ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ: ଫ୍ଲାଟ୍ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକିନେବା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ଇଓଡବ୍ଲୁ (ଇକୋନୋମିକ୍ ଅଫେନ୍ସ୍ ୱିଙ୍ଗ୍) କଟକର ପ୍ରତିଷ୍ଠିତ ବିଲ୍ଡର୍ ପ୍ରଭାତ କୁମାର ନନ୍ଦଙ୍କୁ ଗିରଫ କରିଛି। ପ୍ରଭାତ ଏବେ ରଘୁପତି ଇଷ୍ଟେଟ୍ ଆଣ୍ଡ୍ ହୋଲ୍ଡିଂ ପ୍ରାଇଭେଟ୍ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଅଛନ୍ତି। ତାଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଜେଲ୍‌ ପଠାଇ ଦିଆଯାଇଛି।

କଟକର ଦେବଜ୍ୟୋତି ଦତ୍ତ ଓ ମମତା ବାରିକ ନାମକ ଦୁଇଜଣ ବ୍ୟକ୍ତି ୨୦୧୧-୧୨ ମସିହାରେ ଏକ ଘର ପାଇବା ପାଇଁ ପ୍ରଭାତ ନନ୍ଦଙ୍କୁ ୨୫ ଲକ୍ଷ ୫୦ ହଜାର ଟଙ୍କା ଦେଇଥିଲେ। କଟକ ସଦର ଥାନା ଅନ୍ତର୍ଗତ ଭାଣପୁର ମୌଜାରେ ପ୍ରଭାତ କରିଥିବା ‘ପ୍ରିଷ୍ଟାଇନ୍ ପାର୍କ’ ପ୍ରୋଜେକ୍ଟ ଭିତରେ ଏହି ଘର ପାଇବା ପାଇଁ ଟଙ୍କା ପୈଠ କରା ଯାଇଥିଲା।

ମାତ୍ର ଦୀର୍ଘ ଦିନ ବିତି ଯାଇଥିଲେ ବି ଦେବଜ୍ୟୋତି ଓ ମମତାଙ୍କୁ ଘର ବା ଫ୍ଲାଟ୍ ମିଳିପାରି ନଥିଲା। ଦିନ ପରେ ଦିନ ଗଡ଼ିବାରେ ଲାଗିଲା। ଘର କଥା କହିଲେ ପ୍ରଭାତ ସମୟ ଗଡ଼ାଇବାକୁ ଲାଗିଲେ। ଏଭଳି କିଛି ଦିନ ବିତିବା ପରେ ଦେବଜ୍ୟୋତି ଓ ମମତା ନିଜ ଟଙ୍କା ଫେରସ୍ତ ମାଗିବା ଆରମ୍ଭ କଲେ। ହେଲେ ବିଲ୍ଡର୍ ପ୍ରଭାତ ଟଙ୍କା ଫେରସ୍ତ କଲେ ନାହିଁ। ଶେଷରେ ଅନ୍ୟ ଉପାୟ ନପାଇ ୨୦୧୯ ଫେବ୍ରୁଆରି ମାସ ୧ ତାରିଖରେ ଦେବଜ୍ୟୋତି ଦତ୍ତ ଏନେଇ କ୍ରାଇମବ୍ରାଞ୍ଚ ଇଓଡବ୍ଲୁରେ ଏତଲା ଦାଏର କରିଥିଲେ।

ଏହାପରେ ଇଓଡବ୍ଲୁ ପକ୍ଷରୁ ଆଇପିସିର ଧାରା ୪୦୬ ଓ ୪୨୦ ସହିତ ଓପିଆଇଡି ଆକ୍ଟର ସେକ୍ସନ୍-୬ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ପରେ ପ୍ରଭାତଙ୍କ ବିଲ୍ଡର ସଂସ୍ଥା କାର୍ଯ୍ୟାଳୟରେ ଚଢ଼ଉ କରାଯାଇ ମାମଲା ସମ୍ପର୍କିତ କାଗଜପତ୍ର ଜବତ କରାଯାଇଥିଲା। ପ୍ରାଥମିକ ତଦନ୍ତରୁ ଏଥିରେ ପ୍ରାଭାତ ଏକ ବଡ଼ ଠକାମି କରିଥିବା ଜଣାପଡ଼ିଥିଲା। ଏହା ପରେ ଆଜି ଇଓଡବ୍ଲୁ ପକ୍ଷରୁ ପ୍ରଭାତଙ୍କୁ ଗିରଫ କରାଯାଇ କଟକର ଓପିଆଇଡି କୋର୍ଟରେ ହାଜର କରାଯାଇଥିଲା।

ସେଠାର ଜାମିନ ନାମଞ୍ଜୁର ହେବାରୁ ପ୍ରଭାତଙ୍କୁ ଚୌଦ୍ଵାର ଜେଲ୍‌କୁ ପଠାଇ ଦିଆଯାଇଛି। ପୂର୍ବରୁ ମଧ୍ୟ ପ୍ରଭାତ ଏକ ଜମି ଠକେଇ ମାମଲାରେ ଗିରଫ ହୋଇସାରିଛନ୍ତି। ୨୦୧୩ ମସିହା ମେ’ ମାସରେ ପ୍ରଭାତ ନନ୍ଦ ଓ ତାଙ୍କର ଜଣେ ସହଯୋଗୀ କମିସନରେଟ୍ ପୋଲିସ ହାତରେ ଗିରଫ ହୋଇ ଜେଲ୍ ଯାଇଥିଲେ। ମଧୁପାଟଣା ମଞ୍ଜୁଲତା ସାହୁଙ୍କୁ ଜମି ଦେବା ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କା ନେବା ପରେ ବି ପ୍ରଭାତ ଜମି ଦେଉନଥିଲେ। ଏପରିକି ମଞ୍ଜୁଲତାଙ୍କୁ ଧମକଚମକ ମିଳୁଥିଲା। ଏନେଇ ମଞ୍ଜୁଲତା ଏତଲା ଦେବା ପରେ ପ୍ରଭାତ ଓ ତାଙ୍କ ସହଯୋଗୀ ଗୀତାଞ୍ଜଳି ଆଚାର୍ଯ୍ୟ ଗିରଫ ହୋଇଥିଲେ।

LEAVE A REPLY

Please enter your comment!
Please enter your name here