ଓଡ଼ିଶାଲାଇଭ୍ ବ୍ୟୁରୋ

୧୬ ବର୍ଷ ତଳେ ବାଂଲାଦେଶ ଅନୁପ୍ରବେଶକାରୀଙ୍କୁ ଭାରତରେ ସ୍ଥାନ ଦେବାକୁ କହିଥିଲେ ମନମୋହନ ସିଂହ।

“ଧର୍ମ ନାଁରେ ପ୍ରତାଡନାର ଶିକାର ହୋଇ ଲକ୍ଷ ଲକ୍ଷ ବାଂଲାଦେଶୀ ଭାରତ ମଧ୍ୟରେ ପ୍ରବେଶ କରୁଛନ୍ତି। ଏଥିପ୍ରତି ସରକାର ଗୁରୁତ୍ୱ ଦେବା ଦରକାର। ଏହାସହ ନାଗରିକତା ଆଇନକୁ ସଂଶୋଧନ କରି ସେମାନଙ୍କୁ ଭାରତୀୟ ନାଗରିକତା ଦିଆଯାଉ।”

ଏହି ମନ୍ତବ୍ୟ କୌଣସି ଅପରିଚିତ ବ୍ୟକ୍ତିଙ୍କର ନୁହେଁ। ଯେଉଁ ନାଗରିକତା ବିଲକୁ କଂଗ୍ରେସ ଏବେ ବିରୋଧ କରୁଛି। ସେହି କଂଗ୍ରେସ ଦଳର ଆଗଧାଡ଼ିର ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କର ଏହା ୧୬ ବର୍ଷ ତଳର କଥା, ଯାହାର ଏକ ଭିଡିଓକୁ ସୋସିଆଲ ମିଡିଆରେ ଜାରି କରିଛି ବିଜେପି।

 ୨୦୦୩ ମସିହାରେ ଦେଶରେ ଏନଡିଏ ସରକାର ଶାସନ କରୁଥିଲା। ସେହି ସମୟରେ ରାଜ୍ୟସଭାରେ ସାଂସଦ ଥିବା କଂଗ୍ରେସ ନେତା ମନମୋହନ ସିଂହ ନାଗରିକତା ଆଇନରେ ବାଂଲାଦେଶ ଅନୁପ୍ରବେଶକାରୀଙ୍କୁ ସାମିଲ କରିବାକୁ ସରକାରଙ୍କୁ ନିବେଦନ କରିଥିଲେ। ଯାହା ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ କରିଛି। ୧୬ ବର୍ଷ ତଳେ ଯେଉଁ ନେତା ଏହି ଆଇନ୍ ଆଣିବାକୁ ସରକାରଙ୍କୁ କହୁଥିଲେ। ଏବେ ସେହି ନେତାଙ୍କ ଦଳ ଏହି ଆଇନକୁ ବିରୋଧ କରୁଛି ବୋଲି ବିଜେପି କହୁଛି।ନାଗରିକତା ଆଇନକୁ ବିରୋଧ କରି ସାରା ଦେଶରେ ଜଳାପୋଡ଼ା ସହ ଆନ୍ଦୋଳନ ଜାରି ରହିଛି। ଉତ୍ତର-ପୂର୍ବ ଭାରତ ସହ ଦେଶର ବିଭିନ୍ନ ରାଜ୍ୟରେ ଏହାକୁ ନେଇ ଆନ୍ଦୋଳନ ଦେଖାଦେଇଛି। କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ଆଇନକୁ ନିଜ ରାଜ୍ୟରେ ଲାଗୁ କରିବେନି ବୋଲି ସିଧାସିଧା କହିଛନ୍ତି।

Comment