ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଆସିଲା ଦିଲ୍ଲୀ ବିଧାନସଭା ନିର୍ବାଚନର ବୁଥ୍‌ ବାହୁଡ଼ା ମତ। କେଜରିୱାଲ ସରକାର ଗଢ଼ିବା ନେଇ ଆକଳନ।

ଦିଲ୍ଲୀରେ ପୁଣି ଆମ୍‌ ଆଦ୍‌ମୀ ପାର୍ଟି ଗଢ଼ିବ ସରକାର। ଅରବିନ୍ଦ କେଜରିୱାଲ ପୁଣି ହେବେ ମୁଖ୍ୟମନ୍ତ୍ରୀ। ନିର୍ବାଚନ ଫଳ ଆସିବା ପୂର୍ବରୁ ବିଭିନ୍ନ ଟିଭି ଚ୍ୟାନେଲ ଏବଂ ସଂସ୍ଥା ପକ୍ଷରୁ କରାଯାଇଥିବା ଏକ୍‌ଜିଟ୍‌ ପୋଲ୍‌ରୁ ଏହି ରାୟ ଆସିଛି। ଦିଲ୍ଲୀବାସୀ କେଜରିୱାଲଙ୍କ ଉପରେ ପୁଣି ଆସ୍ଥା ପ୍ରକଟ କରିଥିବା ଏକ୍‌ଜିଟ୍‌ ପୋଲ୍‌ରୁ ଜଣାପଡ଼ିଛି।

‘ନ୍ୟୁଜ୍‌ ଏକ୍ସ’ ପକ୍ଷରୁ କରାଯାଇଥିବା ଏକ୍‌ଜିଟ୍‌ ପୋଲ ରିପୋର୍ଟ ଆସିଛି। ମୋଟ୍ ୭୦ଟି ଆସନରୁ ଆପ୍‌ ୫୩ରୁ ୫୭ଟି ଆସନ ପାଇବ ବୋଲି ରିପୋର୍ଟରୁ ଜଣାପଡ଼ିଛି। ସେହିପରି ବିଜେପି ୧୧ରୁ ୧୭, କଂଗ୍ରେସ ୦-୨ ଆସନ ପାଇବ ବୋଲି ଆକଳନ କରାଯାଇଛି।

‘ରିପବ୍ଲିକ ଜନ୍‌ କି ବାତ୍‌’ ପକ୍ଷରୁ କରାଯାଇଥିବା ସର୍ଭେ ମଧ୍ୟ ଆପ୍‌ ଦିଲ୍ଲୀରେ ସରକାର ଗଢ଼ିବ ବୋଲି ପୂର୍ବାନୁମାନ କରିଛି। ଆପ୍‌ ୪୮ରୁ ୬୧, ବିଜେପି ୯ରୁ ୨୧, କଂଗ୍ରେସ କିଛି ଆସନ ପାଇବନି ବୋଲି  ଆକଳନ କରାଯାଇଛି।

‘ଇଣ୍ଡିଆ ନ୍ୟୁଜ ନେସନ’ ପକ୍ଷରୁ କରାଯାଇଥିବା ସର୍ଭେରେ ଆପ୍‌ ୫୫, ବିଜେପି ୧୪, କଂଗ୍ରେସ ଗୋଟିଏ ଆସନ ପାଇବ ବୋଲି ଆକଳନ କରାଯାଇଛି। ‘ଟାଇମ୍ସ ନାଓ’ ପକ୍ଷରୁ କରାଯାଇଥିବା ଏକ୍‌ଜିଟ୍‌ ପୋଲ୍‌ରେ ଆପ୍‌ ୪୪, ବିଜେପି ୨୬, କଂଗ୍ରେସ କିଛି ଆସନ ପାଇବନି ବୋଲି ଆକଳନ କରାଯାଇଛି।

ଦିଲ୍ଲୀ ବିଧାନସଭାର ମୋଟ ୭୦ଟି ଆସନ ପାଇଁ ଶନିବାର ହୋଇଥିଲା ଭୋଟ। ୬୭୨ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଛି। ଫେବ୍ରୁଆରି ୧୧ରେ ଫଳାଫଳ ପ୍ରକାଶ ପାଇବ। ଏହିଦିନ ହିଁ ଜଣାପଡ଼ିବ ଦିଲ୍ଲୀରେ କିଏ ସରକାର ଗଠନ କରୁଛି।

୨୦୧୫ରେ ଆପ୍‌ ୬୭ଟି ଆସନ ପାଇଥିବା ବେଳେ ବିଜେପି ୩ଟି ଏବଂ କଂଗ୍ରେସ କିଛି ବି ଆସନ ପାଇ ନଥିଲା। ଏଥର ନିର୍ବାଚନରେ ଆପ୍‌ ଏବଂ ବିଜେପି ଭିତରେ କଡ଼ା ଟକ୍କର ହୋଇଥିଲା।

LEAVE A REPLY

Please enter your comment!
Please enter your name here