ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ମାସେ ଧରି ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିବାକୁ ଯାଉଛି। ଶୁକ୍ରବାର ରାଜ୍ୟ ବିଜେପି ତାର ନୂଆ ମଙ୍ଗୁଆଳ ପାଇବ। ତେବେ ନୂଆ ମଙ୍ଗୁଆଳ କିଏ ହେବେ ତାକୁ ନେଇ ଏବେ ବି ସସ୍‌ପେନ୍ସ ଲାଗି ରହିଛି।

ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ନା ଉପସଭାପତି ସମୀର ମହାନ୍ତି ସଭାପତି ହେବେ ତାହାକୁ ନେଇ ଚର୍ଚ୍ଚା ଲାଗି ରହିଛି।

ସଭାପତି ପଦ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଗୁରୁବାର ଅପରାହ୍‌ଣରେ ପ୍ରାର୍ଥିପତ୍ର ଦାଖଲ କରାଯିବ। ସନ୍ଧ୍ୟା ୭ଟା ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ସମୟ ରହିଛି। ଯଦି ଏକାଧିକ ବ୍ୟକ୍ତି ସଭାପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରନ୍ତି ତାହାଲେ ଶୁକ୍ରବାର ଦିନ ଭୋଟ ହେବ।

ତେବେ ବିଜେପିର ଗଣିତ ଯାହା କହୁଛି ସହମତି ଭିତ୍ତିରେ ହିଁ ବିଜେପିର ସଭାପତି ଚୟନ କରାଯିବ। ଏହି ପଦବୀ ପାଇଁ ଅନେକ ନେତାଙ୍କ ନାଁ ଉଠୁଥିଲେ ହେଁ ଦୁଇ ଜଣ ଆଗରେ ରହିଥିବା ଚର୍ଚ୍ଚା ହେଉଛି। ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏବଂ ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ଭିତରେ ଜଣେ ସଭାପତି ପଦରେ ବସିବେ।

ପୃଥ୍ୱୀରାଜ ଛାତ୍ର ରାଜନୀତିରୁ ସକ୍ରିୟ ରାଜନୀତିକୁ ପ୍ରବେଶ କରିଥିଲେ। ୨୦୧୪ରେ ସେ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ୨୦୧୯ରେ ଚିଲିକା ବିଧାନସଭା ଆସନରୁ ସେ ତାଙ୍କ ଭାଗ୍ୟ ପରୀକ୍ଷା କରି ବିଫଳ ହୋଇଛନ୍ତି। ଏବେ ସେ ବିଜେପିର ସାଧାରଣ ସମ୍ପାଦକ ଅଛନ୍ତି। ଯୁବ ନେତା ଭାବେ ତାଙ୍କର ଭଲ ପରିଚୟ ରହିଥିବାରୁ ସେ ସଭାପତି ହୋଇପାରନ୍ତି ବୋଲି କୁହାଯାଉଛି।

ଏପଟେ ଭୁବନେଶ୍ୱର ଜିଲ୍ଲା ବିଜେପି ସଙ୍ଗଠନକୁ ଦୀର୍ଘ ବର୍ଷ ହେଲା ନିଜ କାନ୍ଧରେ ବୋହି ଆସୁଛନ୍ତି ସମୀର ମହାନ୍ତି। ସେ ନିର୍ବାଚନ ଲଢ଼େଇରେ ସାମିଲ ହୋଇ ନାହାନ୍ତି। ଏଣୁ ସେ ରାଜ୍ୟ ସଭାପତି ରେସ୍‌ରେ ଅଛନ୍ତି। ଏ ଦୁହିଁଙ୍କ ଭିତରୁ କିଏ ସଭାପତି ହେଉଛନ୍ତି ତାହା ଗୁରୁବାର ରାତି କିମ୍ବା ଶୁକ୍ରବାର ସକାଳେ ସ୍ପଷ୍ଟ ହୋଇଯିବ।

LEAVE A REPLY

Please enter your comment!
Please enter your name here