ଓଡ଼ିଶାଲାଇଭ୍ ବ୍ୟୁରୋ
ବାରବାଟୀ ଦିନିକିଆ ପାଇଁ ସରି ଯାଇଛି ଅଫଲାଇନ୍ ଟିକେଟ୍। କାଉଣ୍ଟର ପାଖରେ ବିଶୃଙ୍ଖଳା ଯୋଗୁଁ ପୋଲିସର ଲାଠିଚାର୍ଜ।
କଟକ: ବାରବାଟୀ ଷ୍ଟାଡିୟମଠାରେ ଆସନ୍ତା ରବିବାର ଖେଳାଯିବ ଭାରତ-ୱେଷ୍ଟଇଣ୍ଡିଜ୍ ତୃତୀୟ ଦିନିକିଆ। ତିନି ମ୍ୟାଚ ବିଶିଷ୍ଟ ଏହି ଶୃଙ୍ଖଳା ଏବେ ବରାବର ସ୍ଥିତିରେ ରହିଛି। ବାରବାଟୀର ଶେଷ ଦିନିକିଆ ନିର୍ଣ୍ଣାୟକ ହେବ। ତେଣୁ ଏହାକୁ ନେଇ କ୍ରିକେଟେପ୍ରେମୀ ବେଶ୍ ଉତ୍ସାହିତ ରହିଛନ୍ତି। ଆଉ ଏହି ଉତ୍ସାହ ଆଜି ଟିକେଟ କାଉଣ୍ଟର ପାଖରେ ଦେଖିବାକୁ ମିଳିଥିଲା।
କାଉଣ୍ଟରେ ସକାଳ ୯ଟାରୁ ଖୋଲାଯିବ ବୋଲି ଓଡ଼ିଶା କ୍ରିକେଟ ଆସୋସିଏସନ୍(ଓସିଏ) ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଗତକାଲି ରାତିରୁ କ୍ରିକେଟପ୍ରେମୀ କାଉଣ୍ଟର ପାଖରେ ଧାଡ଼ି ଲଗାଇଥିଲେ। ରାତି ତମାମ୍ ପୋଲିସ୍ ଲୋକଙ୍କୁ ଘଉଡ଼ାଇ ଦେଇଥିଲା। କିନ୍ତୁ ପୋଲିସର ବାରଣ ସତ୍ତ୍ଵେ ଭୋରରୁ ଲୋକେ ଲାଇନ୍ ଲଗାଇଥିଲେ। ସକାଳ ୯ଟା ସୁଦ୍ଧା ଅସଂଖ୍ୟ କ୍ରିକେଟେ ପ୍ରେମୀଙ୍କୁ ବାରବାଟୀ ଷ୍ଟାଡିୟମ୍ ନିକଟରେ ଦେଖିବାକୁ ମିଳିଥିଲା। ପ୍ରାୟ ୫୦ହଜାର ଲୋକ ରୁଣ୍ଡ ହୋଇଥିଲେ। ଦୁଇ ପାଶ୍ୱର୍ରୁ ପ୍ରାୟ ୧କିଲୋମିଟର ପର୍ଯ୍ୟନ୍ତ ଧାଡି ଲମ୍ବିଥିଲା।
ପ୍ରଥମଥର ପାଇଁ ଓସିଏ ପକ୍ଷରୁ ୧୨ଟି କାଉଣ୍ଟର ବ୍ୟବସ୍ଥା କରାଯାଉଥିବାରୁ ଲୋକେ ଶୃଙ୍ଖଳିତ ଭାବେ ଟିକଟ ପାଇବା ନେଇ ଯେଉଁ ଆଶା ଥିଲା, ତାହା ଫସର ଫାଟି ଯାଇଥିଲା। ଟିକେଟ ବିକ୍ରି ବ୍ୟବସ୍ଥିତ ନଥିବାରୁ ବ୍ୟାପକ ବିଭ୍ରାଟ ସୃଷ୍ଟି ହୋଇଥିଲା। ଯିଏ ଯେଉଁ ବାଟରେ ପାରିଲେ କାଉଣ୍ଟରରେ ପଶିଲେ। ଯାହାଫଳରେ ଚଢ଼ାମଢ଼ା ପରିସ୍ଥିତି ଉପୁଜିଥିଲା। ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବା ପରେ ପୋଲିସ୍ ପକ୍ଷରୁ ଲାଠି ଚାଳନା କରାଯାଇଥିଲା। ଏଥିରେ ଅନେକ ଆହତ ମଧ୍ୟ ହୋଇଥିଲେ।
ଅନ୍ୟପକ୍ଷରେ ପୂର୍ବ ତୁଳନାରେ ଟିକେଟ ସଂଖ୍ୟା କମିଥିଲା। ମୋଟ୍ ୧୦ହଜାର ୫୦ଟି ଟିକେଟ ଆସିଥିଲା କାଉଣ୍ଟରକୁ। ନିର୍ଦ୍ଦାରିତ ସମୟର ପ୍ରାୟ ଘଣ୍ଟାଏ ବିଳମ୍ବରେ କାଉଣ୍ଟର ଖୋଲିଥିଲେ ବି ପ୍ରାୟ ୫ଘଣ୍ଟା ଭିତରେ ଟିକେଟ ଶେଷ ହୋଇଯାଇଥିଲା। ଏହାକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା। ଫଳରେ ହଜାର ହଜାର ଦର୍ଶକ ନିରାଶ ହୋଇ ଫେରିଥିଲେ।