୋଇଥିବା ପିଆଜ ପକାଇବା। ପିଆଜ ଲାଲ୍ ହୋଇଗଲେ ସେଥିରେ ଅଦା, ରସୁଣ ବଟାଦେବା, ଟିକେ କଷିଦେବା, ଟମାଟୋକୁ ପ୍ୟୁରି କରି ସେଥିରେ ଦେବା, ତା’ ପରେ ସେଥିରେ ଜିରାଗୁଣ୍ଡ, ହଳଦୀଗୁଣ୍ଡ, ଧନିଆଗୁଣ୍ଡ, ଲଙ୍କାଗୁଣ୍ଡ ଚଣା ମସଲା ଓ ଅଳ୍ପ ଲୁଣ ଦେଇ ଭଲ ଭାବେ କଷିଦେବା, ମସଲାରୁ ତେଲ ଛାଡ଼ିବା ପରେ ସେଥିରେ ସିଝା ଯାଇଥିବା ଚଣା ପକାଇଦେବା।

କିଛି ସମୟ ଫୁଟାଇବା ପରେ ସେଥିରେ ଗରମ ମସଲା ଓ କସ୍ତୁରୀ ମେଥି ପତ୍ର ପକାଇଦେବା। ଭଲ ଗାଢ଼ା ରଙ୍ଗ ଆସିବା ପାଇଁ କପେ ପାଣିରେ ଗୋଟେ ଛୋଟ ଚାମଚ ଚା ପତି ଫୁଟାଇ ସେହି ପାଣିକୁ ଛାଣି ତରକାରୀରେ ଦେଇଦେବା। ଟିକେ ଫୁଟାଇ ଦେବା ତରକାରୀକୁ। ଏବେ ପ୍ରସ୍ତୁତ ହୋଇଗଲା ଆମର ଚଣା ମସଲା, ଏହା କେବଳ ବଟୋରେ ରେ ଖାଇବା ପାଇଁ ସୁଆଦ ଲାଗିବ।

LEAVE A REPLY

Please enter your comment!
Please enter your name here