ଓଡ଼ିଶାଲାଇଭ୍ ବ୍ୟୁରୋ
“ମୁଁ କାହାଠୁ ଟଙ୍କା ନେଇ ନାହିଁ। ମୋତେ ଯୋଜନାବଦ୍ଧ ଭାବେ ଫସାଇ ଦିଆଯାଇଛି। ମୋତେ ଫସାଇବା ପଛରେ କିଛି ବରିଷ୍ଠ ଅଧିକାରୀ ଓ ମୋର ଷ୍ଟାଫ୍ଙ୍କ ହାତ ରହିଛି” ଭିଜିଲାନ୍ସ କୋର୍ଟରେ ହାଜର ହେଲା ବେଳେ ଗଣମାଧ୍ୟକୁ ପ୍ରତିକ୍ରିୟା ଦେଇ କହିଛନ୍ତି ବିଜୟ କେତନ ଉପାଧ୍ୟାୟ।
ଲକ୍ଷେ ଟଙ୍କା ଲାଞ୍ଚ ନେଲା ବେଳେ ସୋମବାର ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ରାଜ୍ୟ କୃଷି ଓ ଉଦ୍ୟାନ ବିଭାଗର ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ। ଏନେଇ ତାଙ୍କୁ ଆଜି ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି।
୨୦୦୯ ବ୍ୟାଚର ଆଇଏଏସ୍ ଅଫିସର ହେଉଛନ୍ତି ବିଜୟ କେତନ। ଗତ କିଛି ଦିନ ଧରି ‘ମୋ ସରକାର’ ଆଧାରରେ ଲୋକଙ୍କ ପାଖରୁ ଆସିଥିବା ମତାମତ ଅନୁସାରେ ଭିଜିଲାନ୍ସ ତାଙ୍କ ଉପରେ ନଜର ରଖିଥିଲା। ସୋମବାର ବିଜୟ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଘଟଣାସ୍ଥଳରେ ଗିରଫ କରିଛି। ଗିରଫ ପରେ ତାଙ୍କୁ କାର୍ଯ୍ୟରୁ ନିଲମ୍ଵନ କରିଥିଲେ ରାଜ୍ୟ ସରକାର।