ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକସଭା ନିର୍ବାଚନ ପୂର୍ବରୁ ସରଗରମ ହେଲାଣି ଦିଲ୍ଲୀ ରାଜନୀତି। ଜୋରସୋର ପ୍ରସ୍ତୁତି ଆରମ୍ଭ କରିଛନ୍ତି ଆମ ଆଦମୀ ପାର୍ଟି (ଆପ) ଏବଂ କଂଗ୍ରେସ। ଦିଲ୍ଲୀରେ ଆପ-କଂଗ୍ରେସ ମେଣ୍ଟ କରିବାକୁ ସହମତି ପ୍ରକାଶ କରିଛନ୍ତି।

ଆପ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆମ ଆଦମୀ ପାର୍ଟି ଦକ୍ଷିଣ ଦିଲ୍ଲୀ, ଉତ୍ତର-ପଶ୍ଚିମ ଦିଲ୍ଲୀ, ନୂଆଦିଲ୍ଲୀ ଏବଂ ପଶ୍ଚିମ ଦିଲ୍ଲୀ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବ ଏବଂ ଅନ୍ୟ ୩ଟି ଆସନ ଉତ୍ତରପୂର୍ବ ଦିଲ୍ଲୀ, ଚାନ୍ଦନୀଚୌକ ଏବଂ ପୂର୍ବ ଦିଲ୍ଲୀ ଆସନରୁ କଂଗ୍ରେସ ଲଢ଼ିବ।

କଂଗ୍ରେସ ମହାସଚିବ କେସି ବେଣୁଗୋପାଳଙ୍କ ବାସଭବନରେ ଏ ନେଇ ବୈଠକ ହେବା ପରେ ଏହି ସୂଚନା ମିଳିଛି।

ଏହା ବ୍ୟତୀତ ଅନ୍ୟ ଦୁଇଟି ରାଜ୍ୟରେ ଆପ ଏବଂ କଂଗ୍ରେସ ମଧ୍ୟରେ ଆସନ ଭାଗ ବଣ୍ଟା ହୋଇସାରିଛି। ଦିଲ୍ଲୀରେ ଆପ ୪ଟି ଆସନରେ ଓ କଂଗ୍ରେସ ୩ଟି ଲୋକସଭା ଆସନରେ ପ୍ରାର୍ଥୀ ଦେବ। ସେହିପରି ହରିଆଣାରେ ଆପକୁ ଗୋଟିଏ ଏବଂ ଗୁଜରାଟରେ ୨ଟି ଆସନ ଦେବ କଂଗ୍ରେସ। ଏ ନେଇ ଖୁବ ଶୀଘ୍ର ଔପଚାରିକ ଭାବେ ଘୋଷଣା କରାଯିବ।

କିନ୍ତୁ ପଞ୍ଜାବରେ କଂଗ୍ରେସ ଏବଂ ଆପ ମିଳିତ ଭାବେ ନିର୍ବାଚନ ନଲଢ଼ି ଏକା ଏକା ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ହୋଇଛି।

Tags: #Politics #IndiaPolitics #DelhiPolitics #Election #LokSabhaElection #AAP #Congress

Comment