ଓଡ଼ିଶାଲାଇଭ୍ ବ୍ୟୁରୋ
ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟ କ’ଣ? ସ୍ପଷ୍ଟ କରିବାକୁ ଦାବି କଲେ କଂଗ୍ରେସ ବିଧାୟକ ସୁର ରାଉତରାୟ।
‘‘ନବୀନ ବାବୁ ତୁମେ କ’ଣ କରିବାକୁ ଚାହୁଁଛ ସ୍ପଷ୍ଟ କର। ଗୋଟିଏ ପଟେ ନାଗରିକତା ଆଇନକୁ ସମର୍ଥନ କରୁଛ ଅନ୍ୟପଟେ ଏନ୍ଆର୍ସିକୁ ବିରୋଧ କରିବାକୁ କହୁଛ। ଏଭଳି ଦି ପ୍ରକାର କଥାବାର୍ତ୍ତା ରାଜ୍ୟର ମଙ୍ଗଳ ପାଇଁ ଠିକ୍ ନୁହଁ। ଯାହା କରୁଛ ସ୍ପଷ୍ଟ କର’’, ସିଏଏ ଏବଂ ଏନ୍ଆର୍ସିକୁ ନେଇ ଏମିତି ବର୍ଷିଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ।
ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଯିବା ପୂର୍ବରୁ ସିଏଏ ଏବଂ ଏନ୍ଆର୍ସିକୁ ନେଇ ଗଣମାଧ୍ୟମରେ ମନ୍ତବ୍ୟ ଦେଇଥିଲେ। ଏନ୍ଆର୍ସିକୁ ଆମ ଦଳ ବିରୋଧ କରୁଛି ଏଣୁ କେହି ଭୟଭୀତ ହେବାର ନାହିଁ ବୋଲି ନବୀନ କହିଥିଲେ। ଏହାସହ ସିଏଏ ଭାରତୀୟ ନାଗରିକଙ୍କ ପାଇଁ କୌଣସି ଅସୁବିଧା କରିବ ନାହିଁ, ଏହା ବିଦେଶୀ ନାଗରିକଙ୍କ ପାଇଁ ଲାଗୁ ହୋଇଥିବା ନବୀନ କହିଥିଲେ।
ନବୀନଙ୍କ ଏହି ମନ୍ତବ୍ୟ ଆସିବା ପରେ ବିଜେପି ଓ କଂଗ୍ରେସ ଦୋମୁହାଁ ନୀତି କହି ସମାଲୋଚନା କରିଥିବା ବେଳେ ଆଜି ସୁର ପୁଣି ବାଣ ମାରିଛନ୍ତି।
‘‘ଓଡ଼ିଶାରେ କିଛି ଅସୁବିଧା ନଥିଲା। ଭାଇ ଭାଇ ସବୁ ସଂପ୍ରଦାୟ ଚଳୁଥିଲେ। କିନ୍ତୁ ଏହି ନୂଆ ଆଇନ ଲାଗୁ ହେବା ପରେ ବିବାଦ ଆରମ୍ଭ ହୋଇଛି। ଏଣୁ ନବୀନ ବାବୁ ସ୍ପଷ୍ଟ କରିବା ଦରକାର ତାଙ୍କର ଆଭିମୁଖ୍ୟ କ’ଣ? ଯଦି ବିରୋଧ କରୁଛ ଖୋଲାଖୋଲି ବିରୋଧ କର। କଂଗ୍ରେସର ଆଭିମୁଖ୍ୟ ସ୍ପଷ୍ଟ। ଆମେ ଏହି ଆଇନକୁ ଭାରତରେ ଲାଗୁ କରିବାକୁ ଦେବୁ ନାହିଁ’’, କହିଛନ୍ତି ସୁର।
ନବୀନ ବାବୁ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ ନକଲେ ଆନ୍ଦୋଳନ ତେଜିବ ଏବଂ କଂଗ୍ରେସ ଏହାର ନେତୃତ୍ୱ ନେବ ବୋଲି କହିଛନ୍ତି ସୁର।
ନାଗରିକତା ଆଇନ୍କୁ ବିଜେଡି ସମର୍ଥନ କରୁଛି। ବିଲ୍ ପାସ୍ ବେଳେ ସଂସଦରେ ବିଜେଡି ଏହି ବିଲ୍କୁ ସମର୍ଥନ ଦେଇଥିଲା। ହେଲେ ଗତ ଦୁଇ ଦିନ ତଳେ ଭୁବନେଶ୍ୱରରେ ମୁସଲିମ୍ମାନେ ପ୍ରତିବାଦ କରିବାରୁ ନବୀନ ଏନ୍ଆର୍ସିକୁ ଲାଗୁ କରାଯିବନି ବୋଲି ମତ ଦେଇଛନ୍ତି।








ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟ କ’ଣ? ସ୍ପଷ୍ଟ କରିବାକୁ ଦାବି କଲେ କଂଗ୍ରେସ ବିଧାୟକ ସୁର ରାଉତରାୟ।









