ଓଡ଼ିଶାଲାଇଭ୍ ବ୍ୟୁରୋ
ମହାରାଷ୍ଟ୍ର ବିଧାନସଭାରେ ବୁଧବାର ଫ୍ଲୋର୍ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ଏହାପରେ ମହାରାଷ୍ଟ୍ର ରାଜନୀତି ଆହୁରି ରୋଚକ ମୋଡ଼ରେ ପହଞ୍ଚିଛି। ରାଜ୍ୟରେ ସରକାର ବଞ୍ଚାଇ ରଖିବାକୁ ହେଲେ, ଏହି ଫ୍ଲୋର୍ ଟେଷ୍ଟରେ ଦେବେନ୍ଦ୍ର ଫଡନାବିସଙ୍କୁ ବହୁମତ ସାବ୍ୟସ୍ତ କରିବାକୁ ପଡ଼ିବ।
ମହାରାଷ୍ଟ୍ର ବିଧାନସଭାର ମୋଟ୍ ଆସନ ସଂଖ୍ୟା ହେଉଛି ୨୮୮। ଫ୍ଲୋର୍ ଟେଷ୍ଟରେ ପାସ୍ ହେବା ପାଇଁ ଦେବେନ୍ଦ୍ର ଫଡନାବିସଙ୍କ ସରକାରକୁ ୧୪୫ ବିଧାୟକଙ୍କ ସହମତି ଆବଶ୍ୟକ। ନଚେତ୍ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଫଡନାବିସଙ୍କୁ ଇସ୍ତଫା ଦେବାକୁ ପଡ଼ିବ। ବର୍ତ୍ତମାନର ସ୍ଥିତିକୁ ଦେଖିଲେ ବିଧାନସଭାରେ ବହୁମତ ପ୍ରମାଣ କରିବା ଦେବେନ୍ଦ୍ର ଫଡନାବିସଙ୍କ ପାଇଁ କଷ୍ଟକର ହେବ ବୋଲି କୁହାଯାଉଛି।
ନିର୍ବାଚନରେ ବିଜେପି ମୋଟ୍ ୧୦୫ଟି ସିଟ୍ ଜିତିଥିଲା। ଏହାପରେ ଅଜିତ ପାୱାରଙ୍କ ସହ ମିଶି ରାଜ୍ୟରେ ସରକାର ଗଠନ କରିବାକୁ ରାଜ୍ୟପାଳଙ୍କୁ ଦାବି କରିଥିଲା ବିଜେପି। ଅଜିତଙ୍କ ସହ ୫୪ ଏନସିପି ବିଧାୟକଙ୍କ ସମର୍ଥନ ରହିଛି ବୋଲି ରାଜ୍ୟପାଳଙ୍କୁ କୁହାଯାଇଥିଲା। ତେବେ ମଙ୍ଗଳବାର ଏନସିପି, ଶିବସେନା ଓ କଂଗ୍ରେସର ୧୬୨ ବିଧାୟକଙ୍କ ମିଳିତ ବୈଠକ ଦେଖିଲେ ଏହି କଥା ସତ ବୋଲି ଜଣାପଡୁନାହିଁ।
ମଙ୍ଗଳବାର ମୁମ୍ବାଇର ହେୟାତ୍ ହୋଟେଲରେ ଏନସିପି, ଶିବସେନା ଓ କଂଗ୍ରେସର ମୋଟ୍ ୧୬୨ ବିଧାୟକ ଏକାଠି ହୋଇ ଗଣମାଧ୍ୟମ ଆଗରେ ବୈଠକ କରିଥିଲେ। ରାଜ୍ୟରେ ସରକାର ଗଠନ ପାଇଁ ମିଳିତ ମେଣ୍ଟ ପାଖରେ ପୂର୍ଣ୍ଣ ବହୁମତ ଅଛି ବୋଲି ତିନି ଦଳର ନେତା ଏହି ବୈଠକରେ କହିଛନ୍ତି।
ଏପରି ପରିସ୍ଥିତିରେ ମହାରାଷ୍ଟ୍ରରେ ସରକାର ବଞ୍ଚାଇବାକୁ ବିଜେପି କେଉଁ ପନ୍ଥା ଆପଣାଉଛି ନାଁ ମହାରାଷ୍ଟ୍ରରେ ଏନସିପି, ଶିବସେନା ଓ କଂଗ୍ରେସ ମିଳିତ ମେଣ୍ଟ ସରକାର ଗଠନ କରୁଛନ୍ତି, ତାହା ହିଁ ବର୍ତ୍ତମାନ ଚର୍ଚ୍ଚାର କାରଣ ପାଲଟିଛି।