ଓଡ଼ିଶାଲାଇଭ୍ ବ୍ୟୁରୋ

ବିବାହକୁ ଆଇନଗତ ଭାବେ ବୈଧ ଦର୍ଶାଇବା ପାଇଁ କୋର୍ଟ ମ୍ୟାରେଜ କରାଯାଇଥାଏ। ଆପଣ ପ୍ରତିଦିନ କୋର୍ଟ ମ୍ୟାରେଜ ଶବ୍ଦ ଶୁଣି ଆସୁଥିବେ ହେଲେ ଆଜିବି ଅନେକ ଏହି କୋର୍ଟ ମ୍ୟାରେଜ କେମିତି ହୁଏ ଓ ଏହାର ପ୍ରକ୍ରିୟା କ’ଣ ଜାଣିନଥିବେ।

କୋର୍ଟ ମ୍ୟାରେଜକୁ ନେଇ ଆମ ସମ୍ବିଧାନରେ ଏକ ସ୍ୱତନ୍ତ୍ର ଆଇନ ରହିଛି, ଯାହାର ନାଁ ହେଉଛି ସ୍ପେଶାଲ ମ୍ୟାରେଜ ଆକ୍ଟ ୧୯୫୪ କୁହାଯାଏ। ସାରାଦେଶରେ ଏହି ଆଇନ ସମସ୍ତଙ୍କ ପାଇଁ ସମାନ। ଆପଣ ଦେଶର ଯେଉଁଠି ବି ବିବାହ କରନ୍ତୁ  ଏହି ଆଇନ ଅନୁସାରେ ହିଁ ବିବାହ କରିବାକୁ ପଡ଼ିବ। ଯଦି ଆପଣ କୌଣସି ବିଦେଶୀ ପୁଅ ବା ଝିଅଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ବା ଅନ୍ୟ ଧର୍ମରେ ବିବାହ କରୁଛନ୍ତି ତେବେ ମଧ୍ୟ ଏହି ଆଇନ ଅନୁସାରେ ବିବାହ କରିବାକୁ ପଡ଼ିବ।

ପ୍ରତି ଜିଲ୍ଲାରେ ମ୍ୟାରେଜ ରେଜିଷ୍ଟରଙ୍କ ଅଫିସ୍‌ ରହିଛି। କୌଣସି ଭାବି ଦମ୍ପତ୍ତି ଚାହିଁଲେ ନିଜ ଜିଲ୍ଲା ବ୍ୟତୀତ ଦେଶର ଅନ୍ୟ ଯେକୌଣସି ସ୍ଥାନରେ ବିବାହ ପାରିବେ। ମାତ୍ର ଏଥିପାଇଁ ସେମାନେ ସେହି ସ୍ଥାନରେ ୩ ମାସ ରହିଥିବା ଦରକାର।

କୋର୍ଟ ମ୍ୟାରେଜ ପାଇଁ କ’ଣ ଥାଏ ସର୍ତ୍ତ?

  •  ଝିଅର ବୟସ ୧୮ ବର୍ଷରୁ ଅଧିକ ଓ ପୁଅର ବୟସ ୨୧ ବର୍ଷରୁ ଅଧିକ ହୋଇଥିବା ଦରକାର।
  • ପୁଅ ବା ଝିଅଙ୍କର ପୂର୍ବରୁ କୌଣସି ବିବାହ ହୋଇନଥିବ। ଯଦି ବି ବିବାହ କରିଥିବେ ତେବେ ଛାଡ଼ପତ୍ର ହୋଇଥିଲେ ବା ସ୍ୱାମୀ ବା ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବ।
  • ପୁଅ ବା ଝିଅ ରକ୍ତ ସଂପର୍କୀୟ ବା ଭାଇ ଭଉଣୀ ହୋଇନଥିବେ।

 କ’ଣ ଥାଏ ପ୍ରକ୍ରିୟା?

  •  ପ୍ରଥମେ ମ୍ୟାରେଜ ରେଜିଷ୍ଟରଙ୍କ ଅଫିସରେ ଆବେଦନ କରିବାକୁ ପଡ଼ିଥାଏ।
  • ଏଥିପାଇଁ ଏକ ସ୍ୱତନ୍ତ୍ର ଫର୍ମ ରହିଛି। ବ୍ୟକ୍ତିଗତ ଭାବେ ସେହି ଫର୍ମ ପୂରଣ କରି ଆବଶ୍ୟକୀୟ କାଗଜପତ୍ର ସହ ରେଜିଷ୍ଟର ଅଫିସରେ ଡିପୋଜିଟ୍‌ କରିବାକୁ ହୁଏ।
  • ଏହାପରେ ବିବାହ ପାଇଁ ମ୍ୟାରେଜ ରେଜିଷ୍ଟରଙ୍କ ଅଫିସରେ ଏକ ନୋଟିସ୍‌ ପ୍ରକାଶ ପାଏ।
  • ନୋଟିସ ପ୍ରକାଶ ପାଇବାର ୩୦ ଦିନ ମଧ୍ୟରେ ଯଦି କୌଣସି ପକ୍ଷରୁ କିଛି ବି ଆପତ୍ତି ନଆସେ ତେବେ ପୁଅ ଝିଅ ସତ୍ୟପାଠରେ ହସ୍ତାକ୍ଷର କରିଥାନ୍ତି। ଏହାପରେ ମ୍ୟାରେଜ ସାର୍ଟିଫିକେଟ ପ୍ରାପ୍ତ ହୋଇଥାଏ।

 କେଉଁ କାଗଜପତ୍ର ଦରକାର?

  • ପୁଅ, ଝିଅ ଉଭୟଙ୍କର ପ୍ରମାଣ ପତ୍ର ଦରକାର ପଡ଼ିଥାଏ। ଯାହା ସେମାନଙ୍କ ବୟସ ପ୍ରମାଣିତ କରିଥାଏ। (ଆଧାର କାର୍ଡ, ଭୋଟର କାର୍ଡ, ପାସପୋର୍ଟ, ମାଟ୍ରିକ ସାର୍ଟିଫିକେଟ)
  • ଉଭୟଙ୍କର ୬ଟି ପାସପୋର୍ଟ ସାଇଜ ଫଟୋ
  • ଉଭୟ ପକ୍ଷଙ୍କ ପାଇଁ ଥିବା ସାକ୍ଷୀଙ୍କ ପ୍ରମାଣ ପତ୍ର।

ଆପଣଙ୍କ ପାଇଁ ଜାଣିବା ଜରୁରୀ ଯେ ବିଦେଶକୁ ଯିବାକୁ ଚାହୁଁଥିବା ଦମ୍ପତ୍ତିଙ୍କ ପାଇଁ ମ୍ୟାରେଜ ସାର୍ଟି ଫିକେଟ ଦରକାର ପଡ଼ିଥାଏ। କାରଣ ବିନା ସାର୍ଟିଫିକେଟରେ ଆପଣଙ୍କୁ ଭିସା ମିଳିନଥାଏ।

ଆପଣ ଯଦି ନିଜ ମ୍ୟାରେଜକୁ ରେଜିଷ୍ଟର କରିନାହାନ୍ତି ତେବେ କରିନିଅନ୍ତୁ। କାରଣ ଜନ୍ମ ଓ ମୃତ୍ୟୁ ସାର୍ଟିଫିକେଟ ଯେତିକି ଜରୁରୀ ମ୍ୟାରେଜ ସାର୍ଟିଫିକେଟ ମଧ୍ୟ ସେତିକି ଜରୁରୀ।

LEAVE A REPLY

Please enter your comment!
Please enter your name here