ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀ ପାଇଁ ଜୋର୍‌ ଧରିଛି ପ୍ରଚାର। ଦ୍ୱିତୀୟ ଦିନରେ ଆଜି ପୁଣିଥରେ ପ୍ରଚାର ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଖିବାକୁ ମିଳିଛି। ଦ୍ୱାରକାରେ ଜନସଭା କରି ସିଧା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଟାର୍ଗେଟ କରିଛନ୍ତି।

‘‘ସର୍ଜିକାଲ ଷ୍ଟ୍ରାଇକ ବେଳେ ଦିଲ୍ଲୀ ସରକାରର କିଛି ଲୋକ ବିଭ୍ରାନ୍ତିକର ବୟାନ ଦେଇଥିଲେ। ଏହାର ଜବାବ ଦିଲ୍ଲୀବାସୀ ଆସନ୍ତା ୮ ତାରିଖରେ ଦେବେ। ଦିଲ୍ଲୀରେ ହୃଦୟହୀନ ସରକାର ଶାସନ ଗାଦିରେ ବସିଛି। ଗରିବ ଲୋକଙ୍କ କଥା ଏ ସରକାର ବୁଝି ପାରୁ ନାହାନ୍ତି। ଯଦି ବୁଝି ପାରୁଥାନ୍ତେ ତାହାଲେ ସେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିଥାନ୍ତେ’’, ଏମିତି ଢଙ୍ଗରେ ଆଜି କେଜରିୱାଲଙ୍କୁ ତୀର ମାରିଥିଲେ ମୋଦୀ।

ମୋଦୀ ଆହୁରି କହିଥିଲେ, ‘‘ଦିଲ୍ଲୀର ଗୃହହୀନ ଲୋକମାନେ କି ଅପରାଧ କରିଥିଲେ? ସେମାନଙ୍କୁ କାହିଁକି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିବନି? ଦିଲ୍ଲୀ ସରକାରଙ୍କ ବିକୃତ ମାନସିକତା ଯୋଗୁଁ ଏହା ଲାଗୁ ହେଉନି। ଲୋକେ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ଏହାର ଜବାବ ଦିଲ୍ଲୀବାସୀ ଇଭିଏମ୍‌ରେ ଦେବେ।’’

୮ ତାରିଖରେ ମୋଟ ୭୦ଟି ଆସନ ପାଇଁ ଦିଲ୍ଲୀରେ ଭୋଟ ହେବ। ଏଥିପାଇଁ ପ୍ରଚାର ମଇଦାନ କମ୍ପୁଛି। ଆମ୍‌ ଆଦ୍‌ମୀ ପାର୍ଟିୀ ପ୍ରଚାର ମଙ୍ଗ ନିଜେ ଅରବିନ୍ଦ କେଜରିୱାଲ ଧରିଥିବା ବେଳେ ବିଜେପି ମୋଦୀଙ୍କ ଲୋକପ୍ରିୟତାକୁ ଆଧାର କରି ପ୍ରଚାର ମଇଦାନକୁ ଓହ୍ଲାଇଛି।

ମୋଦୀ ପ୍ରଥମ ଥର ପାଇଁ ଗତ ସୋମବାର ଦିନ ଦିଲ୍ଲୀରେ ପ୍ରଚାର କରିଥିଲେ। ଆଜି ଦ୍ୱିତୀୟ ଦିନରେ ପ୍ରଚାର କରି ବିଜେପିକୁ ଭୋଟ୍‌ ଦେବାକୁ ଅପିଲ୍‌ କରିଛନ୍ତି।

Comment