ଓଡ଼ିଶାଲାଭ୍‌ ବ୍ୟୁରୋ

କଟକ: ଜଷ୍ଟିସ୍ ସି.ଆର.ପାଲ୍ କମିସନଙ୍କ ରିପୋର୍ଟ ମାମଲାରେ ଜବାବ ଦାଖଲ ଲାଗି ସରକାରଙ୍କୁ ନୋଟିସ୍‌ କଲେ ହାଇକୋର୍ଟ। ପଶ୍ଚିମ ଓଡିଶା, ଦକ୍ଷିଣ ଓଡିଶା ଏବଂ ଅନ୍ୟାନ୍ୟ କେତେକ ଅଞ୍ଚଳରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସମ୍ପର୍କରେ ଅନୁଧ୍ୟାନ ପାଇଁ ଗଠିତ ଜଷ୍ଟିସ୍ ସି.ଆର. ପାଲ୍ କମିସନଙ୍କ ରିପୋର୍ଟ ସାର୍ବଜନୀନ ହେବା ମାମଲାରେ ହାଇକୋର୍ଟ ଆଜି ରାଜ୍ୟ ଗୃହ ବିଭାଗ ସଚିବ, ରାଜ୍ୟ ଆଇନ ବିଭାଗ ସଚିବଙ୍କୁ ଜବାବ ଦାଖଲ ଲାଗି ନୋଟିସ୍ ଜାରି କରିଛନ୍ତି।

ଆଇନଜୀବୀ ଶିବଶଙ୍କର ମହାନ୍ତିଙ୍କ ପକ୍ଷରୁ ହୋଇଥିବା ମାମଲାର ସୋମବାର ପ୍ରାଥମିକ ଶୁଣାଣି କରି ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ସଞ୍ଜୁ ପଣ୍ଡା ଏବଂ ବିଚାରପତି ଜଷ୍ଟିସ୍ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଏହାସହ କମିସନଙ୍କ ଦ୍ଵାରା ଦାଖଲ କରାଯାଇଥିବା ଗୋଟିଏ ରିପୋର୍ଟକୁ ସର୍ବାଧିକ ୬ମାସରୁ ଅଧିକ ସମୟ ରାଜ୍ୟ ସରକାର ଚାପି ରଖିବାର କୌଣସି କ୍ଷମତା ଯଦି ରହିଛି ସେ ସଂକ୍ରାନ୍ତରେ ଅବଗତ କରିବାକୁ ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି। ଆସନ୍ତା ଦୁଇ ସପ୍ତାହ ପରେ ମାମଲାର ଶୁଣାଣି ପାଇଁ ସମୟ ଧାର୍ଯ୍ୟ ହୋଇଛି।

ଶିବଶଙ୍କର ମହାନ୍ତି ଆଜି ଅଦାଲତରେ ଜବାବ ରଖି ଦର୍ଶାଇଥିଲେ ଯେ, ରାଜ୍ୟର ବିଭିନ୍ନ ଅଞ୍ଚଳରେ ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା ନେଇ ଦାବି ଉଠିବାରୁ ରାଜ୍ୟ ସରକାର ୨୦୦୮ ମାର୍ଚ୍ଚ ୧୧ତାରିଖରେ ଜଷ୍ଟିସ୍ ସି.ଆର. ପାଲ୍‌ଙ୍କ ଅଧ୍ୟକ୍ଷତାରେ ଏକ କମିସନ ଗଠନ କରିଥିଲେ। ଏହି କମିସନ ତଦନ୍ତ କରି ୨୦୧୪ ମେ’ ୩୧ ତାରିଖରେ ତାଙ୍କ ରିପୋର୍ଟ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରିଥିଲେ।

ନିୟମ ଅନୁଯାୟୀ ଏହି ରିପୋର୍ଟ ୬ ମାସ ମଧ୍ୟରେ ରାଜ୍ୟ ସରକାର ବିଧାନସଭାରେ ଉପସ୍ଥାପିତ କରିବା କଥା। କିନ୍ତୁ ୫ ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ରାଜ୍ୟ ସରକାର ଏହି ରିପୋର୍ଟ ସାର୍ବଜନୀନ କରିବା ପରିବର୍ତ୍ତେ ଆଉ ଏକ କମିଟି ୨୦୧୯ ମାର୍ଚ୍ଚ ୮ ତାରିଖରେ ଗଠନ କରିଛନ୍ତି। ଗୋଟିଏ କମିସନ ରିପୋର୍ଟ ଶୀତଳ ଭଣ୍ଡାରରେ ପଡ଼ି ରହିଥିଲା ବେଳେ ଆଉ ଏକ କମିଟି ଗଠନ ହେବା କେତେ ଦୂର ଗ୍ରହଣୀୟ ସେ ନେଇ ଆବେଦନକାରୀ ପ୍ରଶ୍ନ ଉଠାଇଥିଲେ।

ତେଣୁ ଜଷ୍ଟିସ୍ ପାଲ୍ କମିସନଙ୍କ ରିପୋର୍ଟ ସାର୍ବଜନୀନ କରିବା ଲାଗି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଥିଲେ। ହାଇକୋର୍ଟ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ଶିବଶଙ୍କର ମହାନ୍ତି ନିଜେ ଏହି ମାମଲା ପରିଚାଳନା କରୁଛନ୍ତି।

Comment