ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ରବିବାର ବାରବାଟୀରେ ଦିନିକିଆ ମ୍ୟାଚ ଖେଳାଯିବ। ଏନେଇ ଗୁରୁବାର ଅଫ୍ଲାଇନରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଥିଲା। ଟିକେଟ୍ ବିକ୍ରି ହେବାର ମାତ୍ର କିଛି ଘଣ୍ଟାରେ ବିକ୍ରି ହେବାକୁ ଥିବା ୧୦ ହଜାର ୩୯ ଟିକେଟ ସରିଯାଇଥିଲା। ଶେଷରେ ଟିକେଟ୍ ପାଇ ନଥିବା ଅନେକ କ୍ରିକେଟ ପ୍ରେମୀ ନିରାଶ ହୋଇ ଫେରିଛନ୍ତି।
ଗୁରୁବାର ସକାଳୁ ଅଫଲାଇନରେ ବାରବାଟୀ ମ୍ୟାଚ ପାଇଁ ଟିକେଟ ବିକ୍ରି ହୋଇଥିଲା। ଷ୍ଟାଡିୟମର ୧୨ଟି କାଉଣ୍ଟରରେ ଏହି ଟିକେଟ ବିକ୍ରି ହୋଇଥିଲା। ଟିକେଟ୍ କିଣିବାକୁ ଲୋକମାନେ ରାତିରୁ କାଉଣ୍ଟର ପାଖରେ ଲାଇନ୍ ଲଗାଇଥିଲେ।

ପୂର୍ବରୁ ଅନଲାଇନ୍ରେ ୮ ହଜାର ୧୫୦ ଟିକେଟ୍ ବିକ୍ରି ସରିଥିବା ବେଳେ ସୋମବାର ଦିନ ଅଫଲାଇନ୍ରେ ଅନୁବନ୍ଧିତ ଜିଲ୍ଲା, କ୍ଲବ, ସ୍କୁଲ ଓ କଲେଜଗୁଡ଼ିକୁ ପାଇଁ ଟିକେଟ ବିକ୍ରି ହୋଇଥିଲା। ଏଥିରେ ୮ ହଜାର ୯୪୬ ଟିକେଟ ବିକ୍ରି ହୋଇଥିଲା।
ଅନ୍ୟପକ୍ଷରେ ମ୍ୟାଚ ପାଇଁ ଭାରତ-ଓ୍ଵେଷ୍ଟଇଣ୍ଡିଜ ଦଳ ଭୁବନେଶ୍ଵରରେ ପହଞ୍ଚି ସାରିଛନ୍ତି। ଶୁକ୍ରବାର ଦଳ କଡ଼ା ସୁରକ୍ଷା ବଳୟରେ ବାରବାଟୀକୁ ଅଭ୍ୟାସ ପାଇଁ ଯିବେ। ପରେ ରବିବାର ଦିନ ଦୁଇ ଦଳ ବାରବାଟୀରେ ମୁହାଁମୁହିଁ ହେବେ।
















