ଓଡ଼ିଶାଲାଇଭ୍ ବ୍ୟୁରୋ
- ସୋମବାରଠାରୁ ଓଡ଼ିଶାରେ ଶୀତ ବଢ଼ିବ
- ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି
- ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରୁ ଆସୁଛି ଥଣ୍ଡା ପବନ
- ରବିବାର ଅପରାହ୍ଣରୁ ପାଗ ଶୁଖିଲା ରହିବ
- ତାଳଚେର ଓ ବନ୍ତରେ ଅଧିକ ବର୍ଷା ରେକର୍ଡ
‘‘ଗତ ୨୪ ଘଣ୍ଟା ଭିତରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହୋଇଥିବା ରେକର୍ଡ ହୋଇଛି। ଆଗାମୀ ୨୪ ଘଣ୍ଟା ଭିତରେ ମଧ୍ୟ ଆଉ କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। ରବିବାର ଅପରାହ୍ଣରୁ ପାଗ ଶୁଖିଲା ରହିବ। ଫଳରେ ସୋମବାରଠାରୁ ଶୀତର ପ୍ରକୋପ ବଢ଼ିବ’’, କହିଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ।
ଗତ ଦୁଇ ଦିନ ହେଲା ଓଡ଼ିଶାର ଆକାଶ ମେଘୁଆ ରହିଛି। ରାଜଧାନୀ ଭୁବନେଶ୍ୱର ସମେତ ଅଧିକାଂଶ ସ୍ଥାନରେ ବର୍ଷା ହୋଇଛି। ବର୍ଷା ଯୋଗୁଁ ଶୀତ କମିଛି। ହେଲେ ଅଦିନିଆ ବର୍ଷା ଚାଷୀଙ୍କ ପାଇଁ କାଳ ପାଲଟିଛି। ବର୍ଷା ଆଉ କେତେଦିନ ଲାଗି ରହିବ ସେନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସହ ଯୋଗାଯୋଗ କରିଥିଲା ଓଡ଼ିଶାଲାଇଭ୍ ଟିମ୍।
୯୦ ପ୍ରତିଶତ ସ୍ଥାନରେ ବର୍ଷା
ଗତ ୨୪ ଘଣ୍ଟା ଭିତରେ ଓଡ଼ିଶାର ୯୦ ପ୍ରତିଶତ ସ୍ଥାନରେ ବର୍ଷା ହୋଇଛି। ତାଳଚେର ଏବଂ ଭଦ୍ରକ ଜିଲ୍ଲା ବନ୍ତରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଏହି ଦୁଇଟି ସ୍ଥାନରେ ୪୨ ମିଲିମିଟର ବର୍ଷା ରେକର୍ଡ ହୋଇଛି।
ସେହିପରି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଏବଂ ବେତନଟୀରେ ୩୭ ମିଲିମିଟର, ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ରେ ୪୯.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।
ଆଗାମୀ ୨୪ ଘଣ୍ଟା ଭିତରେ ଉପକୂଳ ଓଡ଼ିଶା ସମେତ ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି, ଢେଙ୍କାନାଳ, ସୋନପୁର, ବୌଦ୍ଧ, ଅନୁଗୁଳ, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼ ଆଦି ଜିଲ୍ଲାର କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। ଶୁକ୍ରବାର ଭଳି ବର୍ଷାର ପ୍ରକୋପ କମିବ। ରବିବାରଠାରୁ ଆଗାମୀ ୩ ଦିନ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ।
ସୋମବାରଠାରୁ ବଢ଼ିବ ଶୀତ
ଏବେ ଉତ୍ତର ଏବଂ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ଓଡ଼ିଶାକୁ ଆସୁଛି। ଏହାସହ ଆକାଶ ମଧ୍ୟ ମେଘାଛନ୍ନ ରହୁଛି। ଆକାଶ ମେଘମୁକ୍ତ ହୋଇଗଲେ ଥଣ୍ଡା ପବନ ଅଧିକ ପ୍ରବାହିତ ହେବ। ଫଳରେ ସୋମବାରଠାରୁ ଶୀତର ପରିମାଣ ବଢ଼ିବ। ଶନିବାର ସକାଳେ ଭବାନିପାଟଣାରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା।
ଆସନ୍ତାକାଲି ସମ୍ବଲପୁର, କନ୍ଧମାଳ, ଝାରସୁଗୁଡ଼ା, କଳାହାଣ୍ଡି, ମାଲକାନଗିରି ଓ ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିବ ବୋଲି କୁହାଯାଉଛି। ଏସବୁ ଜିଲ୍ଲାରେ ଆଗାମୀ ୩ ଦିନ ଯାଏଁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି।















