ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଭୁବନେଶ୍ୱର ଜନତା ମଇଦାନରେ ‘କୃଷି ଓଡ଼ିଶା’
  • ଆଜି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ଜାନୁଆରି ୨୪ ଯାଏଁ ଚାଲିବ ଏହି କୃଷି ମହାକୁମ୍ଭ
  • କୃଷି ଓଡ଼ିଶାର ଥିମ୍‌ – ‘ଲାଭଜନକ କୃଷି ପାଇଁ ପ୍ରୟାସ’
  • ୨୨୮ ଷ୍ଟଲ, ୧୧୨ କୃଷି ଉତ୍ପାଦ କମ୍ପାନି

ଭୁବନେଶ୍ୱର ଜନତା ମଇଦାନରେ ଆଜିଠୁ ଆରମ୍ଭ ହେବ ‘କୃଷି ଓଡ଼ିଶା-୨୦୨୦’। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମେଗା କୃଷି ପ୍ରଦର୍ଶନୀକୁ ଉଦ୍‌ଘାଟନ କରିବେ। ଫିକି ସହଯୋଗରେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଏହି ବିଶାଳ ପ୍ରଦର୍ଶନୀ ଆୟୋଜନ କରାଯାଉଛି।

ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ସମ୍ମାନିତ ଅତିଥି ଭାବେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ମୁଖ୍ୟ ବକ୍ତା ଭାବେ ଫିକିର ସାଧାରଣ ସମ୍ପାଦକ ଦିଲ୍ଲୀପ ଚିନୋୟ ଯୋଗ ଦେବେ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଡକ୍ଟର ସୌରଭ ଗର୍ଗ ସ୍ୱାଗତ ଭାଷଣ ଦେବାକୁ ଥିବା ବେଳେ ଧନ୍ୟବାଦ ଅର୍ପଣ କରିବେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ସଚିବ ଆର୍‌ ରଘୁରାଜ।

‘ଲାଭଜନକ କୃଷି ପାଇଁ ପ୍ରୟାସ’ – ଚଳିତ ବର୍ଷ ଏହି ଥିମ୍‌କୁ ଆଧାର କରି ଆୟୋଜନ କରାଯାଉଛି କୃଷି ଓଡ଼ିଶା।

‘‘ଓଡ଼ିଶାରେ କୃଷି କ୍ଷେତ୍ରର ବିକାଶ ସହ କୃଷକର ଆୟ କିଭଳି ବଢ଼ି ପାରିବ ସେ ଦିଗରେ ରାଜ୍ୟ ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି। ପାରମ୍ପରିକ ଧାରାକୁ ଛାଡ଼ି ଆଜିର ଚାଷୀ କିଭଳି ଲାଭଜନକ ଚାଷ କରିପାରିବ ସେଥିପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଛି। କୃଷି ନୀତି, ବୈଷୟିକ ଜ୍ଞାନ କୌଶଳ, କୃଷି ସରଞ୍ଜାମ, ଚାଷୀକୁ ୠଣ ଏବଂ କୃଷି ଉପରେ ଆଧାରିତ ଶିଳ୍ପର ବିକାଶ କ୍ଷେତ୍ରରେ ଓଡ଼ିଶା ଆଜି ଆଗଧାଡ଼ିରେ ରହିଛି’’, କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ।

‘‘ଓଡ଼ିଶାର କୃଷି କ୍ଷେତ୍ରକୁ ଆହୁରି ସଶକ୍ତ କରିବାର ଲକ୍ଷ୍ୟ ନେଇ ଆୟୋଜନ କରାଯାଉଛି ‘କୃଷି ଓଡ଼ିଶା’। ଏ ବର୍ଷର ଥିମ୍‌ ରହିଛି – ଲାଭଜନକ କୃଷି ପାଇଁ ପ୍ରୟାସ। ଓଡ଼ିଶାର ଚାଷୀ କିପରି ଲାଭଜନକ ଚାଷ କରିପାରିବେ ଏହା ହେଉଛି ଆମର ମୂଳ ଲକ୍ଷ୍ୟ’’, କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ସୌରଭ ଗର୍ଗ।

