ଓଡ଼ିଶାଲାଇଭ୍ ବ୍ୟୁରୋ
ଦକ୍ଷିଣ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳୀ ଭାବରେ ମାଛକୁଣ୍ଡ ଜଳପ୍ରପାତକୁ ଗଣାଯାଏ। ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ଏହି ଜଳପ୍ରପାତକୁ ଦେଖିବା ପାଇଁ ଓଡ଼ିଶା ଓ ଆନ୍ଧ୍ରରୁ ବହୁ ପର୍ଯ୍ୟଟକ ଆସିଥାନ୍ତି। ତେବେ ଏହି ସ୍ଥାନଟି ଏବେ ବିପଦସଙ୍କୁଳ ହୋଇପଡ଼ିଛି। ବର୍ଷ ବର୍ଷ ଧରି ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ।
ମାଛକୁଣ୍ଡ ଜଳପ୍ରପାତର ଶୀର୍ଷ ସ୍ଥାନଟି ୧୦୦୦ ଫୁଟ ଉପରେ ଅବସ୍ଥିତ। ହେଲେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଏଠି କୌଣସି ସିକ୍ୟୁରିଟି ନାହାନ୍ତି। ବର୍ଷ ତମାମ ଏଠାକୁ ପର୍ଯ୍ୟଟକ ଆସୁଥିଲେ ହେଁ କ୍ରମାଗତ ଅବହେଳା ଯୋଗୁଁ ସ୍ଥାନଟି ତାର ପ୍ରଭାବ ହରାଇବା ଆରମ୍ଭ କରିଛି। ନଭେମ୍ବରରୁ ମାର୍ଚ୍ଚ ଭିତରେ ଏଠାକୁ ପ୍ରାୟ ୫୦ ହଜାର ପର୍ଯ୍ୟଟକ ଆସିଥା’ନ୍ତି।
ସୁରକ୍ଷା ବ୍ୟବସ୍ଥା କରାଯାଇନଥିବା ବେଳେ ନ୍ୟୁନତମ ସୁବିଧା ଯଥା ପାନୀୟ ଜଳ ଓ ଶୌଚାଳୟ ବି ଏଠି ନଥିବା ହେତୁ ପର୍ଯ୍ୟଟକମାନେ ଭୀଷଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତ ମାସରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ସ୍ତରୀୟ ପରବ ଉତ୍ସବ ଏଠି ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ସେଠାକୁ ଆସିଥିବା ନେତାମାନେ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଥିଲେ। ତେବେ ମାଛକୁଣ୍ଡର ଉନ୍ନତି ପାଇଁ ପର୍ଯ୍ୟଟନ ବିଭାଗ ପାଖରେ ଅର୍ଥର ଅଭାବ ରହିଛି ବୋଲି ଜଣେ ଅଧିକାରୀ କହିଛନ୍ତି।


















