ଓଡ଼ିଶାଲାଇଭ୍ ବ୍ୟୁରୋ

ଖାଦ୍ୟପେୟ ସୁରକ୍ଷାକୁ ନେଇ କରାଯାଇଥିବା ଏକ ସର୍ଭେରେ ଓଡ଼ିଶା ପଛରେ ପଡ଼ି ଯାଇଛି। ଫୁଡ୍ ସେଫଟି ଆଣ୍ଡ ଷ୍ଟାଣ୍ଡର୍ଡ ଅଥରିଟି (ଫସାଇ) ପକ୍ଷରୁ ଖାଦ୍ୟ ସାମଗ୍ରୀର ବ୍ୟବହାର କେତେ ସ୍ଵଛ ଓ ପରିଷ୍କାର ତାହାର ଏକ ନିୟମିତ ସର୍ଭେ କରାଯାଇଥିଲା। ଏହି ସଂସ୍ଥା ପକ୍ଷରୁ ରାଜ୍ୟର ୨୮ଟି ସ୍ଥାନରୁ ଖାଦ୍ୟ ନମୁନା ଲାବରଟୋରି ପରୀକ୍ଷା ପାଇଁ ନିଆଯାଇଥିଲା। ଏହି ପରୀକ୍ଷାରୁ ଜଣାପଡ଼ିଛି ଯେ, ୨୮ ପ୍ରତିଶତ ଖାଦ୍ୟ ସୁରକ୍ଷା ଷ୍ଟାଣ୍ଡର୍ଡ ଭିତରକୁ ଆସୁନାହିଁ। ଏଥି ମଧ୍ୟରୁ ପ୍ରାୟ ୭ ପ୍ରତିଶତ ଖାଦ୍ୟ ଆଦୌ ଖାଇବା ଯୋଗ୍ୟ ହୋଇ ନଥିବା ବେଳେ ୧୩ %ଖାଦ୍ୟ ଅତି ନିମ୍ନ ମାନର। ଅବଶିଷ୍ଟ ୮% ଖାଦ୍ୟର ଲେବୁଲରେ ଅଶୁଦ୍ଧ ରହିଥିବା ଜଣାପଡ଼ିଛି।
କ୍ଷୀର, ବାହାରେ ଓ ଖୋଲାରେ ମିଳୁଥିବା ଖାଦ୍ୟ ଭେଜାଲ ହେବା ସହ ଅନ୍ୟ ଖାଦ୍ୟ ସାମଗ୍ରୀ କ୍ଷେତ୍ରରେ ଯେତିକି ନିୟମ ମାନିବା କଥା ତାହା ହେଉନାହିଁ ବୋଲି ଏହି ରିପୋର୍ଟ ଦର୍ଶାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ୩୧ ପ୍ରକାର ଅସୁରକ୍ଷିତ ଖାଦ୍ୟ ଜନିତ ରୋଗର ଚିହ୍ନଟ କରାଯାଇଛି, ଯାହାକି ମ୍ୟାଲେରିଆ ଓ ଏଡ୍ସଠାରୁ କିଛି କମ ନୁହେଁ।
ରାଜ୍ୟରେ ଖରାପ ଖାଦ୍ୟ ବିକ୍ରି ପଛରେ ଗୋଟିଏ ବଡ଼ କାରଣ ହେଉଛି ଖାଦ୍ୟ ସୁରକ୍ଷା ଯାଞ୍ଚ ପାଇଁ ସରକାରଙ୍କ ପକ୍ଷରୁ ବିଶେଷ ବ୍ୟବସ୍ଥା ନାହିଁ। ଟେଷ୍ଟିଙ୍ଗ ଲାଵ ନଥିବା ଓ ପୂର୍ଣ୍ଣ କାଳୀନ ଅଧିକାରୀ ତଥା କର୍ମଚାରୀ ନଥିବା ଯୋଗୁଁ ଖାଦ୍ୟର ଗୁଣାତ୍ମକମାନ ଉପରେ କୌଣସି ନିୟନ୍ତ୍ରଣ ରଖା ଯାଇପାରୁନାହିଁ ବୋଲି ଏହି ସର୍ଭେ କହିଛି।


















