ଓଡ଼ିଶାଲାଇଭ୍ ବ୍ୟୁରୋ

ଆସାମ ରାଜ୍ୟ ସରକାର ଅରୁନ୍ଧତୀ ସୁନା ଯୋଜନାରେ ଝିଅମାନଙ୍କ ବାହାଘରରେ ୧୦ ଗ୍ରାମ ସୁନା ବାଣ୍ଟିବେ।
ଏଣିକି ଝିଅ ବାହାଘର କଲେ ରାଜ୍ୟ ସରକାର ଦେବେ ୧୦ ଗ୍ରାମ ସୁନା। ଅରୁନ୍ଧତୀ ସୁନା ଯୋଜନାରେ ଝିଅମାନେ ତାଙ୍କ ବିବାହରେ ପାଇବେ ସୁନା। ଏପରି ଏକ ନୂଆ ଯୋଜନା ଆସାମ ରାଜ୍ୟ ସରକାର ଆରମ୍ଭ କରିବାକୁ ଯାଉଛନ୍ତି।
ଆସାମ ସରକାର ୨୦୨୦, ଜାନୁଆରି ମାସରୁ ଏହି ଯୋଜନାରେ ଝିଅମାନଙ୍କୁ ବାହାଘରରେ ସୁନା ବାଣ୍ଟିବେ। ତେବେ ଏଥିପାଇଁ କେତେକ ସର୍ତ୍ତ ରଖାଯାଇଛି। ଏହି ସୁବିଧା ପାଇବା ପାଇଁ ଝିଅ ଜଣକୁ ସର୍ବନିମ୍ନ ଦଶମ ଶ୍ରେଣୀ ପାସ୍ କରିବା ଦରକାର। ଏହାସହ ତାଙ୍କର ପରିବାର ରୋଜଗାର ବର୍ଷକୁ ୫ଲକ୍ଷ ଟଙ୍କାରୁ କମ୍ ରହିଥିବା ଦରକାର।
ଏହି ଯୋଜନାର ଲାଭ ଉଠାଇବା ପାଇଁ ବାହାଘରକୁ ୧୯୫୪ ମସିହାର ବିବାହ ଆଇନ୍ ଅନୁଯାୟୀ ରେଜିଷ୍ଟର କରିବାକୁ ପଡ଼ିବ ବୋଲି ଆସାମ ସରକାର କହିଛନ୍ତି। ଏହାପରେ ଯାଇ ନବ ବିବାହିତ ଝିଅମାନେ ଏହି ଯୋଜନାର ସୁବିଧା ପାଇପାରିବେ।
ଯୋଜନାରେ ସରକାର ସିଧାସଳଖ ଝିଅମାନଙ୍କୁ ସୁନା ନଦେଇ ତାଙ୍କର ବ୍ୟାଙ୍କ୍ ଆକାଉଣ୍ଟକୁ ୩୦ ହଜାର ଟଙ୍କା ପଠାଇବେ। ଏହି ଟଙ୍କାରେ ସେ ସୁନା କିଣିସାରିବା ପରେ ଏହାର ରସିଦକୁ ସରକାରଙ୍କ ପାଖରେ ଦାଖଲ କରିବାକୁ ପଡ଼ିବ। ଏଥିପାଇଁ ଆସାମ ସରକାରଙ୍କର ବର୍ଷକୁ ମୋଟ୍ ୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି।