ସେ ଆହୁରି କହିଛନ୍ତି, ‘‘ଏଥର ‘କୃଷି ଓଡ଼ିଶା’ କୁ ଦେଶ ବିଦେଶର ନାମୀ କୃଷି ଉତ୍ପାଦ କମ୍ପାନିଙ୍କୁ ଆମନ୍ତ୍ରିତ କରାଯାଇଛି। ଓଡ଼ିଶାର ଚାଷୀମାନେ ଯେଉଁ ଉତ୍ପାଦ କରୁଛନ୍ତି ତାର କିପରି ବଜାର ସଂଯୋଗୀକରଣ ହୋଇପାରିବ ଏବଂ ଏହା କିପରି ମୂଲ୍ୟଯୁକ୍ତ ହେବ ତାହା ଆମର ମୁଖ୍ୟ ଲକ୍ଷ୍ୟ ରହିଛି।’’

ପାଞ୍ଚ ଦିନ ଧରି ଏହି କୃଷି ମହାକୁମ୍ଭ ଚାଲିବ। ଜାନୁଆରି ୨୪ରେ ଏହି କାର୍ଯ୍ୟକ୍ରମ ଉଦ୍‌ଯାପିତ ହେବ। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଏଥର ‘କୃଷି ଓଡ଼ିଶା’ରେ ୨୨୮ଟି ଷ୍ଟଲ ରହିବ। ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପ୍ରାୟ ୧୧୨ଟି କମ୍ପାନି ଭାଗ ନେବେ। ଏହି ଷ୍ଟଲଗୁଡ଼ିକରେ କୃଷି ଓ କୃଷକଙ୍କ ସଶକ୍ତିକରଣର ଚିତ୍ର ଦେଖିବାକୁ ମିଳିବ।

କୃଷିକ୍ଷେତ୍ର ଉପଯୋଗୀ ନୂତନ ଜ୍ଞାନ କୌଶଳ ଓ କୃଷି ପ୍ରଣାଳୀ ସହିତ ଓଡ଼ିଶାର ଚାଷୀମାନଙ୍କୁ ପରିଚିତ କରାଇବା ନିମନ୍ତେ ପ୍ରତିଦିନ ଆଲୋଚନାଚକ୍ର ଆୟୋଜନ କରାଯିବ। ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏଁ ଏହି ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟ ଅନୁଷ୍ଠାନର ନାମୀ କୃଷି ବିଜ୍ଞାନୀ, କୃଷି ବିଶେଷଜ୍ଞ, କୃଷି ଅଧିକାରୀ ଓ ରାଜ୍ୟ ସରକାରଙ୍କର ବରିଷ୍ଠ ଅଧିକାରୀମାନେ ଯୋଗଦେବେ।

‘କୃଷି ଓଡ଼ିଶା’ରେ ଆକର୍ଷଣୀୟ ପ୍ରଦର୍ଶନୀ ମଣ୍ଡପର ଆୟୋଜନ କରାଯାଇଛି। ଏହି ମଣ୍ଡପରେ କୃଷି ଓ ଆନୁଷଙ୍ଗିକ କୃଷି ସମ୍ବନ୍ଧିତ କ୍ଷେତ୍ରର ପ୍ରଗତି ସମ୍ପର୍କରେ ତଥ୍ୟ ପ୍ରଦାନ କରାଯିବ। କୃଷି ବିଜ୍ଞାନୀ, କୃଷି ଛାତ୍ର ଓ କୃଷକମାନଙ୍କ ମଧ୍ୟରେ ଭାବ ଆଦାନ ପ୍ରଦାନ କରାଯିବ।

‘କୃଷି ଓଡ଼ିଶା’ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସଫଳ ଚାଷୀ, ଯୁବ କୃଷି ଉଦ୍ୟୋଗୀ ଓ ଜିଲ୍ଲା ସ୍ତରରେ ପୁରସ୍କୃତ ହୋଇଥିବା ଅଗ୍ରଣୀ ଚାଷୀମାନେ ଯୋଗଦେବେ।

Comment