ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଦିଲ୍ଲୀରେ ସରିଲା ହାଇଭୋଲ୍ଟେଜ ପ୍ରଚାର। ୮ରେ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା।
ଦିଲ୍ଲୀ ବିଧାନସଭା ଆସନ ପାଇଁ ଶେଷ ହେଲା ପ୍ରଚାର। ମୋଟ ୭୦ଟି ଆସନ ପାଇଁ ୮ରେ ହେବ ଭୋଟ। ପ୍ରଚାରର ଶେଷ ଦିନରେ ଶକ୍ତି ପ୍ରଦର୍ଶନ କରିଛନ୍ତି ଆମ୍ ଆଦ୍ମୀ ପାର୍ଟି ଓ ବିଜେପି। କଂଗ୍ରେସ ବି ପଛରେ ପଡ଼ି ନଥିଲା। ଶେଷ ଦିନରେ କଂଗ୍ରେସ ନିଜର ଦମ୍ ଦେଖାଇଛି। ୧୧ରେ ଜଣାପଡ଼ିବ ଦିଲ୍ଲୀବାସୀ କାହାକୁ ସରକାର ଗଠନ ପାଇଁ ବହୁମତ ଦେଇଛନ୍ତି।
ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ଆପ୍ ପ୍ରଚାର ଆରମ୍ଭ କରି ଦେଇଥିଲା। ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲ ପ୍ରଚାର ମଙ୍ଗ ଧରିଥିଲେ। ଏହାସହ ମନୀଷ ସିସୋଡିଆ, ସଞ୍ଜୟ ସିଂହ, ସୌରଭ ଭରଦ୍ୱାଜ, ସତ୍ୟେନ୍ଦ୍ର ଜୈନ, ଅମାନତୁଲ୍ଲାହ ଖାନ୍ ମଧ୍ୟ ପ୍ରଚାରରେ ସାମିଲ ହୋଇଥିଲେ। ଦିଲ୍ଲୀ ସିଂହାସନ ପୁଣି ଥରେ ଅକ୍ତିଆର କରିବା ପାଇଁ ଆପ୍ ଯେଉଁ କସରତ କରିଥିଲା ଦିଲ୍ଲୀବାସୀ କେତେଦୂର ଏହାକୁ ଗ୍ରହଣ କରିଛନ୍ତି ତାହା ଫେବ୍ରୁଆରି ୧୧ରେ ଜଣାପଡ଼ିବ।
‘‘ଦିଲ୍ଲୀ ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି। ଆମ୍ ଆଦ୍ମୀ ପାର୍ଟିର ସମସ୍ତ କର୍ମକର୍ତ୍ତା ଓ ନେତା ପ୍ରଚାରରେ ସାମିଲ ହୋଇଥିବାରୁ ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି। ସଚ୍ଚୋଟ ରାସ୍ତାରେ ଚାଲୁଥିବା ଏବଂ ନିଷ୍ଠାପର ଭାବେ କାମ କରୁଥିବା ଲୋକଙ୍କ ଉପରେ ଭଗବାନଙ୍କର ସବୁବେଳେ ଆଶୀର୍ବାଦ ରହିଥାଏ। ଫେବ୍ରୁଆରି ୮ ତାରିଖରେ ଦିଲ୍ଲୀବାସୀ କାମ କରୁଥିବା ଲୋକଙ୍କୁ ଭୋଟ ଦେବେ ବୋଲି ମୋର ବିଶ୍ୱାସ ରହିଛି’’, କହିଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲ।
प्रचार का समय खत्म हो गया। मुझे आम आदमी पार्टी के हर कार्यकर्ता और समर्थक पर गर्व है जिन्होंने एक आदर्श चुनाव अभियान चला कर लोगों का दिल जीत लिया
सच्चाई के रास्ते पर निष्काम कर्म करनेवालों का भगवान हमेशा साथ देते हैं। मेरा पूरा भरोसा है कि 8 फरवरी को लोग काम पर ही वोट देंगे। https://t.co/dtcvnGMf5W
— Arvind Kejriwal (@ArvindKejriwal) February 6, 2020
ଆପ୍କୁ ଟକ୍କର ଦେବା ପାଇଁ ବିଜେପି ନିଜର ଶକ୍ତି ପ୍ରଦର୍ଶନ କରିଥିଲା। ଦଳର ବରିଷ୍ଠ ନେତାମାନେ ଦିଲ୍ଲୀ ପ୍ରଚାରରେ ନିଜର ଦମ୍ ଦେଖାଇଥିଲେ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବଂ ନୀତିଶ କୁମାର ମଧ୍ୟ ଦିଲ୍ଲୀରେ ପ୍ରଚାର କରି ବିଜେପି ପାଇଁ ଭୋଟ ମାଗିଥିଲେ।
ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ବିଜେପି ପାଇଁ ଧୂଆଁଧାର ପ୍ରଚାର କରିଥିଲେ। ବିଜେପିର ବହୁ କେନ୍ଦ୍ରମନ୍ତ୍ରୀ, ସାଂସଦ ଏବଂ ବିଧାୟକ ମଧ୍ୟ ଦିଲ୍ଲୀରେ ଡେରା ପକାଇ ପ୍ରଚାର ମଇଦାନକୁ ସରଗରମ କରିଥିଲେ। ଦିଲ୍ଲୀର ପୂର୍ବାଞ୍ଚଳ ଭୋଟରଙ୍କୁ ଦୃଷ୍ଟିରେ ରଖି ବିଜେପି ଭୋଜପୁରୀ ଫିଲ୍ମର କିଛି ଷ୍ଟାରଙ୍କୁ ମଧ୍ୟ ପ୍ରଚାରରେ ସାମିଲ କରିଥିଲା।
ଆରମ୍ଭରୁ ପ୍ରଚାର ମଇଦାନରେ ପଛରେ ପଡ଼ିଥିବା କଂଗ୍ରେସ ଶେଷ ଦିନରେ ଜବରଦସ୍ତ ପ୍ରଚାର କରିଥିଲା। ଶେଷ ଦିନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କ ଗାନ୍ଧୀଙ୍କ ଯୋଡ଼ି ଦିଲ୍ଲୀ ରାଜନୀତିକୁ ସରଗରମ କରିଥିଲା। ରାହୁଲ-ପ୍ରିୟଙ୍କା ଦିଲ୍ଲୀର ବିଭିନ୍ନ ସ୍ଥାନରେ ରୋଡ୍ ସୋ’ ଏବଂ ଜନସଭା କରି ଭୋଟରଙ୍କୁ ଆକୃଷ୍ଟ କରିଥିଲେ। ଉଭୟ ମୋଦୀ ସରକାରଙ୍କୁ ଟାର୍ଗେଟ କରିଥିଲେ।
ଏହି ତିନି ଦଳଙ୍କ ଭିତରୁ କିଏ କେତେ ଆସନ ନେଉଛନ୍ତି ତାହା ଅପେକ୍ଷା କରି ଦେଖିବାର କଥା।








ଦିଲ୍ଲୀରେ ସରିଲା ହାଇଭୋଲ୍ଟେଜ ପ୍ରଚାର। ୮ରେ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା।









