ଓଡ଼ିଶାଲାଇଭ୍ ବ୍ୟୁରୋ
କାହାର ହେବ ଦିଲ୍ଲୀ? ଆଉ କେଇ ଘଣ୍ଟା ପରେ ସ୍ପଷ୍ଟ ହେବ ଚିତ୍ର। ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ବହୁ ଆଗରେ ରହିଛି ଆମ ଆଦମୀ ପାର୍ଟି। ବିଜେପି ଦ୍ୱିତୀୟ ସ୍ଥାନରେ ଥିଲା ବେଳେ କଂଗ୍ରେସ ଏଯାଏଁ ଖାତା ଖୋଲିନାହିଁ। ନୂଆଦିଲ୍ଲୀ ଆସନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ଆଗରେ ଥିଲାବେଳେ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିଆ ପତପରଗଞ୍ଜ ଆସନରେ ଆଗୁଆ ରହିଛନ୍ତି।
ଫଳରେ ଦିଲ୍ଲୀରେ ଏକଜିଟ ପୋଲ୍ ଏକଜାଟ ପୋଲ୍ ହେବାକୁ ଯାଉଛି। କାରଣ ସମୁଦାୟ ୭୦ଟି ଆସନରୁ ଆପ୍ ଏବେ ୪୯ଟି ଆସନରେ ଆଗୁଆ ରହିଥିଲା ବେଳେ ବିଜେପି ଧୀରେ ଧୀରେ ଆଗକୁ ବଢ଼ୁଛି। ଏବେ ୨୧ଟି ଆସନରେ ବିଜେପି ଆଗୁଆ ରହିଛି। ଅନ୍ୟପକ୍ଷରେ ଦିଲ୍ଲୀରେ ଆପ୍ର ବିଜୟ ନିଶ୍ଚୟ ବୋଲି ଆପ୍ କର୍ମୀ କହିଛନ୍ତି। ଚୂଡ଼ାନ୍ତ ଫଳାଫଳ ଆସିବ ପୂର୍ବରୁ ଆପ୍ ମୁଖ୍ୟାଳୟ ସମ୍ମୁଖରେ କର୍ମୀମାନେ ଉତ୍ସବ ପାଳୁଥିବା ଦେଖିବାକୁ ମିଳିଛି।
କର୍ମୀମାନେ ଗୀତ ଗାଇ ବାଜା ବଜାଇ ନାଚୁଥିବା ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ କର୍ମୀମାନେ ହାତରେ ପୋଷ୍ଟର ଧରିଥିବା ନଜର ଆସିଛି। ‘ସୌ ସବାଲ ଏକ ଜବାବ- କେଜରିଓ୍ୱାଲ’ ଏଭଳି ଲେଖାଥିବା ପୋଷ୍ଟରକୁ ହାତରେ ଧରି ଆପ୍ କର୍ମୀ ଉତ୍ସବ ପାଳୁଛନ୍ତି।
ମଙ୍ଗଳବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ୨୧ କେନ୍ଦ୍ରରେ କଡ଼ା ସୁରକ୍ଷା ମଧ୍ୟରେ ମତଗଣନା ଚାଲିଛି।